ନୂଆଦିଲ୍ଲୀ: ଭାରତୀୟମାନେ ଅନଲାଇନ୍‌ରେ କେଉଁ ଖାଦ୍ୟ ଅଧିକ ମଗାଉଛନ୍ତି ତାହାର ଚିତ୍ର ସାମ୍ନାକୁ ଆସିଛି। ଚିକେନ୍ ବିରିୟାନି ଖାଇବାକୁ ଲୋକମାନେ ଅଧିକ ପସନ୍ଦ କରୁଛନ୍ତି। ସେଥିପାଇଁ ତାହା ଅନଲାଇନ୍‌ ବରାଦର ଶୀର୍ଷ ସ୍ଥାନରେ ରହିଛି। ଖାଦ୍ୟ ଡେଲିଭରି କରୁଥିବା ସଂସ୍ଥା ଜୋମାଟୋ ତଥ୍ୟର ଅନୁଶୀଳନରୁ ଏହା ଜଣାପଡ଼ିଛି। ଲୋକମାନେ ଅନଲାଇନ୍‌ରେ ବିରିୟାନିଳ, ପିଜ୍ଜା, ଦକ୍ଷିଣ ଭାରତୀୟ ଭୋଜନ, ଡେଜର୍ଟ, ବର୍ଗର ଓ ରୋଲ୍ ଆଦି ଅଧିକ ମଗାଉଛନ୍ତି। ୨୦୨୨ ଜୁଲାଇରୁ ୨୦୨୩ ଜୁନ୍‌ ପର୍ଯ୍ୟନ୍ତର ଜୋମାଟୋ ତଥ୍ୟ ଅନୁଶୀଳନ କରିଥିବା ସଂସ୍ଥା ଜେଫେରିଜ୍ ଜଣାଇଛି ଯେ ଦିଲ୍ଲୀ ଏନ୍‌ସିଆର୍‌, ବେଙ୍ଗାଲୁରୁ, ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ, ପୁନେ, କୋଲକାତା ଓ ଅହମ୍ମଦାବାଦରେ ଅଧିକାଂଶ ଲୋକ ଅନଲାଇନ୍‌ରେ ବିରିୟାନି ବରାଦ କରୁଛନ୍ତି। ଜୋମାଟୋର ୫୫ ପ୍ରତିଶତ ବରାଦ ଏହି ସହରଗୁଡ଼ିକରୁ ଆସୁଛି। ଅଧିକାଂଶ ଖାଦ୍ୟର ହାରାହାରି ଦାମ୍ ୨୫୦ ଟଙ୍କାରୁ କମ୍ ରହିଛି।