ବେଙ୍ଗାଲୁରୁ: ପାନୀୟ ବୋତଲ କହିଲେ ଲୋକମାନଙ୍କ ମନକୁ ଆସୁଥିବା ସର୍ବପ୍ରଥମ ନାମ ହେଉଛି ବିସ୍‌ଲେରି। ଦେଶର କୋଣ ଅନୁକୋଣରେ ଏହା ପରିଚିତ। ଏତେ ପରିଚିତ ହୋଇଥିଲେ ମଧ୍ୟ ସେହି କଂପାନିକୁ ତାହାର ବର୍ତ୍ତମାନର ମାଲିକ ରମେଶ ଚୌହ୍ବାନ ସମ୍ଭାଳି ପାରୁନାହାନ୍ତି। ଯେହେତୁ ତାଙ୍କ ଝିଅ ଜୟନ୍ତୀ ବ୍ୟବସାୟ ସମ୍ଭାଳିବା ପ୍ରତି ଆଗ୍ରହ ଦେଖାଉନାହାନ୍ତି, ସେଥିପାଇଁ ବିସ୍‌ଲେରି ଇଣ୍ଟରନ୍ୟାସନାଲ୍‌କୁ ବିକ୍ରି କରିବା ଲାଗି ଶ୍ରୀ ଚୌହ୍ବାନ ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ପ୍ରକ୍ରିୟାରେ ସେ ଟାଟା ଗ୍ରୁପ୍‌ ସହିତ ମଧ୍ୟ ଆଲୋଚନା କରିଛନ୍ତି। ବିସ୍‌ଲେରିକୁ ୭୦୦୦ କୋଟି ଟଙ୍କାରେ ଟାଟା କଞ୍ଜ୍ୟୁମର ପ୍ରଡକ୍ଟସ୍‌ ଲିମିଟେଡ୍ କିଣିପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ଖବରକୁ ଶ୍ରୀ ଚୌହ୍ବାନ ଖଣ୍ଡନ କରିଛନ୍ତି।

Advertisment

ବିସ୍‌ଲେରିକୁ ଟାଟା ହାତକୁ ଟେକି ଦେବା ଲାଗି ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ସେ କହିଛନ୍ତି। ପ୍ୟା‌କେଜଡ୍‌ ମିନେରାଲ୍ ୱାଟର ବଜାରରେ ବିସ୍‌ଲେରି ସହ ପ୍ରତିଦ୍ବନ୍ଦ୍ବିତାରେ ବହୁ ନାମୀଦାମୀ କଂପାନିର ଉତ୍ପାଦ ପଛରେ ରହିଛନ୍ତି। କୋକାକୋଲାର କିନ୍‌ଲେ, ପେପ୍‌ସିର ଆକ୍ବାଫିନା ଏବଂ ଆଇଆରସିଟିସିର ରେଲ୍‌ ନୀର ଏପର୍ଯ୍ୟନ୍ତ ବିସ୍‌ଲେରି ଭଳି ସଫଳତା ପାଇନାହାନ୍ତି। ପାନୀୟ ବ୍ୟବସାୟକୁ ଶିଖରରେ ପହଞ୍ଚାଇବାର ସୁନାମ ରମେଶ ଚୌହ୍ବାନଙ୍କ ନାମରେ ରହିଛି। ଅତୀତରେ ସେ ଥମ୍‌ସ ଅପ୍, ଗୋଲ୍ଡ ସ୍ପଟ୍, ସିଟ୍ରା, ମାଜା ଏବଂ ଲିମ୍‌କା ଭଳି ବ୍ରାଣ୍ଡ୍‌ ପ୍ରତିଷ୍ଠା କରିଥିଲେ। ୧୯୯୩ରେ ସେହି ବ୍ରାଣ୍ଡ୍‌ଗୁଡ଼ିକୁ ସେ ଆମେରିକାର କଂପାନି କୋକାକୋଲାକୁ ବିକ୍ରି କରିଥିଲେ। ସେଥିରୁ ଥମ୍‌ସ ଅପ୍ ଏକ ବିଲିଅନ୍ ଡଲାର ବ୍ରାଣ୍ଡ୍‌ରେ ପରିଣତ ହୋଇସାରିଛି।