ନୂଆଦିଲ୍ଲୀ: ଦଶ ବର୍ଷ ପୁରୁଣା କଳାଧନ ନିୟମରେ ସଂଶୋଧନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ନିୟମର ସମୀକ୍ଷା କରିବା ଲାଗି ଉତ୍ତରପ୍ରଦେଶର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ଅମୁଲ ପୁଷ୍ପଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଛି। ଏଥି ସହିତ ମୁଖ୍ୟ ଆୟୁକ୍ତ ଜୟରାମ ରାୟପୁରାଙ୍କୁ ନେଇ ଏକ ଆଭ୍ୟନ୍ତରୀଣ କମିଟି ମଧ୍ୟ ଗଠନ ହୋଇଛି। ସରକାର ଉଦ୍ଦେଶ୍ୟ ହେଉଛି ନୂଆ ଆୟକର ନୀତି ଅନୁସାରେ କଳାଧନ ନିୟମରେ ଆବଶ୍ୟକ ପରିବର୍ତ୍ତନ ଆଣିବା। ସେଥିପାଇଁ ଏହି କମିଟି ପୁରୁଣା ନିୟମର ସମୀକ୍ଷା କରି ସରକାରଙ୍କୁ ପରିବର୍ତ୍ତନ ସମ୍ପର୍କିତ ସୁପାରିସ କରିବ। ସମ୍ପ୍ରତି ପ୍ରଚଳନରେ ଥିବା କଳାଧନ ନିୟମକୁ କୋହଳ କରାଯିବ। ୨୦୧୫ ଜୁଲାଇ ୧ରେ ଏହି ନିୟମ ଲାଗୁ କରାଯାଇଥିଲା।

Advertisment

ଟିକସ ବିଶାରଦମାନଙ୍କ ସହ ଆଲୋଚନା କରି କମିଟି ନିୟମରେ ରହିଥିବା ଜରିମାନା, ଦଣ୍ଡବିଧାନ, ବିଚାର ପ୍ରକ୍ରିୟା ଆଦିରେ ପରିବର୍ତ୍ତନ ପାଇଁ ସୁପାରିସ କରିବ। ୨୦୨୪ ବଜେଟ୍‌ରେ ୨୦ ଲକ୍ଷ ଟଙ୍କାରୁ କମ୍ ଅଘୋଷିତ ବିଦେଶୀ ଆୟ ଉପରେ ମାମଲା ରୁଜୁ କରାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଥିଲେ। ସେହି ଘୋଷଣା ଅନୁସାରେ କଳାଧନ ନିମୟରେ ଆବଶ୍ୟକ ପରିବର୍ତ୍ତନର ଆବଶ୍ୟକତା ରହିଛି। କଳାଧନ ନିୟମର ସବୁଠୁ ବଡ଼ ଶକ୍ତି ହେଉଛି, ଏହାକୁ ବହୁ ବର୍ଷ ପୁରୁଣା ମାମଲା ପାଇଁ ଲାଗୁ କରି ଜରିମାନା ଅସୁଲ କରାଯାଇପାରିବ। ଆୟକର ନିୟମ ଓ କଳାଧନ ନିୟମର ଦଣ୍ଡବିଧାନରେ ଅସଙ୍ଗତି ରହିଛି। ଆୟକର ନିୟମରେ ୯୦% ପର୍ଯ୍ୟନ୍ତ ରାଶିକୁ ଜରିମାନା ଭାବେ ଲାଗୁ କରିବା ବ୍ୟବସ୍ଥା ରହିଛି। କଳାଧନ ନିୟମରେ ଅତିରିକ୍ତ ୩୦% ଅର୍ଥାତ ମୋଟ୍‌ ଉପରେ ୧୨୦ ପ୍ରତିଶତ ଜରିମାନା ଲଗାଇବା ବ୍ୟବସ୍ଥା ରହିଛି। 

ବିଦେଶରେ ଥିବା କଳାଧନ ଭାରତ ଫେରାଇ ଆଣିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀଙ୍କ ସରକାର ଏହି ନିୟମ ଆଣିଥିଲେ। ଗତ ୧୦ ବର୍ଷ ମଧ୍ୟରେ ବିଦେଶରୁ ୩୫,୧୦୪ କୋଟି ଟଙ୍କା ଫେରାଇ ଆଣିବାରେ ସରକାର ସଫଳ ହୋଇଛନ୍ତି। କିନ୍ତୁ ଯେଉଁ ସ୍ବିସ୍‌ ବ୍ୟାଙ୍କଗୁଡ଼ିକରେ କଳାଧନ ଗଚ୍ଛିତ ରହୁଥିବା ସନ୍ଦେହ କରାଯାଉଥିଲା ସେଥିରେ ଭାରତୀୟଙ୍କ ଜମା ରାଶି ପରିମାଣ ତିନି ଗୁଣା ବୃଦ୍ଧି ପାଇ ୩୭,୬୦୦ କୋଟି ଟଙ୍କାରେ ପହଞ୍ଚିଛି। ୨୦୧୪ ଲୋକସଭା ନିର୍ବାଚନରେ ଉପା ସରକାରଙ୍କ ବିରୋଧରେ ଯେଉଁ କେତେକ ପ୍ରସଙ୍ଗ ନେଇ ମୋଦୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ, ସେଥିରୁ ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ଥିଲା କଳାଧନ। ବିଦେଶରେ କୋଟି କୋଟି ଟଙ୍କାର କଳାଧନ ଲୁଚାଇ ରଖାଯାଇଥିଲା। ତାହାକୁ ଭାରତ ଫେରାଇ ଅଣାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। କ୍ଷମତାକୁ ଆସିବା ପରେ ସେ ଏକ କଠୋର କଳାଧନ ନିୟମ ଲାଗୁ କରିଥିଲେ ଯାହା ବର୍ତ୍ତମାନ ସୁଦ୍ଧା ପ୍ରଚଳନରେ ରହିଛି। କିନ୍ତୁ ପରିସଂଖ୍ୟାନ ଉପରେ ନଜର ପକାଇଲେ ଏହି ନିୟମ ଦ୍ବାରା ମିଳିଥିବା ଲାଭ ଆଶାନୁରୂପ ରହିନଥିବା କୁହାଯାଇପାରିବ।