ଭାରତର କୋଭିଡ୍‌ ପରିଚାଳନାକୁ ବିଲ୍‌ ଗେଟ୍‌ସଙ୍କ ପ୍ରଶଂସା

ଧନୀ ଦେଶ ତୁଳନାରେ ଟିକା ଅନୁପାତ ଅଧିକ

ହାଇଦ୍ରାବାଦ : କରୋନା ମହାମାରୀକୁ ଭାରତ ଯେଉଁଭଳି ଭାବେ ପରିଚାଳନା କରିଛି ତାହାକୁ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ପ୍ରଶଂସା କରିଛନ୍ତି। କେବଳ ସେତିକି ନୁହେଁ ବିଶ୍ବରେ ଏହି ମହାମାରୀ ବିରୋଧରେ ଲଢ଼େଇରେ ଭାରତର ଭୂମିକାରେ ମଧ୍ୟ ଶତମୁଖ ହୋଇ ଉଠିଛନ୍ତି। ଭାରତରେ ମୁଖ୍ୟତଃ ଦୁଇଟି ଭିନ୍ନ ଜିନିଷ ହୋଇଛି। ପ୍ରଥମଟି ହେଲା ଗେଟ୍‌ ଫାଉଣ୍ଡେସନ ଓ ଅନ୍ତର୍ଜାତୀୟ ସହଯୋଗୀଙ୍କ ସହ ମିଶି ଭାରତ ଟିକା ପ୍ରସ୍ତୁତ କରିଛି। ଦ୍ବିତୀୟଟି ହେଲା ଭାରତରେ ଯେଉଁ ସଂଖ୍ୟକ ଟିକା ଦିଆଯାଇଛି ତାହା ଆକର୍ଷଣୀୟ। ଏପରିକି ଏହି ସଂଖ୍ୟା ଅଧିକାଂଶ ଧନୀ ଦେଶ ତୁଳନାରେ ଭଲ ଏବଂ ଉଲ୍ଲେଖନୀୟ। ଟିକାର ବିକାଶ ଏବଂ ଉତ୍ପାଦନ କାର୍ଯ୍ୟକୁ ଭାରତ ଭଲ ଭାବେ ପରିଚାଳିତ କରିଛି। ଏଥିଯୋଗୁ ବହୁସଂଖ୍ୟାରେ ଜୀବନ ବଞ୍ଚିଯାଇଛି।

ଦୁଇ ଦିନିଆ ବାୟୋଏସିଆ ୨୦୨୨ ସମ୍ମିଳନୀର ପ୍ରଥମ ଦିନରେ ତେଲେଙ୍ଗାନା ଆଇଟି ମନ୍ତ୍ରୀ କେ ଟି ରାମା ରାଓଙ୍କ ସହିତ ଭର୍ଚୁଆଲ ମୋଡ୍‌ରେ ଅଣଆନୁଷ୍ଠାନିକ ଆଲୋଚନାବେଳେ ଗେଟ୍‌ସ ଏହା କହିଛନ୍ତି। କେବଳ କରୋନା ନୁହେଁ ଆଗାମୀ ଦିନରେ ଏଚଆଇଭି, ଯକ୍ଷ୍ମା, ମାଲେରିଆ ଆଦି ପାଇଁ ଏମଆରଏନଏ ଭଳି ନୂଆ ପ୍ଲାଟଫର୍ମ ବ୍ୟବହାର କରି ଉତ୍ତମମାନର ଟିକା ବିକାଶରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଗେଟ୍‌ସ ଆଶାବ୍ୟକ୍ତ କରିଛନ୍ତି। ଭବିଷ୍ୟତ ମହାମାରୀ ପାଇଁ ଟିକା ପ୍ରସ୍ତୁତ କ୍ଷମତା ବିକାଶ ପାଇଁ ତାଙ୍କ ପ୍ରତିଷ୍ଠାନ ଭାରତରେ ଅନ୍ୟମାନଙ୍କ ସହ ମିଶି କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। ସେ ଏହି ଅବସରରେ ଭାରତ ବାୟୋଟେକ, ବାୟୋଲୋଜିକାଲ ଇ ଏବଂ ସିରମ୍ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆର ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର