ମହିଳା କର୍ମଚାରୀଙ୍କ ସହ ଥିଲା ବିଲ୍‌ ଗେଟ୍ସଙ୍କ ସମ୍ପର୍କ, ତଦନ୍ତ କରିଥିଲା ମାଇକ୍ରୋସଫ୍ଟ

ବୋର୍ଡରୁ ହଟିଥିଲେ ଗେଟ୍ସ

ନ୍ୟୁୟର୍କ: ଦେଶର ଅନ୍ୟତମ ଧନୀ ବ୍ୟକ୍ତି ବିଲ୍‌ ଗେଟସ୍‌ ଓ ତାଙ୍କ ପତ୍ନୀ ମେଲିଣ୍ଡା ଗେଟସ୍‌ଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବା ପରଠାରୁ ବିଲ୍‌ ଗେଟସ୍‌ଙ୍କ ସମ୍ପର୍କରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଜଣେ ଅତ୍ୟନ୍ତ ଶାନ୍ତ ସ୍ବଭାବର ଓ ବଦାନ୍ୟ ବ୍ୟକ୍ତି ଭାବେ ନିଜ ବିଲ୍ ଗେଟସ୍‌ ନିଜର ଭାବମୂର୍ତ୍ତୀ ତିଆରି କରିଥିଲେ। କିନ୍ତୁ ଏବେ ତାଙ୍କ ବିଷୟରେ ଯେଉଁ ସବୁ ତଥ୍ୟ ସାମ୍ନାକୁ ଆସୁଛି ତାହା ଚକିତ କରିବା ଭଳି। ନାରୀମାନଙ୍କ ପ୍ରତି ତାଙ୍କର ଦୁର୍ବଳତା ଥିବା କୁହାଯାଇଛି। ସେ ପ୍ରତିଷ୍ଠା କରିଥିବା ବିଶ୍ବସ୍ତରୀୟ କଂପାନି ମାଇକ୍ରୋସଫ୍ଟର ଜଣେ ମହିଳା କର୍ମଚାରୀଙ୍କ ସହ ସେ ସମ୍ପର୍କ ରଖିଥିଲେ। ଉକ୍ତ କର୍ମଚାରୀ ଜଣକ ସେ ବିଷୟରେ କଂପାନି ବୋର୍ଡର ଦୃଷ୍ଟି ଆକର୍ଷଣ କରିବା ପରେ ତାହାର ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ଶେଷ ହେବା ପୂର୍ବରୁ ବିଲ୍‌ ଗେଟସ୍‌ ବୋର୍ଡରୁ ଇସ୍ତଫା ଦେଇଥିଲେ। ସେହି ସମୟରେ ସେ ଏହାର କାରଣ ବିଷୟରେ କହିଥି‌ଲେ ଯେ ଦାତବ୍ୟ କାର୍ଯ୍ୟ ପାଇଁ ଅଧିକ ସମୟ ଦେବାକୁ ଚାହୁଥିବାରୁ ସେ ବୋର୍ଡରୁ ଇସ୍ତଫା ଦେଇଛନ୍ତି।

ମାଇକ୍ରୋସଫ୍ଟରେ ଜଣେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ମହିଳା ଜଣକ ଯେଉଁ ଅଭିଯୋଗ କରିଥିଲେ ତାହାର ତଦନ୍ତ କରିବା ଲାଗି କଂପାନି କର୍ତ୍ତୃପକ୍ଷ ୨୦୧୯ ଶେଷ ଆଡ଼କୁ ଏକ ଆଇନ ସଂସ୍ଥାକୁ ଦାୟିତ୍ବ ଦେଇଥିଲେ। ମହିଳା କର୍ମଚାରୀ ଜଣକ ଅଭିଯୋଗ କରିଥିଲେ ଯେ ଗେଟସ୍‌ ତାଙ୍କ ସହିତ ଦୀର୍ଘ ବର୍ଷ ଧରି ଯୌନ ସମ୍ପର୍କ ରଖିଛନ୍ତି। ଏନେଇ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍‌ରେ ରିପୋର୍ଟ ପ୍ରକାଶ ପାଇଛି। ଏହି ଅଭିଯୋଗ ସମ୍ପର୍କରେ ମାଇକ୍ରୋସଫ୍ଟ ତରଫରୁ କୁହାଯାଇଛି ଯେ ୨୦୧୯ର ଶେଷ ଆଡ଼କୁ ଆମ ପାଖକୁ ଜଣେ ମହିଳା କର୍ମଚାରୀଙ୍କ ଅଭିଯୋଗ ପହଞ୍ଚିଥିଲା। ୨୦୦୦ ମସିହାରେ ବିଲ ଗେଟସ୍‌ ତାଙ୍କ ସହିତ ଅନ୍ତରଣ ସମ୍ପର୍କ ରଖିଥିବା ସେ କହୀଥିଲେ। ବୋର୍ଡର ଏକ କମିଟି ଉକ୍ତ ଅଭିଯୋଗକୁ ଅନୁଧ୍ୟାନ କରିବା ପରେ ତାହାର ତଦନ୍ତ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ତଦନ୍ତ ସମୟରେ କଂପାନି ତରଫରୁ ଅଭିଯୋଗକାରିଣୀଙ୍କୁ ସବୁ ପ୍ରକାର ସହାୟତା ଦିଆଯାଇଥିଲା।

ନାରୀମାନଙ୍କ ପ୍ରତି ବିଲ୍‌ ଗେଟସ୍‌ଙ୍କ ବ୍ୟବହାର ଭଲ ନଥିଲା ବୋଲି ଅଭିଯୋଗ ହେଉଛି। ମାଇକ୍ରୋସଫ୍ଟ ଓ ବିଲ୍ ଆଣ୍ଡ୍‌ ମେଲିଣ୍ଡା ଗେଟସ୍‌ ଫାଉଣ୍ଡେସନ ପାଇଁ ଯେଉଁ ମହିଳାମାନ କାର୍ଯ୍ୟ କରୁଥିଲେ ସେମାନଙ୍କୁ ସେ ଏକ ପ୍ରକାର ନିର୍ଯ୍ୟାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ଏ ସମ୍ପର୍କିତ ଏକ ରିପୋର୍ଟ ଦି ନ୍ୟୁୟର୍କ ଟାଇମସ୍‌ରେ ପ୍ରକାଶ ପାଇଥିଲା। ଏହାର କିଛି ଦିନ ପୂର୍ବରୁ ଆଉ ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ ‌ଯୌନ ଅପରାଧୀଙ୍କ ସହ ବିଲ୍ ଗେଟସ୍‌ଙ୍କ ସମ୍ପର୍କ ଥିଲା। ସେ ନ୍ୟୁଡ୍‌ ପାର୍ଟି ପରିଦର୍ଶନ କରୁଥିଲେ। ଷ୍ଟ୍ରିପ୍ କ୍ଲବ୍‌ରୁ ଘରକୁ ମଡେଲ୍‌ ଆଣି ତାଙ୍କ ସହିତ ଉଲଗ୍ନ ହୋଇ ସନ୍ତରଣ କରୁଥିଲେ। ମାଇକ୍ରୋସଫ୍ଟ ପ୍ରତିଷ୍ଠା ହେବା ସମୟରେ ତାଙ୍କର ଏହି ଅଭ୍ୟାସ ରହିଛି ବୋଲି ରିପୋର୍ଟରେ ଦାବି କରାଯାଇଥିଲା।

ସମ୍ବନ୍ଧିତ ଖବର