ଭୁବନେଶ୍ବର: ବଞ୍ଚିତ ବର୍ଗ ଓ ଗ୍ରାମାଞ୍ଚଳରେ ପହଞ୍ଚିବା ଲାଗି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ବଢ଼ାଇବା ଏବଂ ସୁଲଭ ମୂଲ୍ୟରେ ଶିକ୍ଷା ଉପଲବ୍ଧ କରାଇବା ଜରୁରୀ ବୋଲି ପ୍ରଥମ ଏଜୁକେସନ ଫାଉଣ୍ଡେସନର ସିଇଓ ଡକ୍ଟର ରୁକ୍ମିଣୀ ବାନାର୍ଜୀ କହିଛନ୍ତି। ବଂଶୀଧର ଆଣ୍ଡ୍ ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ୍) ପକ୍ଷରୁ ଫିକି-ଆଦିତ୍ୟ ବିର୍ଲା ସିଏସଆର୍ ସେଣ୍ଟର୍ ଫର ଏକ୍ସଲେନ୍ସର ମିଳିତ ସହଯୋଗରେ ଆୟୋଜିତ ଆଇଡିଏଟ୍ ୨୦୨୨ରେ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି।
‘ପାରାଡାଇମ୍ ସିଫ୍ଟ ଇନ୍ ଏଜୁକେସନ ଲ୍ୟାଣ୍ଡ୍ସ୍କେପ୍-ବ୍ଲେଣ୍ଡେଡ୍ ପେଡାଗୋଗି’ ବିଷୟବସ୍ତୁ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମରେ ଏସ୍ଆର୍ଏଫ୍ ଫାଉଣ୍ଡେସନର ନିର୍ଦେଶକ ଡକ୍ଟର ୱାଇ ସୁରେଶ ରେଡ୍ଡି, ଏଚ୍ସିଏଲ୍ ଫାଉଣ୍ଡେସନର ଲିଡ୍-ଆର୍ଲି ଚାଇଲ୍ଡହୁଡ୍ କେୟାର ଆଣ୍ଡ୍ ଡେଭେଲପ୍ମେଣ୍ଟ୍ ଡକ୍ଟର ନୀଳିମା ଚୋପ୍ରା, ଲିଡର୍ସିପ୍ ଫର ଇକ୍ବିଟିର ପ୍ରତିଷ୍ଠାତା ମଧୁକର ବାନୁରି ଏବଂ ଏନ୍ସିଇଆର୍ଟିର ପୂର୍ବତନ ନିର୍ଦେଶକ ପ୍ରଫେସର ହୃଷିକେଶ ସେନାପତି ମଧ୍ୟ ଅଂଶଗ୍ରହଣ କରିଥିଲେ। ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧିର ଆବଶ୍ୟକତା ରହିଛି ବୋଲି ଡକ୍ଟର ରେଡ୍ଡି କହିଥିଲେ। ପ୍ରଯୁକ୍ତିକୁ ବ୍ୟବହାର କରି ସମାଜର ସବୁ ବର୍ଗ ପାଖରେ ଶିକ୍ଷାର ଲାଭ ପହଞ୍ଚାଇବା ଲାଗି ଉଦ୍ୟମ ହେବା ଦରକାର ବୋଲି ଡକ୍ଟର ଚୋପ୍ରା କହିଥିଲେ। ଜାତୀୟ ପାଠ୍ୟକ୍ରମ ଫ୍ରେମ୍ୱର୍କ ଜରିଆରେ ପାଠପଢ଼ାରେ ନୂଆ ବିଷୟ ଯୋଡ଼ିବା ଲାଗି ଉଦ୍ୟମ କରାଯାଉଥିବା ଶ୍ରୀ ସେନାପତି କହିଛନ୍ତି। ବିଆଇପିଏଫ୍ର ଟ୍ରଷ୍ଟି ଓ ସିଇଓ ଶୈଫାଳିକା ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିବା ସହ ଜାତୀୟ ଶିକ୍ଷା ନୀତି ୨୦୨୦ରେ ଥିବା ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ।