ଭୁବନେଶ୍ବର: ବିର୍ଲା ଫର୍ଟିଲିଟି ଆଣ୍ଡ୍‌ ଆଇଭିଏଫ୍‌ ପକ୍ଷରୁ ଆଇଏସ୍‌ଏଆର୍‌ ଓଡ଼ିଶା ଶାଖା ସହଯୋଗରେ ବାର୍ଷିକ ସିଏମ୍‌ଇ ସମ୍ମିଳନୀକୁ ଭୁବନେଶ୍ବରରେ ଆୟୋଜନ କରାଯାଇଛି। ଏଥିରେ ଡାକ୍ତର ପି ସି ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରାମାଞ୍ଚଳରେ ଦେଖାଦେଉଥିବା ନିଃସନ୍ତାନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ପୂର୍ବରୁ ସହରାଞ୍ଚଳ ଓ ବିଶେଷ କରି ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ନିଃସନ୍ତାନ ସମସ୍ୟା ଅଧିକ ଥିଲା। କିନ୍ତୁ, ଏବେ ଗ୍ରାମାଞ୍ଚଳରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳୁଛି। ତେଣୁ ଗ୍ରାମାଞ୍ଚଳରୁ ଆସୁଥିବା ରୋଗୀମାନଙ୍କ ମଧ୍ୟରେ ନିଃସନ୍ତାନ ସମସ୍ୟାର ସମାଧାନ ନେଇ ରହିଥିବା ଉନ୍ନତ ଚିକିତ୍ସା ପଦ୍ଧତି ଉପରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତ‌ା ରହିଛି ବୋଲି ସେ କହିଥିଲେ।

Advertisment

 କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ‘ନିଃସନ୍ତାନ ସମସ୍ୟା ସମାଧାନରେ ନିକଟରେ ହୋଇଥିବା ଉନ୍ନତି ଓ ଉଚ୍ଚ ବିପଦ ଗର୍ଭଧାରଣ ପରିଚାଳନା’। ଏଥିରେ ବିର୍ଲା ଫର୍ଟିଲିଟି ଆଣ୍ଡ୍‌ ଆଇଭିଏଫ୍‌ର ଏଆର୍‌ଏମ୍‌ସି ଡ. କେ ୟୁ କୁଞ୍ଜୁମୋଇଦିନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଭିଏଫ୍‌ ଚିକିତ୍ସା‌ର ବିଶ୍ବ ଓ ଭାରତ ଦୃଶ୍ୟପଟ୍ଟ ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ। ଏହି ଦିବସବ୍ୟାପୀ କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟ ଉପରେ ଭିନ୍ନ ଭିନ୍ନ ଅଧିବେଶନ ଆୟୋଜିତ ହୋଇଥିଲା। ଏହି ଅବସରରେ ଆଇଏସ୍‌ଏଆର୍‌ ଓଡ଼ିଶା ଶାଖାର ଅଧ୍ୟକ୍ଷ ଡ. ରଜତ ରାୟ, ସମ୍ପାଦିକା ଡ. ମଧୁସ୍ମିତା ମହାନ୍ତି, ବିର୍ଲା ଫର୍ଟିଲିଟି ଆଣ୍ଡ୍‌ ଆଭିଏଫ୍‌ର ଭୁବନେଶ୍ବର କେନ୍ଦ୍ର ମୁଖ୍ୟ ଡାକ୍ତର ଲିପ୍‌ସା ମିଶ୍ର, ବରିଷ୍ଠ କନସଲ୍‌ଟାଣ୍ଟ ଡାକ୍ତର ରୋହିଣୀ ନାୟକ, କନ୍‌ସଲ୍‌ଟାଣ୍ଟ ଡାକ୍ତର ରୋସ୍‌ମିନ୍ ସାହୁ ଓ ଡାକ୍ତର ସୁମିତ୍ରା ମାନସିଂହ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସାରା ଓଡ଼ିଶାରୁ ୧୫୦ରୁ ଅଧିକ ଡାକ୍ତର ଯୋଗଦେଇଥିଲେ।