ବିମାନ ବନ୍ଦରରେ ଲାଗିବ ଶରୀର ସ୍କାନର୍‌

୨୦୨୦ ମାର୍ଚ ସୁଦ୍ଧା ୮୪ ବିମାନ ବନ୍ଦରରେ କାର୍ଯ୍ୟକ୍ଷମ ହେବ

ନୂଆଦିଲ୍ଲୀ: ଦେଶର ବିମାନ ବନ୍ଦର ଗୁଡ଼ିକରେ ଆସନ୍ତା କିଛିମାସ ମଧ୍ୟରେ ଶରୀର ଯାଞ୍ଚ ପାଇଁ ଲାଗିବ ସ୍କାନର୍‌। ୨୦୨୦ ମାର୍ଚ ସୁଦ୍ଧା ଦେଶର ୮୪ଟି ଅତି ସମ୍ବେଦନଶୀଳ ଏବଂ ସମ୍ବେଦନଶୀଳ ବିମାନ ବନ୍ଦରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏହାପରେ ୨୦୨୧ ମାର୍ଚ ସୁଦ୍ଧା ଦେଶର ସବୁ ବିମାନ ବନ୍ଦରରେ ନୂଆ ବ୍ୟବସ୍ଥା ଲାଗୁହେବ। ବର୍ତମାନ ଦୁଆର ବନ୍ଧ ଭଳି ମେଟାଲ ଡିଟେକ୍ଟର ଏବଂ ହାତ ଧରା ସ୍କାନର ବଦଳରେ ସମ୍ପୂର୍ଣ୍ଣ ବଡି ସ୍କାନର ଲାଗିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ବିମାନ ବନ୍ଦର ଗୁଡ଼ିକୁ ଏ ନେଇ ନିର୍ଦେଶ ଦିଆଯାଇଛି। ବିମାନ ବନ୍ଦର ଗୁଡ଼ିକରେ ଲାଗିଥିବା ମେଟାଲ ଡିଟେକ୍ଟର ଦେଇ ପ୍ରବେଶ କରିବା ସମୟରେ ତାହା ଅଣ ଧାତବ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀକୁ ଧରିବା ସମ୍ଭବ ହେଉନାହି। ତେଣୁ ବଡି ସ୍କାନର ଲାଗିଲେ ବିମାନ ବନ୍ଦର ଭିତରକୁ ପ୍ରବେଶ କରୁଥିବା ଯାତ୍ରୀମାନଙ୍କ ଶରୀରରେ ଥିବା ଧାତବ ଏବଂ ଅଣଧାତବ ସାମଗ୍ରୀକୁ ଚିହ୍ନଟ କରାଯାଇ ପାରିବ। ବ୍ୟୁରୋ ଅଫ୍ ସିଭିଲ ଏଭିଏସନ୍ ସିକ୍ୟୁରିଟି (ବିସିଏଏସ) ପକ୍ଷରୁ ଗତ ଏପ୍ରିଲରେ ଦେଶର ସବୁ ବିମାନ ବନ୍ଦରକୁ ଏ ନେଇ ସର୍କୁଲାର ପଠାଯାଇଛି। ତେବେ ବଡି ସ୍କାନର ବ୍ୟବହାର ବେଳେ ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିୟର) ପାଳନ କରିବାକୁ ସର୍କୁଲାରରେ କୁହାଯାଇଛି। ଦେଶରେ ପ୍ରାୟ ୧୦୫ଟି ବିମାନ ବନ୍ଦରରୁ ବର୍ତମାନ ବିମାନ ଉଡ଼ାଣ ହେଉଛି। ଏଥିରୁ ୨୮ଟି ବିମାନ ବନ୍ଦର ଅତ୍ୟନ୍ତ ସମ୍ବେଦନଶୀଳ। ଅତି ସମ୍ବେଦନଶୀଳ ତାଲିକାରେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଆଦି ବିମାନ ବନ୍ଦର ରହିଛି। ‌ଏତଦବ୍ୟତୀତ ଜମ୍ମୁ କଶ୍ମୀର ଏବଂ ଉତ୍ତର ପୂର୍ବାଞ୍ଚଳର ରାଜ୍ୟ ଆଦିରେ ଥିବା ୫୬ଟି ବିମାନ ବନ୍ଦରକୁ ସମ୍ବେଦନଶୀଳ ତାଲିକାରେ ରଖାଯାଇଛି। ତେଣୁ ଏସବୁ ବିମାନ ବନ୍ଦରରେ ୨୦୨୦ ମାର୍ଚ ସୁଦ୍ଧା ସମ୍ପୂର୍ଣ୍ଣ ବଡି ସ୍କାନର ଲଗାଇବା ପାଇଁ କୁହାଯାଇଛି। ଉକ୍ତ ସ୍କାନରରେ ଯାତ୍ରୀଙ୍କ ଉଲ୍ଲଗ୍ନ ଚିତ୍ର ଆସିବା ଆଶଙ୍କା ଥିବା ନେଇ ଆଶଙ୍କା ବ୍ୟକ୍ତ କରାଯିବା ପରେ ବ୍ୟୁରୋ ଅଫ୍ ସିଭିଲ ଏଭିଏସନ ସକ୍ୟୁରିଟି ପକ୍ଷରୁ ପ୍ରାଇଭେସି ଫିଲଟରକୁ ବାଧ୍ୟତାମୂଳକ କରାଯାଇଛି। ଯାହାଫଳରେ ଏହି ସ୍କାନରରେ କେବଳ ଜଣେ ଯାତ୍ରୀଙ୍କ ଶରୀରର ବାହ୍ୟରେଖା ବା ମାନିକ୍ବିନ୍ ଭଳି ଚିତ୍ର ଆସିବ।

ବ୍ୟବହାର ପାଇଁ ନିରାପଦ
ବଡି ସ୍କାନର ଗୁଡ଼ିକ ଶରୀର ପାଇଁ କୌଣସି କ୍ଷତି ପହଞ୍ଚାଇବ ନାହିଁ। ମିଲିମିଟର ୱେଭ ପ୍ରଯୁକ୍ତି ଏହି ସ୍କାନର ଗୁଡ଼ିକରେ ବ୍ୟବହାର ହୋଇଛି। ଫଳରେ ଏକ୍ସ-ରେ ଭଳି କ୍ଷତିକାରକ ବିକିରଣ ଜନିତ ଅସୁବିଧା ଏଥିରେ ନାହିଁ। ଗର୍ଭବତୀ ମହିଳାଙ୍କଠାରୁ ଆରମ୍ଭ କରି ସବୁ ଶ୍ରେଣୀର ଲୋକଙ୍କ ପାଇଁ ଏହାର ବ୍ୟବହାର ନିରାପଦ। ଏଥିସହିତ କମ୍ ସମୟରେ ଅଧିକ ଯାତ୍ରୀଙ୍କ ଯାଞ୍ଚ ସହଜରେ କରାଯାଇ ପାରିବ। ଜଣେ ଯାତ୍ରୀଙ୍କ ସୁରକ୍ଷା ଯାଞ୍ଚ ପାଇଁ ମାତ୍ର ୮ ସେକେଣ୍ଡ ଲାଗିବ। ଘଣ୍ଟାକୁ ପାଖାପାଖି ୩୦୦ ଯାତ୍ରୀଙ୍କ ସୁରକ୍ଷା ଯାଞ୍ଚ କରାଯାଇ ପାରିବ ବୋଲି କୁହାଯାଇଛି। ଫଳରେ ବିମାନ ବନ୍ଦରରେ ଯାଞ୍ଚ ଜନିତ ଭିଡ଼ କମିବ।

ସମ୍ବନ୍ଧିତ ଖବର