ସରକାରଙ୍କୁ ବିର୍ଲାଙ୍କ ଚିଠି: ମୋ ଅଂଶଧନ ନେଇ ଭୋଡାଫୋନ୍ ଆଇଡିଆକୁ ବଞ୍ଚାଅ

ଚିଠି ଦେବା ପରେ କଂପାନି ହରାଇଲା ୨୭୦୦ କୋଟି

ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭୋଡାଫୋନ୍ ଆଇଡିଆକୁ ବଞ୍ଚାଇବା ଲାଗି ଆଗକୁ ଆସିଛନ୍ତି ବିର୍ଲା ଗ୍ରୁପ୍‌ର ମୁଖ୍ୟ କୁମାର ମଙ୍ଗଳମ୍ ବିର୍ଲା। ଏହି ଟେଲିକମ୍ ସଂସ୍ଥାରେ ଥିବା ନିଜ ଅଂଶଧନ ସେ ସରକାର କିମ୍ବା ଅନ୍ୟ ଯେ‌କୌଣସି ସଂସ୍ଥାକୁ ଦେବାକୁ ରାଜି ଅଛନ୍ତି। ଏହା ସହିତ କଂପାନିର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ମଧ୍ୟ ସେ ଅନ୍ୟ ଦେବାକୁ ପ୍ରସ୍ତୁତ ଅଛନ୍ତି। ଯେକୌଣସି ଉପାୟରେ ଏହି କଂପାନି ବନ୍ଦ ହେବାରୁ ରକ୍ଷା ପାଉ ବୋଲି ସେ ଚାହୁଛନ୍ତି।

ନିଜ ପ୍ରସ୍ତାବ ବିଷୟରେ ସେ କେନ୍ଦ୍ର କ୍ୟାବିନେଟ୍‌ ସଚିବ ରାଜୀବ ଗୌବାଙ୍କୁ ଅବଗତ କରିଛନ୍ତି। ଏକ ଚିଠି ଲେଖି ବିର୍ଲା ଜଣାଇଛନ୍ତି ଯେ ଭୋଡାଫୋନ୍ ଆଇଡିଆ ଉପରେ ଋଣ ଓ ଅନ୍ୟାନ୍ୟ ଦେୟ ବାବଦକୁ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ବକେୟା ରହିଛି। ଗତବର୍ଷ ସେପ୍ଟେମ୍ବରରେ କଂପାନି କର୍ତ୍ତୃପକ୍ଷ ୨୫ ହଜାର କୋଟି ଟଙ୍କା ଯୋଗାଡ଼ କରିବାକୁ ବାହାରିଥିଲେ। କିନ୍ତୁ ସରକାରଙ୍କ ସମର୍ଥନ ନଥିବାରୁ କୌଣସି ନିବେଶକ ଭୋଡାଫୋନ୍ ଆଇଡିଆରେ ନିବେଶ କରିବାକୁ ରାଜି ହୋଇନଥିଲେ। ଭୋଡାଫୋନ୍ ଆଇଡିଆ ସହ ଯୋଡ଼ି ହୋଇ ରହିଥିବା ୨୭ କୋଟି ଭାରତୀୟଙ୍କ ପ୍ରତି ନିଜର ଦାୟିତ୍ବ ନିର୍ବାହ କରିବା ଲାଗି ସେ ନିଜ ପାଖରେ ଥିବା ଅଂଶଧନ ଯେକୌଣସି ସରକାରୀ ସଂସ୍ଥା କିମ୍ବା ଅନ୍ୟ ଘରୋଇ ସଂସ୍ଥାକୁ ଦେବାକୁ ରାଜି ଅଛନ୍ତି। ଭୋଡାଫୋନ୍ ଆଇଡିଆରେ ବିର୍ଲାଙ୍କ ୨୭% ଅଂଶଧନ ଥିବା ବେଳେ ବ୍ରିଟେନ୍‌ର ଟେଲିକମ୍ ସଂସ୍ଥା ଭୋଡାଫୋନ୍‌ର ୪୪% ଅଂଶଧନ ରହିଛି। ବର୍ତ୍ତମାନ କଂପାନିର ସେୟାର ମୂଲ୍ୟ ଯାହା ରହିଛି ସେହି ଅନୁସାରେ ହିସାବ କଲେ ଭୋଡାଫୋନ୍ ଆଇଡିଆର ମୋଟ ବଜାର ମୂଲ୍ୟ ହେଉଛି ୨୪ ହଜାର କୋଟି ଟଙ୍କା। ବୁଡ଼ିବା ଦ୍ବାରଦେଶରେ ଥିବା ଏହି ସଂସ୍ଥାକୁ ନୂଆ ପାଣ୍ଠି ଦେବାକୁ ବିର୍ଲା କିମ୍ବା ଭୋଡାଫୋନ୍ ଚାହୁନାହାନ୍ତି। ବିର୍ଲା ନିଜ ଚିଠିରେ ଜଣାଇଛନ୍ତି ଯେ କିଛି ନିବେଶକ ଭୋଡାଫୋନ୍ ଆଇଡିଆରେ ନିବେଶ କରିବାକୁ ଚାହୁଛନ୍ତି। କିନ୍ତୁ ସେମାନଙ୍କର କିଛିଟା ସର୍ତ୍ତ ରହିଛି। ଦେଶରେ ତିନିଟି ଘରୋଇ ଟେଲିକମ୍ ସଂସ୍ଥା ରହୁ ବୋଲି ସରକାର ଚାହୁଛନ୍ତି ନା ନାହିଁ ତାହା ସେମାନେ ପ୍ରଥମେ ଜାଣିବାକୁ ଚାହୁଛନ୍ତି। ସରକାର ତୁରନ୍ତ ହସ୍ତକ୍ଷେପ ନକଲେ କଂପାନି ବନ୍ଦ ହେବା ଆଡ଼କୁ ଗତି କରିବ ବୋଲି ବିର୍ଲା କହିଛନ୍ତି।

ଗତ ଦଶନ୍ଧୀର ମଧ୍ୟ ଭାଗରେ ମୁକେଶ ଅମ୍ବାନିଙ୍କ ଟେଲିକମ୍ କଂପାନି ରିଲାଏନ୍ସ ଜିଓ ୪ଜି ସେବା ଆରମ୍ଭ କରିବା ପରେ ଦେଶରେ ଯେଉଁ ଝଡ଼ ସୃଷ୍ଟି ହୋଇଥିଲା ସେଥି‌ରେ କିଛି ପୁରୁଣା କଂପାନି ସବୁଦିନ ଲାଗି ବନ୍ଦ ହୋଇଯାଇଛନ୍ତି। ଭୋଡାଫୋନ୍ ଓ ଆଇଡିଆ ଭଳି ସଂସ୍ଥା ନିଜକୁ ବଞ୍ଚାଇବା ଲାଗି ପରସ୍ପର ସହ ମିଶିଯାଇଥିଲେ। ଏହି ମିଶ୍ରଣରେ ଭୋଡାଫୋନ୍ ଆଇଡିଆର ସୃଷ୍ଟି ହୋଇଥିଲା। କିନ୍ତୁ ଏହି କଂପାନିକୁ ବଞ୍ଚାଇବା ଲାଗି ‌ସେହିଦିନରୁ ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା ତାହା ଏବେବି ଜାରି ରହିଛି। ପ୍ରତି ମାସରେ ଭୋଡାଫୋନ୍ ଆଇଡିଆ ଏହାର ପୁରୁଣା ଗ୍ରାହକମାନଙ୍କୁ ହରାଉଛି। ନୂଆ ପାଣ୍ଠିର ଅଭାବ ଥିବାରୁ ଏହା ବହୁ ଦିନ ତିଷ୍ଠି କରିବା ସମ୍ଭବ ନୁହେଁ ବୋଲି କୁହାଯାଉଛି। ଯଦି ଭୋଡାଫୋନ୍ ଆଇଡିଆ ବନ୍ଦ ହୋଇଯିବ ତେବେ ଦେଶର ଟେଲିକମ୍ ବଜାର ଉପରେ ଜିଓ ଓ ଏୟାରଟେଲ୍‌ର ଆଧିପତ୍ୟ ରହିବ। କାରଣ ସରକାରୀ କଂପାନି ବିଏସ୍‌ଏନ୍‌ଏଲ୍‌ ମଧ୍ୟ ଆର୍ଥିକ ସ୍ତରରେ ସଂଘର୍ଷ କରୁଛି।

ବିର୍ଲାଙ୍କ ଚିଠି ଖବର ପ୍ରଚାର ହେବା ପରେ ଭୋଡାଫୋନ୍ ଆଇଡିଆ ୨୭୦୦ କୋଟି ଟଙ୍କାର କ୍ଷତି ସହିଛି। ଷ୍ଟକ ବଜାରରେ କଂପାନିର ସେୟାର ମୂଲ୍ୟ ୧୦% ହ୍ରାସ ପାଇବାରୁ କଂପାନି ଏହି କ୍ଷତି ସହିଛି। ଆଜି ଭୋଡାଫୋନ୍‌ର ଗ୍ଲୋବାଲ୍ ସିଇଓ ନିକ୍ ରିଡ୍‌ ଭୋଡାଫୋନ୍ ଆଇଡିଆ ସ୍ଥିତି ଉପରେ ମତ ରଖିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ଶାଖା କଂପାନିର ସ୍ଥିତି ବହୁତ ଖରାପ ରହିଛି। ଏହା ସତ୍ତ୍ବେ ଆମେ ସେହି କଂପାନିରେ ନୂଆ ପାଣ୍ଠି ଭର୍ତ୍ତି କରିବୁ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।

ସମ୍ବନ୍ଧିତ ଖବର