ନୂଆଦିଲ୍ଲୀ: ସେମାନେ ଦୃଷ୍ଟିହୀନ। କିନ୍ତୁ ବିଶ୍ବର ନାମକରା ପ୍ରଯୁକ୍ତି କଂପାନିର ପ୍ରୋଗ୍ରାମର୍ ଭାବେ କାମ କରୁଛନ୍ତି। କମ୍ପ୍ୟୁଟରର ଜଟିଳ ଭାଷାରେ କୋଡିଂ କରୁଛନ୍ତି। ଦୃଷ୍ଟି ଶକ୍ତି ଥିବା ଲୋକମାନଙ୍କ ଠାରୁ ମଧ୍ୟ ଦ୍ରୁତ ବେଗରେ କୋଡିଂ କରୁଛନ୍ତି। ସେଭଳି ଜଣେ ବ୍ୟକ୍ତି ହେଉଛନ୍ତି ଆଲୋକ କୌଶିକ। ବ୍ରିଟେନ୍ରେ ଏକ ଇ-କମର୍ସ କଂପାନି ପାଇଁ ସେ ବରିଷ୍ଠ ଆପ୍ଲିକେସନ୍ ଡେଭେଲପର୍ ଭାବେ କାମ କରୁଛନ୍ତି। ସେ କେବଳ ଏକ କି’ ବୋର୍ଡରେ ହିଁ କାମ କରୁଛନ୍ତି। କୌଣସି କମ୍ପ୍ୟୁଟର ସ୍କ୍ରିନ୍ କିମ୍ବା ମାଉସ୍ ନାହିଁ। ତାଙ୍କ ଭଳି ଅନେକ ଦୃଷ୍ଟିହୀନ ଲୋକ ବଡ଼ ବଡ଼ ପ୍ରଯୁକ୍ତି କଂପାନିରେ ସଫଳତାର ସହିତ କାମ କରୁଛନ୍ତି।
ପ୍ରଣବ ଲାଲ ନାମକ ଜଣେ ବ୍ୟକ୍ତି ଦିଲ୍ଲୀରେ ଭୋଡାଫୋନ୍ ପାଇଁ ସାଇବର୍ ନିରାପତ୍ତା ବିଶେଷଜ୍ଞ ଭାବେ କାମ କରୁଛନ୍ତି। ଜଟିଳ କମ୍ପ୍ୟୁଟର ଭାଷା ପିଥନ୍, ଜାଭା, ସି ଓ ସି++ରେ ସେ କୋଡିଂ କରୁଛନ୍ତି। ଦୃଷ୍ଟିହୀନଙ୍କ ପାଇଁ ସେ ଏକ ସ୍ପିଚ୍ ରେକ୍ଗ୍ନିସନ (ଶବ୍ଦକୁ ଚିହ୍ନଟ କରିବା) ସଫ୍ଟଓୟାର ବିକଶିତ କରିଛନ୍ତି। ସ୍କ୍ରିନ୍ ରିଡର୍ ଓ କୃତ୍ରିମ ବୁଦ୍ଧିମତା ଭଳି ପ୍ରଯୁକ୍ତି ବିକଶିତ ହେବା ପରେ ପ୍ରତିଭାବାନ ଦୃଷ୍ଟିହୀନ ବ୍ୟକ୍ତିମାନେ ବଡ଼ ବଡ଼ କଂପାନିର ପ୍ରମୁଖ କର୍ମଚାରୀ ଭାବେ କାମ କରିବାର ସୁଯୋଗ ପାଇଛନ୍ତି। ପୂର୍ବରୁ ସେମାନଙ୍କୁ କେବଳ ଚୌକିରେ ବସି ରହି କିମ୍ବା ଆକାଉଣ୍ଟିଂ କାମ କରିବାର ସୁଯୋଗ ମିଳୁଥିଲା।ଜବ୍ ଆସେସ୍ ୱିଥ୍ ସ୍କିଚ୍ (ଜେଏଡବ୍ଲ୍ୟୁଏସ୍) ଓ ନନ୍ ଭିଜୁଆଲ୍ ଡେସ୍କଟପ୍ ଆକ୍ସେସ୍ (ଏନ୍ଭିଡିଏ) ହେଉଛି ଦୁଇଟି ଲୋକପ୍ରିୟ ସ୍କ୍ରିନ୍ ରିଡର୍ ଯାହା ଦୃଷ୍ଟିହୀନଙ୍କୁ ଅକ୍ଷର ଏବଂ ଜିନିଷକୁ ଅନୁଭବ ସୁବିଧା ପ୍ରଦାନ କରୁଛି।
ମୋବାଇଲ୍ ଆପ୍ରେ ନୋଟ୍ ଚିହ୍ନିବେ ଦୃଷ୍ଟିହୀନ
ମୁମ୍ବାଇ: ଦୃଷ୍ଟିହୀନ ବ୍ୟକ୍ତିମାନେ ଯେଭଳି ସହଜରେ ବିଭିନ୍ନ ପ୍ରକାର ନୋଟ୍କୁ ଚିହ୍ନିପାରିବେ ସେଥିପାଇଁ ଏକ ମୋବାଇଲ୍ ଆପ୍ ବିକଶିତ କରିବା ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବିଚାର କରୁଛି। ଏହି ଆପ୍ ବିକଶିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରଯୁକ୍ତି ଓ ଆଇଟି କଂପାନିଗୁଡ଼ିକ ଠାରୁ ବିଡ୍ ଆହ୍ବାନ କରାଯାଇଛି। ମୋବାଇଲ୍ କ୍ୟାମେରା ସାମ୍ନାରେ ନୋଟ୍କୁ ରଖିଲେ ଯେଭଳି ତାହା ଚିହ୍ନଟ ହୋଇପାରିବ ସେଭଳି ଆପ୍ ବିକଶିତ କରିବାକୁ କଂପାନିଗୁଡ଼ିକୁ କୁହାଯାଇଛି। ଭଏସ୍ ବା ପାଟିର କଥା ଜରିଆରେ ଯେଭଳି ଆପ୍କୁ ସର୍ଚ କରାଯାଇପାରିବ ସେଭଳି ବ୍ୟବସ୍ଥା କରିବାକୁ ମଧ୍ୟ କଂପାନିଗୁଡ଼ିକୁ କୁହାଯାଇଛି। ମୋବାଇଲ୍ ଆପ୍ରେ ଦୁଇ ସେକେଣ୍ଡ୍ କିମ୍ବା ତା’ଠାରୁ କମ୍ ସମୟରେ ନୋଟ୍ ଚିହ୍ନଟ ହେବ। ବିନା ଇଣ୍ଟରନେଟ୍ ସଂଯୋଗରେ ମଧ୍ୟ ଯେଭଳି ଆପ୍ଟି କାମ କରିବ ସେଭଳି ବ୍ୟବସ୍ଥା ବିକଶିତ କରିବାକୁ ରିଜର୍ଭ ବ୍ୟାଙ୍କ ପରାମର୍ଶ ଦେଇଛି। ଏହି ଆପ୍ ବିଭିନ୍ନ ଭାଷାର ବ୍ୟବହାରକାରୀଙ୍କ ପାଇଁ ବ୍ୟବହାର ଯୋଗ୍ୟ ହେବା ଦରକାର ଏବଂ ଅଡିଓ ବା ଶବ୍ଦକୁ ସପୋର୍ଟ କରୁଥିବା ଜରୁରୀ। ଏବେ ବଜାରରେ ୧୦, ୨୦, ୫୦, ୧୦୦, ୨୦୦, ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନରେ ରହିଛି। ଭାରତ ସରକାର ଜାରି କରୁଥିବା ୧ ଟଙ୍କିଆ ନୋଟ୍ ମଧ୍ୟ ରହିଛି। ୧୦୦ ଏବଂ ତା’ଠାରୁ ଅଧିକ ମୂଲ୍ୟର ନୋଟ୍ରେ ଇଣ୍ଟାଗ୍ଲିଓ ପ୍ରିଣ୍ଟିଂ ରହିଛି ଯାହା ଜରିଆରେ ଦୃଷ୍ଟିହୀନମାନେ ନୋଟ୍ଗୁଡ଼ିକୁ ଚିହ୍ନିପାରୁଛନ୍ତି। ଭାରତରେ ୮୦ ଲକ୍ଷରୁ ଅଧିକ ଦୃଷ୍ଟିହୀନ ବ୍ୟକ୍ତି ଅଛନ୍ତି। ରିଜର୍ଭ ବ୍ୟାଙ୍କ ପ୍ରସ୍ତୁତ କରୁଥିବା ମୋବାଇଲ୍ ଆପ୍ ଜରିଆରେ ସେମାନେ ଲାଭବାନ ହେବେ।