ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଆସନ୍ତା ୨୦ ବର୍ଷରେ ନିଜର ପ୍ରାୟ ସବୁ ସମ୍ପତ୍ତି ଦାନ କରିବାକୁ ଘୋଷଣା କରିଛନ୍ତି। ସେ ଜଣାଇଛନ୍ତି ଯେ ‘ଗେଟ୍ସ ଫାଉଣ୍ଡେସନ’ ଜରିଆରେ ଗତ ୨୫ ବର୍ଷ ଭିତରେ ସେ ୧୦,୦୦୦ କୋଟି ଡଲାର ଦାନ କରିଛନ୍ତି। ଆଗାମୀ ୨୦ ବର୍ଷରେ ସେ ଦାନ ପରିମାଣ ଦ୍ବିଗୁଣିତ କରିବେ। ସେହି ପାଣ୍ଠିକୁ ସାରା ବିଶ୍ବରେ ଲୋକଙ୍କ ଜୀବନ ବଞ୍ଚାଇବା ଓ ଉନ୍ନତି ଆଣିବାରେ ବ୍ୟବହାର କରାଯିବ। ୨୦୪୫ ଡିସେମ୍ବର ୩୧ରେ ଗେଟ୍ସ ଫାଉଣ୍ଡେସନ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ସେ କହିଛନ୍ତି।
ବର୍ତ୍ତମାନ ଗେଟ୍ସଙ୍କ ୧୦,୮୦୦ କୋଟି ଡଲାର ସମ୍ପତ୍ତି ରହିଛି। ୨୦୪୫ ସୁଦ୍ଧା ତାହା ଦାନ ଯୋଗୁଁ ୯୯ ପ୍ରତିଶତ ହ୍ରାସ ପାଇବ। ଚଳିତ ବର୍ଷ ଏହି ନିଷ୍ପତ୍ତି ନେବା ପଛର କାରଣ ସମ୍ପର୍କରେ ସେ କହିଛନ୍ତି ଯେ ଚଳିତ ବର୍ଷ ମୋ ବାପାଙ୍କୁ ୧୦୦ ବର୍ଷ ହେବ, ମାଇକ୍ରୋସଫ୍ଟ ୫୦ ବର୍ଷରେ ପଦାର୍ପଣ କରିବ ଓ ମୋତେ ୭୦ ବର୍ଷ ହେବ। ପ୍ରତିରୋଧ ହୋଇପାରୁଥିବା କୌଣସି ରୋଗ ପାଇଁ ସାରା ବିଶ୍ବରେ କୌଣସି ମା’ କିମ୍ବା ଶିଶୁର ମୃତ୍ୟୁ ହେବ ନାହିଁ ବୋଲି ସେ ସଂକଳ୍ପ ନେଇଛନ୍ତି। ଦୁନିଆର ଆଗାମୀ ପିଢ଼ି କୌଣସି ସଂକ୍ରାମକ ରୋଗ ନେଇ ଆଗକୁ ବଢ଼ିବ ନାହିଁ। କୋଟି କୋଟି ଲୋକ ଦାରିଦ୍ର୍ୟମୁକ୍ତ ହେବେ ବୋଲି ଗେଟ୍ସ ନିଜ ବ୍ଲଗ୍ରେ ଲେଖିଛନ୍ତି।