ତାଳଚେର-ବିମଳାଗଡ଼ ପାଇଁ ଅର୍ଥ ପୁଣି କମିଲା, କ୍ରମାଗତ ୩ ବର୍ଷ ହେଲା ବଜେଟ୍‌ ଅର୍ଥ ହ୍ରାସ

୧୬ ବର୍ଷ ପରେ ବି ଆଖିଦୃଶିଆ ପ୍ରଗତି ନାହିଁ, ଜମି ଅଧିଗ୍ରହଣ ମୁଖ୍ୟ ପ୍ରତିବନ୍ଧକ

ରାଉରକେଲା/ଦେବଗଡ଼ : ବହୁ ପ୍ରତୀକ୍ଷିତ ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ କାର୍ଯ୍ୟ ନିର୍ଧାରିତ ସମୟରେ ଶେଷ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। କେନ୍ଦ୍ର ବଜେଟ୍‌ରେ ଏଥର ମଧ୍ୟ ଖୁବ୍‌ କମ୍ ଅର୍ଥ ଦିଆଯାଇଛି। ବିଗତ ଆର୍ଥିକ ବର୍ଷ ଅପେକ୍ଷା ଏଥର ୧୦ କୋଟି ଟଙ୍କା‌ କମ୍ ଦିଆଯାଇଥିବା ବେଳେ ଗତ ୩ ବର୍ଷ ହେଲା ଅନୁଦାନ ହ୍ରାସ ପାଉଥିବାରୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏଥର ତାଳଚେର- ବିମଳାଗଡ଼ ରେଳପଥ ପାଇଁ ଗତ ବଜେଟ୍‌ରେ ୧୫୦ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ଏଥର ମାତ୍ର ୧୪୦ କୋଟି ମଞ୍ଜୁର ହୋଇଛି। ୨୦୧୮-୧୯ରେ ୩୦୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ବଜେଟ୍‌ ଅର୍ଥ ଖର୍ଚ୍ଚ ହୋଇ ନ ପାରିବାରୁ କ୍ରମାଗତ ଅନୁଦାନକୁ କମାଇ ଦିଆଯାଉଥିବା କୁହାଯାଉଛି। ମାତ୍ର ଏଥର ରେଳ ବଜେଟ୍‌ରେ ଓଡ଼ିଶାକୁ ପୂର୍ବ ବର୍ଷ ତୁଳନାରେ ଅଧିକ ଅର୍ଥ ମିଳିଥିବା ବେଳେ ତାଳଚେର-ବିମଳାଗଡ଼ ରେଳପଥ ପାଇଁ ଖୁବ୍ କମ୍ ଅର୍ଥ ମଞ୍ଜୁର କରାଯାଇଛି।

ଜମି ଅଧିଗ୍ରହଣରେ ପ୍ରତିବନ୍ଧକ ଅନୁଦାନ ଖର୍ଚ୍ଚ ନହେବା ପ୍ରମୁଖ କାରଣ ବୋଲି କୁହାଯାଉଛି। ରେଳପଥ ପାଇଁ ପ୍ରାୟ ୨୦୮୮ ଏକର ଜମି ଆବଶ୍ୟକ ଥିବାବେଳେ ଏ ପର୍ଯ୍ୟନ୍ତ ମାତ୍ର ୪୬୬ ଏକର ଜମି ଅଧିଗ୍ରହଣ ହୋଇପାରିଛି। ୧୪୯.୭୮ କିମି ଏହି ରେଳପଥ ନିର୍ମାଣ ପାଇଁ ମୋଟ ୨୦୮୮.୭୭ ଏକର ଜମି ଆବଶ୍ୟକ। ସେଥିରୁ ଘରୋଇ ମାଲିକାନାରେ ଥିବା ୧୦୦୨.୬୧ ଏକର ଜମି ମଧୢରୁ ୨୯୮.୪୭ ଏକର ଜମି ଅଧିଗ୍ରହଣ କରା ଯାଇଥିବା ବେଳେ, ୭୦୪.୧୫ ଏକର ଜମି ଅଧିଗ୍ରହଣ ହେବାକୁ ବାକି ଅଛି। ୪୨୨.୩୮ ଏକର ସରକାରୀ ଜମି ମଧ୍ୟରୁ ମାତ୍ର ୧୦୯.୪୨ ଏକର ଜମି ଅଧିଗ୍ରହଣ ହୋଇଛି। ଆହୁରି ୩୧୨.୯୬ ଏକର ଜମିର ହସ୍ତାନ୍ତର କରିବାକୁ ବାକି ଅଛି। ସେହିପରି ୬୬୩.୭୮ ଏକର ଜଙ୍ଗଲ ଜମିର ଅଧିଗ୍ରହଣ ବାକିଥିବା ଥିବା ବେଳେ ଏ ପର୍ଯ୍ୟନ୍ତ ମାତ୍ର ୫୯.୩୧ ଏକର ଜମି ହସ୍ତାନ୍ତର କରାଯାଇଛି। ଆହୁରି ୬୦୪.୪୭ ଏକର ଜମି ରାଜ୍ୟ ସରକାର ହସ୍ତାନ୍ତର କରିବେ। ଆବଶ୍ୟକ ଜମିରୁ ବିଗତ ବର୍ଷ ଜୁନ୍ ମାସ ୫ ତାରିଖ ପର୍ଯ୍ୟନ୍ତ ୪୬୬.୭୯ ଏକର ଜମି ଅଧିଗ୍ରହଣ ହୋଇଥିବା ବେଳେ ୧୬୨୧.୭୦ ଏକର ଜମି ହସ୍ତାନ୍ତର କରିବାକୁ ବାକି ଅଛି।

ଏହି ରେଳପଥ ଅନୁଗୋଳ ଜିଲ୍ଲାରେ ୮୨.୬୫ କି.ମି, ଦେବଗଡ଼ ଜିଲ୍ଲାରେ ୩୨.୧ କି.ମି ଏବ˚ ସୁନ୍ଦରଗଡ଼ ଜିଲ୍ଲାରେ ୩୪.୭୩ କି.ମି ହେବ। ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବରୁ ଜମି ଅଧିଗ୍ରହଣ କାର୍ଯ୍ୟ ଠିକ୍‌ ଭାବେ ହୋଇ ପାରୁନଥିବା ଅଭିଯୋଗ ହୋଇ ଆସୁଛି। ତାଳଚେରଠାରୁ ୬୦ କି.ମି ପର୍ଯ୍ୟନ୍ତ ସମସ୍ତ ଘରୋଇ ଓ ସରକାରୀ ଜମି ଅଧିଗ୍ରହଣ କରି ରେଳବାଇକୁ ହସ୍ତାନ୍ତର କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। କିନ୍ତୁ ରେଳବାଇର ପ୍ରକଳ୍ପ ଅଧିକାରୀ ସେମାନେ ମୋଟ ୪୩ କି.ମି ପର୍ଯ୍ୟନ୍ତ ଜମି କହିଥିଲେ। ଗତ ୨୭ ଜୁଲାଇ ୨୦୧୫ରିଖରେ, ପରିବହନ ମନ୍ତ୍ରୀ ବିଧାନସଭାରେ ଦିଲୀପ ରାୟଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ପୂର୍ବତଟ ରେଳବାଇର ତାଳଚେର-ବିମଳାଗଡ଼ ରେଳପଥ ପାଇଁ ସମସ୍ତ ଜମି ୬ ମାସ ମଧୢରେ ଅଧିଗ୍ରହଣ କରି ହସ୍ତାନ୍ତର କରାଯିବ। ୧୦୧୪ ଜୁଲାଇ ୧୭ ତାରିଖ ଦିନ ଦିନ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରମେଶ ମାଝି, ଓଡ଼ିଶା ବିଧାନ ସଭାରେ କହିଥିଲେ ଯେ ଜୁନ ମାସ ୨୦୧୫ ସୁଦ୍ଧା, ସମସ୍ତ ଜମି ପୂର୍ବତଟ ରେଳପଥକୁ ଯୋଗାଇ ଦିଆଯିବ। କିନ୍ତୁ ଏପର୍ଯ୍ୟନ୍ତ ଜମି ଅଧିଗ୍ରହଣରେ ଆଖିଦୃଶିଆ ଅଗ୍ରଗତି ‌ହୋଇନାହିଁ।

ଏହି ରେଳପଥ ନିର୍ମାଣ ପାଇଁ ୧୯୬୯ ମସିହାରୁ ରାଉରକେଲା ଛାତ୍ର କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ କରି ଆସୁଛି। ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସି˚ହଦେଓ ଛାତ୍ରମାନଙ୍କ ଯଥାର୍ଥ ଦାବିକୁ ହୃଦୟଙ୍ଗମ କରି ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରି ରେଳପଥ ନିର୍ମାଣ ଶୀଘ୍ର ଆରମ୍ଭ କରିବାକୁ ଅନୁରୋଧ କରିଥିଲେ। ଏହାପରେ ଓଡ଼ିଶା ସରକାର ନିରବ ରହିଗଲେ। ୨୦୦୩-୦୪ ମସିହା‌ରେ ଏହି ରେଳପଥ କ୍ୟାବିନେଟ ଅନୁମୋଦନ ଲାଭ କଲା। କିନ୍ତୁ ଦୀର୍ଘ ୧୬ବର୍ଷ ପରେ ବି ସରକାର ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରି ପାରିଲେ ନାହିଁ। ଏହି ରେଳପଥ ମାର୍ଚ୍ଚ ୨୦୧୦ରେ ସ˚ପୂର୍ଣ୍ଣ କରିବାକୁ ପ୍ରଥମେ ସ୍ଥିର କରା ଯାଇଥିଲା। ପ୍ରତିବର୍ଷ ଏହାର ସମୟ ସୀମା ବଢ଼ାଇ ବଢ଼ାଇ ଗତ ବଜେଟ୍‌ରେ ମାର୍ଚ୍ଚ ୨୦୨୨କୁ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଯେଉଁଭଳି କାମ ଚାଲିଛି ଏବଂ ବଜେଟ୍‌ରେ ଯେତିକି ଅର୍ଥ ମିଳିଛି, ତାହା ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହେବା ସହଜ ମନେ ହେଉନାହିଁ।

ସମ୍ବନ୍ଧିତ ଖବର