ସ୍ବିସ୍ ବ୍ୟାଙ୍କରେ କଳାଟଙ୍କା, ୫୦ ଭାରତୀୟଙ୍କୁ ନୋଟିସ୍

ବର୍ନ/ନୂଆଦିଲ୍ଲୀ ସ୍ବିସ୍ ବ୍ୟାଙ୍କରେ କଳାଟଙ୍କା ରଖିଥିବା ଭାରତୀୟଙ୍କ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି। ସ୍ବିଜରଲାଣ୍ଡ କର୍ତ୍ତୃପକ୍ଷ ଅତିକମ୍‌‌ରେ ୫୦ ଭାରତୀୟଙ୍କ ସ୍ବିସ୍ ବ୍ୟାଙ୍କ ଜମାରାଶି ସମ୍ପର୍କରେ ଭାରତକୁ ତଥ୍ୟ ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ଏହିସବୁ ବ୍ୟକ୍ତିମାନଙ୍କ ମଧ୍ୟରେ ଅଧିକାଂଶ ରିଅଲ ଇଷ୍ଟେଟ, ଆର୍ଥିକ ସେବା, ପ୍ରଯୁକ୍ତି, ଦୂରସଂଚରା ଏବଂ ପେଣ୍ଟ୍‌ସ, ଗୃହ ସାଜସଜ୍ଜା, ବୟନ ସାମଗ୍ରୀ, ଇଞ୍ଜିନିୟରିଂ ସାମଗ୍ରୀ, ଗହଣା ଏବଂ ମୂଲ୍ୟବାନ ପ୍ରସ୍ତର କ୍ଷେତ୍ରର ଉଦ୍ୟୋଗୀ ରହିଛନ୍ତି। ସ୍ବିଜରଲାଣ୍ଡ ସରକାରଙ୍କ ପକ୍ଷରୁ ଏ ନେଇ ଗେଜେଟ୍ ‌ବିଜ୍ଞପ୍ତି ଜାରି ହୋଇଛି। ଏହି ମାମଲା ସହିତ ଜଡ଼ିତ ଅଧିକାରୀଙ୍କ କହିବାନୁଯାୟୀ ଗତ କିଛି ସପ୍ତାହ ମଧ୍ୟରେ ଅତିକମ୍‌ରେ ୫୦ ଜଣ ଭାରତୀୟଙ୍କୁ ନୋଟିସ ପଠାଯାଇଛି। ଭାରତ ସରକାରଙ୍କୁ ଗ୍ରାହକଙ୍କ ତଥ୍ୟ ପ୍ରଦାନ ପୂର୍ବରୁ ଭାରତୀୟମାନଙ୍କୁ ଆବେଦନ କରିବା ଲାଗି ସ୍ବିସ୍ ବ୍ୟାଙ୍କ ଶେଷ ସୁଯୋଗ ପ୍ରଦାନ କରିବାକୁ ଯାଇ ଏହି ନୋଟିସ ପଠାଉଛି।

ଅନିୟମିତତା କରି ସ୍ବିସ୍ ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ସନ୍ଦିଗ୍ଧ ଭାରତୀୟଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ ପ୍ରକ୍ରିୟା ଜାରି ରହିଛି। ସ୍ବିସ୍ ସରକାର ଭାରତକୁ ଗତ ବର୍ଷକ ମଧ୍ୟରେ ୧୦୦ରୁ ଅଧିକ ଭାରତୀୟଙ୍କ ଜମା ସମ୍ପର୍କିତ ବିସ୍ତୃତ ତଥ୍ୟ ପ୍ରଦାନ କରିଛି। ସ୍ବିଜରଲାଣ୍ଡ ସରକାରଙ୍କ ନିୟମ ଅନୁଯାୟୀ ସ୍ବିସ୍ ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ବିଦେଶୀ ଗ୍ରାହକଙ୍କ ତଥ୍ୟ ପ୍ରଦାନ ପୂର୍ବରୁ ସେମାନଙ୍କୁ ଆବେଦନ କରିବା ଲାଗି ୩୦ ଦିନ ସମୟ ଦିଆଯାଇଥାଏ। କେତେକ କ୍ଷେତ୍ରରେ ମାତ୍ର ୧୦ ଦିନ ସମୟ ଦିଆଯାଇଥାଏ। କେତେକ ଭାରତୀୟଙ୍କ ପୂରା ନାମ ପ୍ରକାଶ କରାଯାଇଥିବାବେଳେ ଆଉ କେତେକ ଭାରତୀୟଙ୍କ ନାମର ପ୍ରାରମ୍ଭ ଅକ୍ଷର ଏବଂ ଜନ୍ମ ତାରିଖ ଆଦି ଉଲ୍ଲେଖ କରାଯାଇଥାଏ। ନିକଟରେ ପୂରା ନାମ ପ୍ରକାଶ ପାଇଥିବା ଭାରତୀୟଙ୍କ ମଧ୍ୟରେ କ୍ରିଷ୍ଣ ଭଗବାନ ରାମଚନ୍ଦ, ପୋତଲୁରି ରାଜମୋହନ ରାଓ, କଳ୍ପେଶ ହର୍ଷଦ କିନାରିୱାଲା, କୁଲଦୀପ ସିଂହ ଧିଙ୍ଗଡ଼ା, ଭାସ୍କରନ୍ ନଳିନୀ, ଲଳିତାବେନ ଚିମନଭାଇ ପଟେଲ, ସଞ୍ଜୟ ଡାଲମିଆଁ, ପଙ୍କଜ କୁମାର ସରାଓଗି, ଅନିଲ ଭରଦ୍ବାଜ, ଥରାନି ରେଣୁ ଟିକମଦାସ, ମହେଶ ଟିକମଦାସ ଥରାନି, ସବାନି ବିଜୟ କହ୍ନେୟାଲାଲ, ଭାସ୍କରନ୍ ଠାପୁର, କଳ୍ପେଶଭାଇ ପଟେଲ ମହେନ୍ଦ୍ରଭାଇ, ଅଜୟ କୁମାର, ଦିନେଶ କୁମାର ହିମତସିଙ୍ଗକା, ରତନ ସିଂହ ଚୌଧୁରୀ ଏବଂ କାଥୋଟିଆ ରାଜେଶ କୁମାର ରହିଛନ୍ତି। ତେବେ ଅନେକ ବ୍ୟକ୍ତି ଅଛନ୍ତି ଯେଉମାନଙ୍କ ନାମର ପ୍ରଥମ ଅକ୍ଷର ପ୍ରକାଶ ପାଇଛି। ନାମ ପ୍ରକାଶ ପାଇଥିବା ବ୍ୟକ୍ତି ଓ ସେମାନଙ୍କ କମ୍ପାନି ଗୁଡ଼ିକ ସାଧାରଣତଃ କୋଲକାତା, ଗୁଜରାଟ, ବେଙ୍ଗାଲୁରୁ, ଦିଲ୍ଲୀ ଏବଂ ମୁମ୍ବାଇର ବୋଲି ଜଣାଯାଇଛି। ଏତଦବ୍ୟତୀତ ଆଗାମୀ ଦିନରେ ମଧ୍ୟ ଆହୁରି ଅଧିକ ଭାରତୀୟଙ୍କୁ ନୋଟିସ ପଠାଯିବା ଯୋଜନା ରହିଛି।

ସମ୍ବନ୍ଧିତ ଖବର