ନୂଆଦିଲ୍ଲୀ: ଆମେରିକାରେ ୫ଜି ଟେଲିଫୋନ ସେବା ଆରମ୍ଭ ହୋଇଛି। ବିମାନ ଚଳାଚଳରେ ଏହି ପ୍ରଯୁକ୍ତି ଅସୁବିଧା ସୃଷ୍ଟି କରିବା ଆଶଙ୍କାରେ ଭାରତ ସମେତ ବିଶ୍ବର ଅନେକ ଏୟାରଲାଇନ୍ସ ଆମେରିକାକୁ ସେମାନଙ୍କ ଉଡ଼ାଣ ବାତିଲ କରିଥିଲେ। ଆଜି କିନ୍ତୁ ଏହି ସମସ୍ୟାର ସମାଧାନ ହୋଇଛି। ବିମାନ ନିର୍ମାଣକାରୀ କମ୍ପାନି ବୋଇଂ ଏଥିପାଇଁ ସବୁଜ ସଂକେତ ଦେବାପରେ ଏୟାର ଇଣ୍ଡିଆ ଆଜି ଆମେରିକାକୁ ୩ଟି ବିମାନ ଉଡ଼ାଣ ଆରମ୍ଭ କରିଛି। ସେଠାରେ ଅଟକି ରହିଥିବା ଯାତ୍ରୀଙ୍କୁ ଆଣିବା ପାଇଁ ଆଜି ଏହି ବିମାନ ୩ଟି ଉଡ଼ାଣ କରିଛି। ଆସନ୍ତାକାଲି ଠାରୁ ଆମେରିକାକୁ ଏୟାର ଇଣ୍ଡିଆର ଉଡ଼ାଣ ସୂଚୀ ସ୍ବାଭାବିକ ହେବ। ୨୨ ତାରିଖ ୦୦.୦୧ ଘଣ୍ଟାଠାରୁ ଆମେରିକା ଭାରତ ବିମାନ ଉଡ଼ାଣ ସ୍ବାଭାବିକ ହେବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ ଆଜି ଅପରାହ୍ଣରେ ଟ୍ବିଟ୍ କରାଯାଇଛି। ଆମେରିକାକୁ ଏୟାର ଇଣ୍ଡିଆ ବର୍ତ୍ତମାନ ବୋଇଂ ୭୭୭ ବିମାନ ଉଡ଼ାଣ କରିବ। ଏଥିପାଇଁ ବୋଇଂଠାରୁ ଅନୁମତି ମିଳିଛି ବୋଲି କୁହାଯାଇଛି। ବୋଇଂର ଅନୁମତି ମିଳିବା ପରେ ଏୟାର ଇଣ୍ଡିଆର ଦିଲ୍ଲୀ-ନ୍ୟୁୟର୍କ ବିମାନ ଆଜି ସକାଳ ୭ଟା ୪୫ ମିନିଟରେ ଛାଡ଼ିଛି ବୋଲି ଜଣେ ଅଧିକାରୀ କହିଛନ୍ତି। ସେହିଭଳି ଚିକୋଗୋକୁ ଅପରାହ୍ଣ ୨ଟା ୨୫ରେ ଏବଂ ସାନ୍ଫ୍ରାନସିସକୋକୁ ଅପରାହ୍ଣ ୩ଟା ୩୬ରେ ବିମାନ ଉଡ଼ାଣ ଆରମ୍ଭ ହୋଇଛି। ତେବେ ୩ଟି ଯାକ ବିମାନ ସକାଳେ ଉଡ଼ାଣ କରି ପାରିଥାନ୍ତା। କିନ୍ତୁ ଯାତ୍ରୀମାନେ ପୂର୍ବରୁ କରିଥିବା କୋଭିଡ୍ ପରୀକ୍ଷାର ଅବଧି ଶେଷ ହୋଇଯିବାରୁ ସେମାନଙ୍କୁ ଆଉଥରେ ପରୀକ୍ଷା କରାଯାଇଥିଲା ବୋଲି ଏୟାର ଇଣ୍ଡିଆର ଅଧିକାରୀମାନେ କହିଛନ୍ତି।
ବୋଇଂ ଦେଲା ସବୁଜ ସଂକେତ: ଆମେରିକାକୁ ଏୟାର ଇଣ୍ଡିଆ ବିମାନ ଉଡ଼ିଲା
/sambad/media/post_attachments/wp-content/uploads/2021/10/air-india-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)