ବିଟ୍‌କଏନ୍ ନିବେଶକ ଏବେ କାଙ୍ଗାଳ

ନୂଆଦିଲ୍ଲୀ: ବିଟକ୍‌ଏନ୍, ଡୋଜ୍‌କଏନ୍ ଭଳି ଡିଜିଟାଲ୍ ମୁଦ୍ରା ନିବେଶକମାନଙ୍କ ବେଳା ବହୁତ ଖରାପ ଚାଲିଛି। ଗୋଟିଏ ସପ୍ତାହ ଭିତରେ ଅଧିକାଂଶ ନିବେଶକ କାଙ୍ଗାଳ ‌ହୋଇପଡ଼ିଛନ୍ତି। ବିଟ୍‌କଏନ୍‌ ମୂଲ୍ୟ ଏହି ସାତ ଦିନରେ ଅଧା ହ୍ରାସ ପାଇ ୩୦,୦୦୦ ଡଲାର ତଳକୁ ଖସିଯାଇଥିଲା। ଅନ୍ୟ ଡିଜିଟାଲ୍ ମୁଦ୍ରା ମୂଲ୍ୟରେ ମଧ୍ୟ ୬୫% ପର୍ଯ୍ୟନ୍ତ ହ୍ରାସ ଘଟିଛି। ମୋଟ ଉପରେ ଡିଜିଟାଲ୍ ମୁଦ୍ରା ନିବେଶକମାନେ ୮୩,୦୦୦ କୋଟି ଡଲାର ହରାଇଥିବା ଜଣାପଡ଼ିଛି। କିଛି ନି‌ବେଶକ ଟ୍ବିଟରରେ ଜଣାଇଛନ୍ତି ଯେ ଡୋଜ୍‌କଏନ୍ ନାମକ ମୁଦ୍ରା ମୂଲ୍ୟ ହ୍ରାସ ପାଇବା ପରେ ସେମାନେ ବାସହରା ହୋଇପଡ଼ିଛନ୍ତି। କ୍ରିପ୍‌ାଟୋ ମୁଦ୍ରା ବା ଡିଜିଟାଲ୍ ମୁଦ୍ରା ମୂଲ୍ୟରେ ହୋଇଥିବା ହ୍ରାସ ପଛ‌ରେ ଦୁଇଟି ବଡ଼ କାରଣ ରହିଛି। ପ୍ରଥମଟି ହେଉଛି ଆମେରିକାର ଇଲେକ୍ଟ୍ରିକ୍ କାର୍ ନିର୍ମାତା ଟେସ୍‌ଲାର ନିଷ୍ପତ୍ତି।

କିଛି ଦିନ ତଳେ ଏହି କଂପାନି ବିଟ୍‌କଏନ୍‌ ଜରିଆରେ କାର୍‌ କିଣିହେବ ବୋଲି ଘୋଷଣା କରିଥିଲା। ହଠାତ୍‌ ସେହି ନିଷ୍ପତ୍ତିକୁ ବଦଳାଇ ଦେବାରୁ ନିବେଶକମାନେ ବିଚଳିତ ‌ହୋଇ ବିଟ୍‌କଏନ୍ ବିକ୍ରି କରିଥିଲେ। ନିଷ୍ପତ୍ତି ବଦଳାଇବା ପଛର କାରଣ ବିଷୟରେ ଟେସ୍‌ଲା ଜଣାଇଥିଲା ଯେ ବିପୁଳ ପରିମାଣର ତାପଜ ବିଦ୍ୟୁତକୁ ବ୍ୟବହାର କରି ବିଟ୍‌କଏନ୍ ତିଆରି କରାଯାଉଛି ଯାହା ପରିବେଶ ପ୍ରତି ବିପଦ। ଏକ ପରିବେଶ ସମ୍ବେଦନଶୀଳ କଂପାନି ହୋଇଥିବାରୁ ବିଟ୍‌କଏନ୍‌ ବ୍ୟବହାର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଡିଜିଟାଲ୍ ମୁଦ୍ରା ମୂଲ୍ୟରେ ହୋଇଥିବା ହ୍ରାସର ଦ୍ବିତୀୟ କାରଣଟି ହେଉଛି ଚୀନ୍ ଲଗାଇଥିବା କଟକଣା। କ୍ରିପ‌ଟୋ ମୁଦ୍ରା ମାଇନିଂ ଉପରେ ଚୀନ୍ ଚଢ଼ାଉ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର