ଭାରତରେ କ୍ରିପ୍ଟୋକରେନ୍ସିକୁ ସରକାରୀ ସ୍ବୀକୃତି ମିଳିବ ନାହିଁ : ଅର୍ଥ ମନ୍ତ୍ରାଳୟ

ନୂଆଦିଲ୍ଲୀ :  କ୍ରିପ୍ଟୋ କରେନ୍ସି ଉପରେ ହେଉଥିବା ଆୟ ଉପରେ ୩୦ ପ୍ରତିଶତ ଟିକସ ଆଦାୟ କରିବାକୁ ମଙ୍ଗଳବାରଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିବା ପରେ ସବୁଆଡେ ଚର୍ଚ୍ଚା ହେଉଥିଲା ଯେ ସରକାର ପରୋକ୍ଷରେ କ୍ରିପ୍ଟୋକରେନ୍ସିକୁ ସ୍ବୀକୃତି ଦେଇଛନ୍ତି । କିନ୍ତୁ ଆଜି ସରକାରଙ୍କ ପକ୍ଷରୁ ସ୍ପଷ୍ଟ ଭାବରେ ଏହାକୁ ଖଣ୍ଡନ କରାଯାଇଛି । ଅର୍ଥ ସଚିବ ଟିଭି ସୋମନାଥନ କହିଛନ୍ତି ଯେ ଭାରତରେ ବିଟକଏନ, ଏଥେରିଅମ ପରି କୌଣସି ପ୍ରକାରର କ୍ରିପ୍ଟୋକରେନ୍ସିକୁ ସ୍ବୀକୃତି ଦିଆଯିବ ନାହିଁ । କେବଳ ରିଜର୍ଭ ବ୍ୟାଙ୍କ ଦ୍ବାରା ଜାରି ହେବାକୁ ଥିବା ଡିଜିଟାଲ କଏନକୁ ସ୍ବୀକୃତି ଦିଆଯିବ । ଏଣୁ ବିଟକଏନ ଓ ଅନ୍ୟ ସମାନ ପ୍ରକାରର କ୍ରିପ୍ଟୋକରେନ୍ସିରେ ନିବେଶ କରୁଥିବା ଲୋକମାନେ ଏହାକୁ ନେଇ ସତର୍କ ହେବା ଉଚିତ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦେଶରେ ଡିଜିଟାଲ ଟଙ୍କା ପ୍ରଚଳନ କରାଯିବ । ବ୍ଲକଚେନ ଓ ଅନ୍ୟ ପ୍ରକାରର ଟେକନଲୋଜୀ ବ୍ୟବହାର କରି ଏହା କରାଯିବ । ଗତକାଲି ଲୋକସଭାରେ ନିଜର ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ସମ୍ପର୍କରେ ଘୋଷଣା କରିଥିଲେ । ୨୦୨୨-୨୩ ଆର୍ଥିକ ବର୍ଷ ଆରମ୍ଭରେ ରିଜର୍ଭ ବ୍ୟାଙ୍କ ଡିଜିଟାଲ ଟଙ୍କା ଆରମ୍ଭ କରିବ । ଏହା ଅର୍ଥନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରିବାରେ ସହାୟକ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି । ପୂର୍ବରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଧ୍ୟ ଏ ସଂର୍କରେ ସଂକେତ ଦିଆଯାଇଥିଲା ।

 

ସମ୍ବନ୍ଧିତ ଖବର