ଇଭିର ଆମଦାନି ଶୁଳ୍କ ହ୍ରାସ ପାଇଁ ବିଏମ୍‌ଡବ୍ଲ୍ୟୁର ଦାବି, ୬ ମାସରେ ତିନି ନୂଆ ମଡେଲ ଇଭି ଯାନ ଉନ୍ମୋଚନ

ନୂଆଦିଲ୍ଲୀ,: ଇଲେକ୍ଟ୍ରିକ ଯାନ(ଇଭି) ଉପରୁ ଆମଦାନି ଶୁଳ୍କ ହ୍ରାସ କରିବା ପାଇଁ ବିଦେଶୀ କମ୍ପାନିଗୁଡ଼ିକ ଦାବି କରିଛନ୍ତି। ଜର୍ମାନୀର ବିଳାସପୂର୍ଣ୍ଣ କାର ନିର୍ମାତା ବିଏମ୍‌ଡବ୍ଲ୍ୟୁ କହିଛି ଯେ କିଛି ସୀମିତ ସମୟ ପାଇଁ କିମ୍ବା କିଛି ସୀମିତ ସଂଖ୍ୟକ ୟୁନିଟ ଉପରେ ଆମଦାନି ଶୁଳ୍କ ହ୍ରାସ କରାଗଲେ ଭାରତରେ ଇଭିର ଚାହିଦା ବୃଦ୍ଧିରେ ତାହା ସହାୟକ ହେବ। କେବଳ ଚାହିଦା ବଢ଼ାଇବ ନାହିଁ ଭାରତରେ ଶୀଘ୍ର ଏସବୁ ଗାଡ଼ିର ଉତ୍ପାଦନ ହୋଇପାରିବ। ଏଥିସହିତ ଭାରତକୁ ଆଗୁଆ ଏହି ପ୍ରଯୁକ୍ତି ଆସିପାରିବ। ବିଏମ୍‌ଡବ୍ଲ୍ୟୁର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭାରତରେ ବିକ୍ରି ହେଉଥିବା ଅନେକ ଗାଡ଼ି କମ୍ପାନି ଦେଶରେ ଗତ ୧୫ ବର୍ଷ ହେଲା ନିର୍ମାଣ କରୁଛି। ଭାରତରେ ଚାହିଦା ସୃଷ୍ଟି ହେଲେ ଏହାର ନିର୍ମାଣ ଭାରତ ବଜାରରେ ହୋଇପାରିବ। ପ୍ରଥମେ ଆମେ ଚାହିଦା ସୃଷ୍ଟି କରୁ। ତାହା ପରେ ସ୍ଥାନୀୟ ଅଞ୍ଚଳରେ ନିର୍ମାଣ ଆରମ୍ଭ କରୁ। ଭାରତରେ ଏହି ନୂଆ ପ୍ରଯୁକ୍ତି ବିଶିଷ୍ଟ କାରର ବ୍ୟାପକ ଚାହିଦା ସୃଷ୍ଟି କରାଯାଇ ପାରିଲେ ହିଁ ଯାଇ ସ୍ଥାନୀୟ ବଜାରରେ ନିର୍ମାଣ ସମ୍ଭବ ହୋଇପାରିବ ବୋଲି ବିଏମ୍‌ଡବ୍ଲ୍ୟୁ ଗ୍ରୁପ୍ ଇଣ୍ଡିଆର ସଭାପତି ତଥା ସିଇଓ ବିକ୍ରମ ପାୱା କହିଛନ୍ତି। ଏଥିପାର୍ଇ ସରକାରଙ୍କ ସହାୟତା ମଧ୍ୟ ଆବଶ୍ୟକ। ସରକାର ଆମଦାନି ଶୁଳ୍କ ସୀମିତ ସମୟ କିମ୍ବା ସୀମିତ ୟୁନିଟ୍ ପର୍ଯ୍ୟନ୍ତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଭାରତ ବର୍ତ୍ତମାନ ୪୦ ହଜାର ଆମେରିକୀୟ ଡଲାରରୁ ଅଧିକ ମୂଲ୍ୟର କାର ଉପରେ ୧୦୦ ପ୍ରତିଶତ ଏବଂ ଏହାଠାରୁ କମ୍ ମୂଲ୍ୟର କାର ଉପରେ ୬୦ ପ୍ରତିଶତ ଆମଦାନି ଶୁଳ୍କ ଆଦାୟ କରୁଛି।

ଏଥିସହିତ କମ୍ପାନି ଆସନ୍ତା ୬ ମାସ ମଧ୍ୟରେ ଭାରତରେ ୩ଟି ନୂଆ ମଡେଲର ଇଭି ଉନ୍ମୋଚନ କରିବ। କମ୍ପାନି ଆସନ୍ତା ମାସକ ମଧ୍ୟରେ ଏହାର ଇଲେକ୍ଟ୍ରିକ ଏସୟୁଭି ଆଇଏକ୍ସ ଆଣିବ। ଏହାପରେ ଆସନ୍ତା ୩ ମାସ ମଧ୍ୟରେ ଇଲେକ୍ଟ୍ରିକ ମିନି ଲକଜୁରୀ ହ୍ୟାଚବ୍ୟାକ୍ ଏବଂ ୬ ମାସ ମଧ୍ୟରୋ ବିଏମ୍‌ଡବ୍ଲ୍ୟୁ ଆଇ୪ ଆଣିବ।

ସମ୍ବନ୍ଧିତ ଖବର