ସଂସଦରେ ବିଲ୍‌ ଉପସ୍ଥାପିତ

ନୂଆଦିଲ୍ଲୀ: ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା ସରକାରୀ କର୍ମଚାରୀଙ୍କ ଭଳି ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ାଇବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ଏ ସମ୍ପର୍କିତ ବିଲ୍‌ ଆଜି ଲୋକସଭାରେ ଉପସ୍ଥାପନ କରାଯାଇଛି। ଶ୍ରମ ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗଓ୍ଵାର ପେମେଣ୍ଟ୍‌ ଅଫ୍‌ ଗ୍ରାଚୁଇଟି ବିଲ୍‌, ୨୦୧୭କୁ ସଂସଦରେ ଉପସ୍ଥାପନ କରିଛନ୍ତି।
ଗ୍ରାଚୁଇଟିର ପରିମାଣ କର୍ମଚାରୀ କାମ କରିଥିବା ପ୍ରତିଟି ବର୍ଷର ୧୫ ଦିନର ଦରମାକୁ ନେଇ ହିସାବ କରାଯାଏ। ଗ୍ରାଚୁଇଟିର ସର୍ବୋଚ୍ଚ ସୀମା ଏବେ ୧୦ ଲକ୍ଷ ଟଙ୍କା ରହିଛି ଯାହାକୁ ୨୦୧୦ରେ ନିର୍ଧାରଣ କରାଯାଇଥିଲା। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ନିମନ୍ତେ ସପ୍ତମ ବେତନ ଆୟୋଗ ସୁପାରିସ ଲାଗୁ କରାଯିବା ପରେ ସେମାନଙ୍କ ପାଇଁ ଗ୍ରାଚୁଇଟି ସୀମା ୧୦ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୨୦ ଲକ୍ଷ ଟଙ୍କା ହୋଇଛି। ଘରୋଇ କର୍ମଚାରୀଙ୍କୁ ମଧ୍ୟ ଏଭଳି ସୁବିଧା ପ୍ରଦାନ କରିବା ପାଇଁ ଏହି ବିଲ୍‌ ଆଗତ ହୋଇଛି। ପେମେଣ୍ଟ୍‌ ଅଫ୍‌ ଗ୍ରାଚୁଇଟି ଆକ୍ଟ, ୧୯୭୨କୁ କାରଖାନା, ଖଣି, ତୈଳ କ୍ଷେତ୍ର, ବନୀକରଣ, ବନ୍ଦର, ରେଳବାଇ କଂପାନି, ଦୋକାନ ଏବଂ ଅନ୍ୟ ପ୍ରତିଷ୍ଠାନରେ କାମ କରୁଥିବା କଂପାନିଗୁଡ଼ିକ ପାଇଁ ଲାଗୁ କରାଯାଇଥିଲା। ଯେଉଁ ପ୍ରତିଷ୍ଠାନରେ ୧୦ରୁ ଅଧିକ କର୍ମଚାରୀ ପାଞ୍ଚ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କାମ କରୁଛନ୍ତି, ସେମାନଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଥିଲା।
ଅଧିକ ପ୍ରସବକାଳୀନ ଛୁଟି ପ୍ରଦାନ କରିବାକୁ ମଧ୍ୟ ସରକାର ଚାହୁଁଛନ୍ତି। ପ୍ରସବକାଳୀନ ସୁବିଧା (ସଂଶୋଧନ) ବିଲ୍‌ ୨୦୧୭ ଜରିଆରେ ପ୍ରସବକାଳୀନ ଛୁଟି ପରିମାଣ ୧୨ ସପ୍ତାହରୁ ବଢ଼ାଇ ୨୬ ସପ୍ତାହ କରିବାର ଯୋଜନା ରହିଛି। ଦରଦାମ ବୃଦ୍ଧି ଦୃଷ୍ଟି ଦେଲେ ସରକାରୀ କର୍ମଚାରୀମାନଙ୍କ ଭଳି ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନଙ୍କ ବେତନ ବଢ଼ାଇବା ମଧ୍ୟ ଆବଶ୍ୟକ। ଗ୍ରାଚୁଇଟି ବିଲ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅବସର ପରବର୍ତି ସମୟ ପାଇଁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା।

ସମ୍ବନ୍ଧିତ ଖବର