ବିଦେଶରୁ ଫେରିବ କଳାଧନ, ଆୟକର ବିଭାଗ ଖୋଲିଲା ସ୍ବତନ୍ତ୍ର ୟୁନିଟ୍

ନୂଆଦିଲ୍ଲୀ: ବିଦେଶରେ ଥିବା କଳାଧନ ବିଷୟରେ ବିଭିନ୍ନ ଉପାୟରେ କେନ୍ଦ୍ର ସରକାରଙ୍କ ପାଖକୁ ତଥ୍ୟ ଓ ସୂଚନା ପହଞ୍ଚୁଛି। ନିକଟ ଅତୀତରେ ଅନେକ ଦେଶ ଓ ସଂସ୍ଥା ସହ ତଥ୍ୟ ଆଦାନପ୍ରଦାନ ପାଇଁ ସରକାର ଚୁକ୍ତି କରିଥିଲେ। ସେଥିରୁ ଅନେକ ସୂଚନା‌ ମିଳୁଛି। ସେହି ଆଧାରରେ ତଦନ୍ତ କାର୍ଯ୍ୟ ଆଗକୁ ବଢ଼ାଇବା ଲାଗି ଆୟକର ବିଭାଗ ଅଧୀନରେ ଏକ ସ୍ବତନ୍ତ୍ର ୟୁନିଟ୍ ଖୋଲାଯାଇଛି। ତାହାର ନାମ ହେଉଛି ‘ଫରେନ୍ ଆସେଟ୍‌ ଇନଭେଷ୍ଟିଗେସନ ୟୁନିଟ୍‌’ (ବୈଦେଶିକ ସମ୍ପତ୍ତି ତଦନ୍ତ ୟୁନିଟ୍‌)। ଆୟକର ବିଭାଗର ସାରା ଦେଶରେ ଥିବା ସମସ୍ତ ୧୪ଟି ତଦନ୍ତ ନିର୍ଦେଶାଳୟରେ ଏହି ସ୍ବତନ୍ତ୍ର ୟୁନିଟ୍‌ ଖୋଲାଯାଇଛି। ବିଦେଶ କଳାଧନ ମାମଲାଗୁଡ଼ିକର ତଦନ୍ତ ଦାୟିତ୍ବ ଏହି ୟୁନିଟ୍‌କୁ ଦିଆଯାଇଛି। ଏହା ଚଢ଼ଉ କରିବା ସହ ସମ୍ପତ୍ତି ଜବତ କରିପାରିବ। କଳାଧନ ଖୋଜିବା ଲାଗି ଗୁଇନ୍ଦା ବ୍ୟବସ୍ଥା ବିକଶିତ କରିବ ଏବଂ ଟିକସ ଠକେଇ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ଉପାୟର ଯାଞ୍ଚ କରିବା କାର୍ଯ୍ୟ କରିବ।

ଏହି ୟୁନିଟ୍‌ ଖୋଲିବା ପାଇଁ ଗତବର୍ଷ ନଭେମ୍ବରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଞ୍ଜୁରି ଦେଇଥିଲେ। ଟିକସ ବିଭାଗର ୬୯ଟି ପଦକୁ ଏହି ୟୁନିଟ୍‌ ପାଇଁ ବ୍ୟବହାର କରାଯାଇଛି। ପାନାମା ପେପର୍ସ ଭଳି ମାମଲାରେ ଯେଉଁ ସବୁ ତଥ୍ୟ ମିଳିଛି ତାହାର ତଦନ୍ତ ଦାୟିତ୍ବ ଏହି ନୂଆ ୟୁନିଟ୍‌କୁ ଦିଆଯାଇଛି। ଦ୍ବେତ ଟିକସ ଏଡ଼ାଇବା ବୁଝାମଣା (ଡିଟିଏଏ), ଟିକସ ସୂଚନା ଆଦାନପ୍ରଦାନ ଚୁକ୍ତି (ଟିଆଇଇଏ) ସହିତ ନିକଟରେ ଭାରତ ଓ ଆମେରିକା ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ବୈଦେଶିକ ଖାତା ଟିକସ ନିୟମ ପାଳନ (ଏଫଏଟିସିଏ) ଜରିଆରେ କେନ୍ଦ୍ର ସରକାରଙ୍କ ପାଖରେ ବିପୁଳ ତଥ୍ୟ ପହଞ୍ଚୁଛି। ସେଗୁଡ଼ିକର ଅନୁଶୀଳନ କରିବା ଏକ ପାହାଡ଼ ଭଳି କାର୍ଯ୍ୟ। ଆୟକର ବିଭାଗ ଖୋଲିଥିବା ସ୍ବତନ୍ତ୍ର ୟୁନିଟ୍ ସେହି କାମ କରିବ। ଆୟକର ରିଟର୍ଣ୍ଣ ଫର୍ମରେ ଟିକସଦାତାମାନଙ୍କୁ ବିଦେଶ ସମ୍ପତ୍ତି ସୂଚନା ଦେବାକୁ କୁହାଯାଇଛି। ଟିକସଦାତା ଦେଉଥିବା ତଥ୍ୟ ସହ ବିଦେଶରୁ ମିଳୁଥିବା ତଥ୍ୟକୁ ମିଶାଇ ଅନୁଶୀଳନ କରାଯିବ। ଯଦି ସେଥିରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳିବ ତେବେ ଏହି ୟୁନିଟ୍ ତଦନ୍ତ ଆରମ୍ଭ କରିବ।

ସମ୍ବନ୍ଧିତ ଖବର