ବିଟ୍‌କଏନ୍‌ ଆୟ ଉପରେ ଟିକସ ଲାଗିବ

ନୂଆଦିଲ୍ଲୀ: ବିଟ୍‌କଏନ୍ କିମ୍ବା ଅନ୍ୟାନ୍ୟ କ୍ରିପ୍ଟୋକରେନ୍ସିରେ ନିବେଶ କରି ଯଦି କୌଣସି ନିବେଶକ ଆୟ କରନ୍ତି ତେବେ ସେହି ଆୟ ଉପରେ ତାଙ୍କୁ ଟିକସ ଗଣିବାକୁ ପଡ଼ିବ। ରାଜସ୍ବ ସଚିବ ତରୁଣ ବଜାଜ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କ୍ରିଫ୍ଟୋକରେନ୍ସିରେ ନିବେଶ କରି ଯଦି ନିବେଶକ ଆୟ କରୁଛନ୍ତି ତାହାକୁ ଏକ ଡିଲ୍ ଭାବେ ବିଚାର କରାଯିବ। ସେହି ଡିଲ୍ ଉପରେ ଆମେ ଆମର ଟିକସ ଲଗାଇବୁ। କ୍ରିପ୍ଟୋକରେନ୍ସିରେ ନିବେଶ କରି ଆୟ କରୁଥିବା ଲୋକମାନଙ୍କ ଠାରୁ କିଭଳି ଟିକସ ସଂଗ୍ରହ କରାଯାଇପାରିବ ସେ ଉପରେ ଅର୍ଥ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ତେବେ କ୍ରିପ୍ଟୋକରେନ୍ସିକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ଲାଗି ଅର୍ଥନୈତିକ ବ୍ୟାପାର ବିଭାଗରେ ଚାଲିଥିବା କାର୍ଯ୍ୟରେ କେତେ ଅଗ୍ରଗତି ହୋଇଛି ତାହା ସେ ଜାଣିନଥିବା କହିଛନ୍ତି। ସଂସଦର ଶୀତ ଅଧିବେଶନରେ ସରକାର କ୍ରିପ୍ଟୋକରେନ୍ସି ବିଲ୍‌ ଉପସ୍ଥାପନ କରିବାର ସମ୍ଭାବନା ରହିଛି। ପୂର୍ବରୁ ପ୍ରସ୍ତୁତ ହୋଇଥିବା ବିଲ୍‌ରେ ବିଟ୍‌କଏନ୍ ଭଳି କ୍ରିପ୍ଟୋକରେନ୍ସିକୁ ନିଷିଦ୍ଧ ଘୋଷଣା କରିବାର ବ୍ୟବସ୍ଥା ଥିଲା। ମାତ୍ର ସେଥିରେ ପରବର୍ତ୍ତୀ ସମୟରେ ପରିବର୍ତ୍ତନ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ଡିଜିଟାଲ୍ ମୁଦ୍ରା ମୂଲ୍ୟରେ ଘୋର ଅସ୍ଥିରତା ରହୁଥିବାରୁ ଆମେ ସେଗୁଡ଼ିକୁ ନିଷିଦ୍ଧ କରିବାକୁ ଚାହୁଛୁ। ସେ ଏହା ମଧ୍ୟ ଜଣାଇଥିଲେ ଯେ ରିଜର୍ଭ ବ୍ୟାଙ୍କ ଏହାର ନିଜସ୍ବ ଡିଜିଟାଲ୍ ମୁଦ୍ରା ଉପରେ କାର୍ଯ୍ୟ କରୁଛି।

ସମ୍ବନ୍ଧିତ ଖବର