ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚିତ ହେବାର କିଛି ଦିନ ମଧ୍ୟରେ ବିଶ୍ବର ସବୁଠୁ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ବିଟ୍କଏନ୍ ଦାମ୍ ଦ୍ରୁତ ଗତିରେ ବଢ଼ିଥିଲା। କିଛି ଦିନ ତଳେ ତାହାର ଦାମ୍ ୧ ଲକ୍ଷ ୬ ହଜାର ଡଲାରରୁ ଅଧିକ ହୋଇଯାଇଥିଲା। ମାତ୍ର ଆମେରିକାର ଫେଡେରାଲ୍ ରିଜର୍ଭ (ରିଜର୍ଭ ବ୍ୟାଙ୍କ ଭଳି ସଂସ୍ଥା)ର ମୁଖ୍ୟ ଜେରୋମି ପାୱେଲ୍ଙ୍କ ଏକ ମନ୍ତବ୍ୟ ପରେ ବିଟ୍କଏନ୍ର ଭବିଷ୍ୟତକୁ ନେଇ ପୁଣି ଅନିଶ୍ଚିତତା ଦେଖାଦେଇଛି। ତାହାର ପ୍ରଭାବରେ ଏହାର ଦାମ୍ ୯୩,୬୩୭ ଡଲାରକୁ ଖସିଆସିଛି। ଆମେରିକାର ଏକ ବିଟକଏନ୍ ଭଣ୍ଡାର ଗଠନ କରିବ ବୋଲି ଚର୍ଚ୍ଚା ହେଉଥିଲା। ଟ୍ରମ୍ପ୍ ରାଷ୍ଟ୍ରପତି ଦାୟିତ୍ବ ନେବା ପରେ ସେହି ଭଣ୍ଡାର ଗଠନ କରାଯିବ ବୋଲି କୁହାଯାଉଥିଲା।
ମାତ୍ର ସେଭଳି କୌଣସି ଯୋଜନା କିମ୍ବା ସମ୍ଭାବନା ନାହିଁ ବୋଲି ପାୱେଲ ଗତ ବୁଧବାର ସ୍ପଷ୍ଟ କରିବା ପରେ ବିଟ୍କଏନ୍ ଦାମ୍ ହ୍ରାସ ପାଉଛି। ବିଟ୍କଏନ୍ ରଖିବା ଲାଗି ଆମକୁ ଅନୁମତି ନାହିଁ ବୋଲି ପାୱେଲ୍ କହିଥିଲେ। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ବିଟ୍କଏନ୍ ଏକ ବଡ଼ ପ୍ରସଙ୍ଗ ଥିଲା। ଟ୍ରମ୍ପ୍ଙ୍କ ନିର୍ବାଚନକୁ ସମର୍ଥନ କରୁଥିବା ବିଶ୍ବର ଏକ ନମ୍ବର ଧନୀ ତଥା ଟେସ୍ଲାର ମୁଖ୍ୟ ଏଲନ୍ ମସ୍କ ମଧ୍ୟ ଏହା ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଟ୍ରମ୍ପଙ୍କ ନିର୍ବାଚନୀ ପାଣ୍ଠିକୁ ମଧ୍ୟ ବିଟ୍କଏନ୍ ଜରିଆରେ ସଂଗ୍ରହ କରାଯାଇଥିଲା। ଟ୍ରମ୍ପ୍ ରାଷ୍ଟ୍ରପତି ହେବା ପରେ କ୍ରିପ୍ଟୋକରେନ୍ସିକୁ ନେଇ ଏକ ସ୍ପଷ୍ଟ ନିୟମ ଆସିବ ବୋଲି ଆଶା କରାଯାଉଥିଲା।