ମୁମ୍ବାଇ: ଦେଶର ସବୁଠୁ ଚର୍ଚ୍ଚିତ କ୍ରିପ୍ଟୋକରେନ୍ସି ବିଟକଏନ ପୁଣି ଥରେ ଏହାର ଚମକ ହରାଇଛି। ଗତବର୍ଷ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ବିଜୟୀ ହେବା ଓ ଚଳିତ ବର୍ଷ ଶପଥ ଗ୍ରହଣ କରିବା ମଧ୍ୟରେ ଏହାର ଦାମ୍ ଦ୍ରୁତ ଗତିରେ ବୃଦ୍ଧି ପାଇ ୧ ଲକ୍ଷ କୋଟି ଡଲାରରୁ ଅଧିକ ହୋଇଥିଲା। କିନ୍ତୁ ବିଭିନ୍ନ ଦେଶ ଉପରେ ଶୁଳ୍କ ଲଗାଇବା ଲାଗି ଟ୍ରମ୍ପ ଆରମ୍ଭ କରିଥିବା ଅଭିଯାନ ବିଟ୍କଏନର ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି। ଗତ କିଛି ଦିନ ହେଲାଣି ଏହାର ମୂଲ୍ୟ ହ୍ରାସ ପାଉଛି। ବର୍ତ୍ତମାନ ବିଟକଏନର ଦାମ ୭୮,୨୨୬ ଡଲାର ରହିଛି। ଛଅ ସପ୍ତାହ ପୂର୍ବେ ବିଟକଏନର ଯାହା ଦାମ ଥିଲା, ସେଥିରେ ବର୍ତ୍ତମାନ ସୁଦ୍ଧା ୨୮ ପ୍ରତିଶତର ହ୍ରାସ ଘଟିଛି। କେବଳ ଫେବ୍ରୁଆରିରେ ଏହାର ମୂଲ୍ୟ ୧୮ ପ୍ରତିଶତ କମ ହୋଇଛି। ୨୦୨୨ ଜୁନ ପରଠାରୁ କୌଣସି ଗୋଟିଏ ମାସରେ ଏହାର ମୂଲ୍ୟରେ ତାହା ଥିଲା ସର୍ବବୃହତ ହ୍ରାସ।
ଗତ ଗୁରୁବାର ଟ୍ରମ୍ପ କହିଥିଲେ ଯେ ମାର୍ଚ୍ଚ ୪ରୁ କାନାଡା ଓ ମେକ୍ସିକୋ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯିବ। ଚୀନ ଉପରେ ଅତିରିକ୍ତ ୧୦ ପ୍ରତିଶତ ଶୁଳ୍କ ଲଗାଯିବ। ବାଣିଜ୍ୟକୁ ନେଇ ଟ୍ରମ୍ପ ଯେଉଁ ଉତ୍ତେଜନାମୂଳକ ସ୍ଥିତି ଆରମ୍ଭ କରିଛନ୍ତି, ତାହାର ପ୍ରଭାବରେ ଏସିଆଠାରୁ ଆରମ୍ଭ କରି ୟୁରୋପ ପର୍ଯ୍ୟନ୍ତ ଷ୍ଟକ ବଜାରଗୁଡ଼ିକ ପ୍ରଭାବିତ ହୋଇଛି। କ୍ରିପ୍ଟୋକରେନ୍ସି ଭଳି ଅନ୍ୟ ସମ୍ପତ୍ତିଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇଛନ୍ତି। ବିଟକଏନ ନିବେଶକମାନେ ତାହା ବିକ୍ରି କରୁଛନ୍ତି। ବିକ୍ରିର ମାତ୍ରା ଆଶାଠାରୁ ଅଧିକ ହୋଇଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ଟ୍ରମ୍ପ ବିଟକଏନ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ସେ ନିର୍ବାଚନୀ ପାଣ୍ଠିକୁ ଡିଜିଟାଲ ମୁଦ୍ରା ଜରିଆରେ ସଂଗ୍ରହ କରିଥିଲେ। ରାଷ୍ଟ୍ରପତି ହେବା ପରେ କ୍ରିପ୍ଟୋକୁ ନେଇ ସ୍ବତନ୍ତ୍ର ନୀତି ଆସିବ ବୋଲି ଆଶା କରାଯାଉଛି। କିନ୍ତୁ ସେ ଦିଗରେ କିଛି କାମ ହୋଇନାହିଁ। ଟ୍ରମ୍ପଙ୍କ ମୁହଁରୁ ଏଭଳି କିଛି ଶବ୍ଦ କିମ୍ବା ବାକ୍ୟ ବାହାରି ନାହିଁ, ଯାହା କ୍ରିପ୍ଟୋଦୁନିଆକୁ ଖୁସି କରିବ।