କଳା ଟଙ୍କାରେ ହୀରା ବେପାର!

ହୀରା ବ୍ୟବସାୟୀ ନିରବ ମୋଦି ଓ ମେହୁଲ୍‌ ଚୋକ୍‌ସିଙ୍କ ସଂପର୍କରେ ଏବେ ପ୍ରତିଦିନ ନୂଆ ନୂଆ ଖବର ଆସୁଛି। ଏମାନେ ଦେବାଳିଆ ହୋଇ ସାରିଥିଲେ ବୋଲି ବ୍ୟାଙ୍କ ଜାଣିବା ପୂର୍ବରୁ ଅନ୍ୟ ହୀରା ଗହଣା ବ୍ୟବସାୟୀମାନେ ଜାଣି ସାରିଥିଲେ। କିନ୍ତୁ ସେମାନଙ୍କ ଠକେଇର କାଇଦା କଟକଣା ସଂପର୍କରେ କାହାରିକୁ ଜଣା ନଥିଲା। ବ୍ୟବସାୟୀଙ୍କ କହିବାନୁଯାୟୀ ହୀରା ବ୍ୟବସାୟରେ କିଣା ମୂଲ୍ୟଠାରୁ ଉଭୟ ଅଧିକ ଏବଂ କମ୍‌ ମୂଲ୍ୟର ଇନ୍‌ଭଏସ୍‌ ପ୍ରସ୍ତୁତ କରିବା, ଟିକସ ଠକି ସାମଗ୍ରୀ କିଣିବା ଏବଂ ବିକ୍ରି କରିବା ଆଦି ସାଧାରଣତଃ ଦେଖିବାକୁ ମିଳିଥାଏ। ସେହିଭଳି ବ୍ୟାଙ୍କକୁ ଠକିବା, ଗ୍ରାହକଙ୍କୁ ଠକିବା, ଆକାଉଣ୍ଟିଂରେ ଜାଲିଆତି କରିବା ଆଦି ମଧ୍ୟ ଏହି ବ୍ୟବସାୟରେ ଦେଖାଦେଇଥାଏ। କିନ୍ତୁ ବ୍ୟାଙ୍କର ଏଲ୍‌ଓୟୁକୁ ଜାଲିଆତି କରି ଟଙ୍କା ଠକିବା ବିଷୟ ପଦାକୁ ଆସିବା ପରେ ଉଭୟ ସୁରଟ ଓ ମୁମ୍ବାଇର ହୀରା ବ୍ୟବସାୟୀମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ପିଏନ୍‌ବିର ଆକାଉଣ୍ଟ ବୁକ୍‌ରେ କୌଣସି ଏଣ୍ଟି୍ର ନକରି କିଭଳି ଏମାନେ ଏଲ୍‌ଓୟୁ ହାସଲ କରୁଥିଲେ ତାହା ଚର୍ଚାର ବିଷୟ ପାଲଟିଛି। ହୀରା ବ୍ୟବସାୟରେ ଅନେକ ସମୟରେ ଛୋଟବଡ଼ ସ୍କାମ୍‌ ଦେଖିବାକୁ ମିଳିଥାଏ। ଏହି ବ୍ୟବସାୟୀଙ୍କର ଲାଭ ସଂଗ୍ରହ ନିଶା ଏତେ ପ୍ରବଳ ଯେ ସୁରଟର ଜଣେ ବଡ଼ ହୀରା ବ୍ୟବସାୟୀ ଏକ ଘରୋଇ ବ୍ୟାଙ୍କରୁ ନେଇଥିବା ୪୦୦୦ କୋଟି ଟଙ୍କା ଉପରେ ସୁଧ ଗତ ୬ ମାସ ହେଲା ପ୍ରଦାନ କରୁନାହାନ୍ତି ବୋଲି ଅନ୍ୟ ଜଣେ ବ୍ୟବସାୟୀ କୁହନ୍ତି। ଦୀର୍ଘ ୫ ଦଶନ୍ଧିରୁ ଅଧିକ ସମୟ ହେଲା ମୁମ୍ବାଇ ଓ ସୁରଟର ହୀରା ବଜାରରେ ପ୍ରାୟ ୯୦ ପ୍ରତିଶତ କାରବାର କଳାଟଙ୍କାରେ ଚାଲିଥାଏ। ତେବେ ନିରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ ଘଟଣା ହୀରା ବଜାର ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇବ ନାହିଁ। କିନ୍ତୁ ଏଣିକି ହୀରା ବ୍ୟବସାୟୀଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ବ୍ୟାଙ୍କ ଗୁଡ଼ିକ ନିୟମକୁ ଅଧିକ କଡ଼ାକଡ଼ି ଦେଖିବେ ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି। ନିରବଙ୍କ ମାମୁ ମେହୁଲ ବ୍ୟାଙ୍କଗୁଡ଼ିକୁ ଚୂନ ଲଗାଇ ଚାଲିଥିଲେ ମଧ୍ୟ ଜଣେ ଧାର୍ମିକ ବ୍ୟକ୍ତି ଥିଲେ । ନିକଟରେ ଅହମ୍ମଦାବାଦର ଶଙ୍କରେଶ୍ୱରରେ ଏକ ଧର୍ମଶାଳା ନିର୍ମାଣ ପାଇଁ ସେ ଅନେକ କୋଟି ଟଙ୍କା ଦାନ କରିଛନ୍ତି। ଗତବର୍ଷ ପରଲୋକ ହୋଇଥିବା ପ୍ରେମସୁରୀ ମହାରାଜଙ୍କର ସେ ଜଣେ ବଡ଼ ଅନୁଗାମୀ ଥିଲେ। ମେହୁଲଙ୍କ ଜଣେ ବନ୍ଧୁଙ୍କ କହିବାନୁଯାୟୀ ପ୍ରେମସୁରୀ ମହାରାଜ ବଞ୍ଚିଥିଲେ ତାଙ୍କ କଥାରେ ମେହୁଲ ଆତ୍ମ ସମର୍ପଣ ବି କରିଦେଇଥାନ୍ତେ।

ସମ୍ବନ୍ଧିତ ଖବର