ନୂଆଦିଲ୍ଲୀ: ଦିଲ୍ଲୀ, ମୁମ୍ବାଇ ସମେତ ଦେଶର ବିମାନବନ୍ଦରଗୁଡ଼ିକରେ ପକ୍ଷୀ ଉଡ଼ିବା ସମସ୍ୟାକୁ ଦୂର କରିବା ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ତଥ୍ୟ ଅନୁଯାୟୀ, ୨୦୨୪ ସେପ୍ଟେମ୍ବରରେ ବିମାନରେ ପକ୍ଷୀ ଧକ୍କା ହେବା ଘଟଣା ପ୍ରତି ୧୦ ହଜାର ବିମାନରେ ୯.୬୮କୁ ବୃଦ୍ଧି ପାଇଛି। ଦୁଇବର୍ଷ ପୂର୍ବେ ଏହି ସଂଖ୍ୟା ୪.୨୬ ରହିଥିଲା। ଗତବର୍ଷ ଅଗଷ୍ଟରେ ଗୋଆର ଡାବୋଲିମ ବିମାନବନ୍ଦରରେ ଏୟାର ଇଣ୍ଡିଆର ଏକ ବିମାନରେ ପକ୍ଷୀ ମାଡ଼ ହେବାଦ୍ବାରା ଉଡ଼ାଣକୁ ବାତିଲ କରାଯାଇଥିଲା। ପକ୍ଷୀ ବାଜିବା ପରେ ବିମାନର ଇଞ୍ଜିନରୁ ଧୂଆଁ ବାହାରିବା ଫଳରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା।
ଡିଜିସିଏର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ବିମାନବନ୍ଦରଗୁଡ଼ିକୁ ବିମାନରେ ପକ୍ଷୀ ମାଡ଼ ହେବା ଜନିତ ବିପଦ ଏବଂ ଏହାକୁ କିଭଳି ହ୍ରାସ କରାଯାଇ ପାରିବ ତାହାର ପୁନଃଆକଳନ କରିବାକୁ କୁହାଯାଇଛି। ଦକ୍ଷିଣ କୋରିଆର ମୁଆନ୍ ବିମାନବନ୍ଦରରେ ଜେଜୁ ଏୟାର ବିମାନର ଭୟଙ୍କର ଦୁର୍ଘଟଣା ପରେ ଏଭଳି ନିର୍ଦ୍ଦେଶନାମା ବିମାନବନ୍ଦରଗୁଡ଼ିକୁ ଦିଆଯାଇଛି। ସହରାଞ୍ଚଳରେ ଲୋକସଂଖ୍ୟା ବଢ଼ିବା ଫଳରେ ବିମାନବନ୍ଦର ନିକଟରେ ମଧ୍ୟ ଜନବସତି ବୃଦ୍ଧି ପାଇବାରେ ଲାଗିଛି। ଲୋକମାନେ ବାସ କରୁଥିବା ଅଞ୍ଚଳ ନିକଟରେ ବଳକା ଖାଦ୍ୟ ଏବଂ ମରି ଯାଉଥିବା ପଶୁପକ୍ଷୀଙ୍କୁ ଫିଙ୍ଗି ଦେଉଛନ୍ତି। ଖାଦ୍ୟ ଅନ୍ବେଷଣରେ ଥିବା ପକ୍ଷୀମାନେ ଏସବୁକୁ ଖାଇବା ପାଇଁ ବିଭିନ୍ନ ସ୍ଥାନରୁ ଆସିଥାନ୍ତି। ଏଥିଯୋଗୁ ବିମାନବନ୍ଦରଗୁଡ଼ିକରେ ପକ୍ଷୀଜନିତ ବିପଦ ବୃଦ୍ଧି ପାଇଥାଏ। ଅଧିକାରୀଙ୍କ କହିବାନୁଯାୟୀ ବିମାନବନ୍ଦର ନିକଟରେ ଅଳିଆ ଫିଙ୍ଗିବା ଏବଂ ପ୍ରାଣୀମାନଙ୍କୁ ହତ୍ୟା କରିବା ଉପରେ କଟକଣା ରହିଛି।
ବିମାନ ଇଞ୍ଜିନିୟରଙ୍କ ମତରେ, ଉଡ଼ାଣ ପାଇଁ ଅନୁମତି ପାଇବା ପୂର୍ବରୁ ସମସ୍ତ ବାଣିଜ୍ୟିକ ବିମାନ ପକ୍ଷୀ ଧକ୍କା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ। କାରଣ ବିମାନରେ ପକ୍ଷୀ ମାଡ଼ ଅନେକ ସମୟରେ ସ୍ଥିତିକୁ ଗମ୍ଭୀର କରିପାରେ। ଦିଲ୍ଲୀ ହେଉଛି ଭାରତର ସବୁଠୁ ବ୍ୟସ୍ତବହୁଳ ବିମାନବନ୍ଦର। ୨୦୨୩ରେ ଏହି ବିମାନବନ୍ଦରରେ ୧୬୯ଟି ପକ୍ଷୀମାଡ଼ ଘଟଣା ଦେଖିବାକୁ ମିଳିଥିଲା। ତେବେ ଏଥିଯୋଗୁ ସେଭଳି କୌଣସି ବଡ଼ଧରଣର ଅଘଟଣ ଦେଖାଯାଇ ନାହିଁ। ଅବଶ୍ୟ ବେଙ୍ଗାଲୁରୁ ବିମାନବନ୍ଦରରେ କୌଣସି ପକ୍ଷୀମାଡ଼ ଗତ ୩ ବର୍ଷ ହେଲା ହୋଇନାହିଁ। ବିମାନବନ୍ଦରଗୁଡ଼ିକ ବିମାନରେ ପକ୍ଷୀ ଧକ୍କା ଘଟଣାକୁ ଅଧିକ ବିଜ୍ଞାନସମ୍ମତଭାବେ ରୋକିବା ଲାଗି ପ୍ରଚେଷ୍ଟା କରୁଛନ୍ତି। ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ଏଥିପାଇଁ ଏକ ୧୪ ଜଣିଆ କମିଟି ଗଠନ କରାଯାଇଛି। ଅବଶ୍ୟ ବିମାନବନ୍ଦରରେ ପକ୍ଷୀ ଘଉଡ଼ାଇବା ପାଇଁ ପୂର୍ବରୁ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ଫୋଟକା, ଚଢ଼େଇକୁ ଡରାଇବା ପାଇଁ ଉଦ୍ଦିଷ୍ଟ ବନ୍ଧୁକ ଓ ଅନ୍ୟାନ୍ୟ ସମାଗ୍ରୀର ବ୍ୟବହାର କରାଯାଉଛି।