ବିଦେଶରେ କଳାଧନ: ମିଳିବ ୧୪,୮୨୦ କୋଟି ଟିକସ

ନୂଆଦିଲ୍ଲୀ: ଭାରତୀୟମାନେ ବିଦେଶରେ ରଖିଥିବା କଳାଧନକୁ ଚିହ୍ନଟ କରି ତାହା ଉପରେ ଟିକସ ଲାଗୁ କରାଯାଇଛି। ଏଭଳି ୩୬୮ଟି ମାମଲାରେ ୧୪,୮୨୦ କୋଟି ଟଙ୍କାର ଟିକସ ଦାବି ଉପସ୍ଥାପନ କରାଯାଇଛି ବୋଲି ‌ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ କହିଛନ୍ତି। ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ ଜଣାଇଛନ୍ତି ଯେ ଏଚ୍‌ଏସ୍‌ବିସି ବ୍ୟାଙ୍କରେ ଥିବା ୮,୪୬୮ କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଚିହ୍ନଟ କରାଯାଇଥିଲା ଓ ଜମାକାରୀଙ୍କ ଉପରେ ୧୨୯୪ କେଟି ଟଙ୍କାର ଜରିମାନା ଲାଗୁ କରାଯାଇଛି।

ବିଦେଶରେ ଲୁଚାଇ ରଖିଥିବା ସମ୍ପତ୍ତି ବିଷୟରେ ଘୋଷଣା କରିବାକୁ ଭାରତୀୟମାନଙ୍କୁ ଅତୀତରେ ତିନି ମାସର ସ୍ବତନ୍ତ୍ର ସମୟ ଦିଆଯାଇଥିଲା। ୨୦୧୫ ସେପ୍ଟେମ୍ବର ୩୦ରେ ସେହି ସମୟ ସୀମା ଶେଷ ହୋଇଥିଲା। ସେହି ସମୟ ଭିତରେ ୪,୧୬୪ କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ବିଷୟରେ ଲୋକମାନେ ଘୋଷଣା କରିଥିଲେ। ସେହି ଲୋକମାନଙ୍କ ଠାରୁ ଟିକସ ଓ ଜରିମାନା ଆକାରରେ ୨,୪୭୬ କୋଟି ଟଙ୍କା ସଂଗ୍ରହ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ସଂସଦକୁ ଅବଗତ କରିଛନ୍ତି। ତେବେ ସ୍ବିସ୍‌ ବ୍ୟାଙ୍କରେ ଭାରତୀୟମାନଙ୍କ କେତେ ଟଙ୍କା ଜମା ଅଛି ତାହାର କୌଣସି ସରକାରୀ ହିସାବ ହୋଇନାହିଁ ବୋଲି ସେ କହିଛନ୍ତି। ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟକୁ ଉଲ୍ଲେଖ କରି ସେ ଜଣାଇଛନ୍ତି ଯେ ୨୦୨୦ ତୁଳନାରେ ୨୦୨୧ରେ ଭାରତୀୟମାନଙ୍କ ସ୍ବିସ୍ ବ୍ୟାଙ୍କ ଜମାରେ ବୃଦ୍ଧି ହୋଇଛି। ତେବେ ସେଥିରୁ କେତେ କଳାଧନ ତାହାର କୌଣସି ସୂଚନା ଗଣମାଧ୍ୟମ ପ୍ରକାଶ କରିନାହିଁ।

ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ସ୍ପଷ୍ଟ କରିଛନ୍ତି ଯେ ସ୍ବିଜରଲ୍ୟାଣ୍ଡ୍‌ର କେନ୍ଦ୍ରୀୟ ବ୍ୟାଙ୍କ ସ୍ବିସ୍ ନ୍ୟାସନାଲ୍ ବ୍ୟାଙ୍କ (ଏସ୍‌ଏନ୍‌ବି)ର ବାର୍ଷିକ ବ୍ୟାଙ୍କିଙ୍ଗ ପରିସଂଖ୍ୟାନକୁ ସ୍ବିଜରଲ୍ୟାଣ୍ଡ୍‌ରେ ଥିବା ଭାରତୀୟଙ୍କ ଜମାକୁ ଅନୁଶୀଳନ କରିବା ଲାଗି ବ୍ୟବହାର କରାଯାଇପାରିବ ନାହିଁ ବୋଲି ସ୍ବିସ୍ କର୍ତ୍ତୃପକ୍ଷ ଭାରତକୁ ଜଣାଇଛନ୍ତି। କିନ୍ତୁ ‘ଲୋକେସନାଲ୍ ବ୍ୟାଙ୍କିଙ୍ଗ୍‌ ଷ୍ଟାଟିଷ୍ଟିକ୍ସ’ ନାମକ ଅନ୍ୟ ଏକ ସୂତ୍ରରୁ ସ୍ବିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ବିଷୟରେ ତଥ୍ୟ ସଂଗ୍ରହ କରାଯାଉଛି। ବ୍ୟାଙ୍କ ଅଫ୍ ଇଣ୍ଟରନ୍ୟାସନାଲ୍ ସେଟଲ୍‌ମେଣ୍ଟ୍‌ (ବିଆଇଏସ୍‌) ସହଯୋଗରେ ସ୍ବିଜରଲ୍ୟାଣ୍ଡ୍‌ର କେନ୍ଦ୍ରୀୟ ବ୍ୟାଙ୍କ ସେହି ତଥ୍ୟ ସଂଗ୍ରହ କରୁଛି। ସେହି ତଥ୍ୟ ଅନୁଯାୟୀ ୨୦୨୧ରେ ଭାରତୀୟଙ୍କ ସ୍ବିସ୍‌ ବ୍ୟାଙ୍କ ଜମାରେ ୮.୩ ପ୍ରତିଶତ ହ୍ରାସ ଘଟିଛି।

ସମ୍ବନ୍ଧିତ ଖବର