ବିଲ୍‌ ଗେଟ୍‌ସ ଉଲଗ୍ନ ପାର୍ଟି ଆୟୋଜନ କରୁଥିଲେ, ଯୌନ ଅପରାଧୀଙ୍କ ସହ ମିଶୁଥିଲେ

ନୂଆଦିଲ୍ଲୀ: ସାରା ବିଶ୍ବକୁ ଚମକାଇ ଦେଇଥିବା ଖବର ମାଇକ୍ରୋସଫ୍‌ଟ ମୁଖ୍ୟ ବିଲ୍‌ ଗେଟସ୍‌ ଓ ପତ୍ନୀ ମେଲିଣ୍ଡା ଗେଟସ୍‌ଙ୍କ ବିବାହ ବିଚ୍ଛେଦ ଘୋଷଣା ହେବା ପରଠାରୁ ବିଲ୍ ଗେଟସ୍‌ଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ବିଲ୍‌ଙ୍କ ଜୀବନୀ ଉପରେ ଦୁଇଟି ପୁସ୍ତକ ରଚନା କରିଥିବା ଜେମସ୍‌ ୱାଲେସ୍‌ କିଛି ‌ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ସେ ଉଲଗ୍ନ ପାର୍ଟି ଆୟୋଜନ କରିବାକୁ ପସନ୍ଦ କରୁଥିଲେ। ବିବାହ ବିଚ୍ଛେଦ ପରେ ସେ ପୁଣି ସେଭଳି ପାର୍ଟି ଆୟୋଜନ କରିବା ଆରମ୍ଭ କରିଥାଇପାରନ୍ତି ବୋଲି ୱାଲେସ୍‌ କହିଛନ୍ତି।

ମାଇକ୍ରୋସଫ୍ଟ ଆରମ୍ଭ ହେବା ବେ‌ଳେ ବିଲ୍ ଗେଟସ୍‌ ଓ ତାଙ୍କ ସହକର୍ମୀମାନେ ପିଜ୍ଜା ଖାଇ ଦୁଇ ତିିନି ଦିନ ପର୍ଯ୍ୟନ୍ତ ସଫ୍‌ଟଓୟାର କୋଡ୍ ଉପରେ କାମ କରୁଥିଲେ। ଏହା ପରେ ସେମାନେ ପାର୍ଟି ଆୟୋଜନ କରୁଥିଲେ। ସେମାନେ ସିଆଟଲ୍‌ରୁ ଷ୍ଟ୍ରିପର୍‌ (ବସ୍ତ୍ର ଓହ୍ଲାଇ ଅଙ୍ଗ ପ୍ରଦର୍ଶନକାରୀ)ଙ୍କୁ ଆଣି ବିଲ୍ ଗେଟସ୍‌ଙ୍କ ଘରେ ପାର୍ଟି କରୁଥିଲେ। ସେ ସିଆଟଲ୍‌ରେ ଥିବା ନ୍ୟୁଡ୍‌ ନାଇଟ୍‌କ୍ଲ୍‌ବ୍‌ ଯାଉଥିଲେ। ସେଠାରୁ ନୃତ୍ୟାଙ୍ଗନାମାନଙ୍କୁ ନିଜ ଘରକୁ ଆଣୁଥିଲେ ଏବଂ ନିଜ ବନ୍ଧୁମାନଙ୍କ ସହ ମିଶି ‌ଉଲଗ୍ନ ହୋଇ ସେମାନଙ୍କ ସହ ନିଜ ଘର ଭିତରେ ଥିବା ସ୍ବିମିଂ ପୁଲ୍‌ରେ ସନ୍ତରଣ କରୁଥିଲେ ବୋଲି ୱାଲେସ୍‌ କହିଛନ୍ତି।

୧୯୮୮ରେ ମେଲିଣ୍ଡାଙ୍କ ସହ ଗେଟସ୍ ସମ୍ପର୍କ ଯୋଡ଼ିବା ପଦକ୍ଷେପ ନେଇଥିଲେ। ତାଙ୍କୁ ଡେଟିଂ କରୁଥିବା ବେ‌ଳେ ମଧ୍ୟ ଗେଟସ୍‌ଙ୍କ ପୁରୁଣା ଅଭ୍ୟାସ ଜାରି ରହିଥିଲା। କାମରେ ମେଲିଣ୍ଡା ବାହାରକୁ ଯାଉଥିବା‌ ବେଳେ ଗେଟସ୍‌ଙ୍କ ପୁରୁଣା ଅଭ୍ୟାସ ବାହାରୁଥିଲା। ମହିଳାମାନଙ୍କ ପ୍ରତି ଗେଟସ୍‌ଙ୍କ ଆସକ୍ତିକୁ ନେଇ ବିଲ୍ ଓ ମେଲିଣ୍ଡାଙ୍କ ସମ୍ପର୍କ ଅନେକ ସମୟରେ ଖରାପ ସମୟ ଦେଇ ଗତି କରିଥିଲା। ଏକ ସମୟରେ ସେମାନେ ବର୍ଷକ ପର୍ଯ୍ୟନ୍ତ ପରସ୍ପର ସହ ମିଳାମିଶା କରିନଥିଲେ। କିନ୍ତୁ ୧୯୯୨ରେ ସେମାନେ ପୁଣି ଏକତ୍ର ହୋଇଥିଲେ ଏବଂ ସେମାନଙ୍କ ସମ୍ପର୍କ ଅଧିକରୁ ଅଧିକ ମଜଭୂତ ହୋଇଥିଲା।ବିଲ୍‌ ଓ ମେଲିଣ୍ଡା ଗେଟସ୍‌ଙ୍କ ବିବାହ ବିଚ୍ଛେଦ ଘୋଷଣା ଅକସ୍ମାତ ନଥିଲା।

୨୦୧୯ରୁ ଏନେଇ ଉଦ୍ୟମ ଆରମ୍ଭ ହୋଇଥିଲା। ବିଲ୍ ଗେଟସ୍‌ଙ୍କ ପତ୍ନୀ ମେଲିଣ୍ଡା ୨୦୧୯ ଅକ୍ଟୋବରୁ ବିଭିନ୍ନ ଆଇନଜୀବୀଙ୍କୁ ଭେଟି ଏବିଷୟରେ ଆଲୋଚନା ଆରମ୍ଭ କରିଥିଲେ। ଦୋଷୀ ସାବ୍ୟସ୍ତ ହୋଇଥିବା ଯୌନ ଅପରାଧୀ ‌ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ବିଲ୍‌ ଗେଟସ୍‌ଙ୍କ ସମ୍ପର୍କକୁ ନେଇ ମେଲିଣ୍ଡା ଖପ୍ପା ଥିଲେ। ଏପ୍‌ଷ୍ଟିନ୍‌ଙ୍କ ସହ ବିଲ୍ ଗେଟସ୍‌ କୌଣସି ପ୍ରକାରରେ ଜଡ଼ିତ ରୁହନ୍ତୁ ତାହା ମେଲିଣ୍ଡା ଚାହୁନଥିଲେ। ୨୦୧୩ ପରଠାରୁ ବିଲ୍ ଗେଟସ୍‌ ଓ ଏପ୍‌ଷ୍ଟିନ୍‌ଙ୍କ ମଧ୍ୟରେ ଯୋଗାଯୋଗ ଆରମ୍ଭ ହୋଇଥିଲା। ଥରେ ‌ସେ ଏପ୍‌ଷ୍ଟିନ୍‌ଙ୍କ ନ୍ୟୁୟର୍କ ଟାଉନ୍‌ହାଉସ୍‌ରେ ରାତ୍ରୀରେ ଅନେକ ସମୟ ପର୍ଯ୍ୟନ୍ତ ରହିଥିଲେ। ଯୌନ ଅପରାଧରେ ଗିରଫ ହୋଇ ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ଏପ୍‌ଷ୍ଟିନ୍‌ଙ୍କ ଦେହାନ୍ତ ହୋଇଥିଲା।

ସମ୍ବନ୍ଧିତ ଖବର