ନୂଆଦିଲ୍ଲୀ: ବୋଇଂ ୭୩୭ ମ୍ୟାକ୍ସ ବିମାନଗୁଡ଼ିକର ଉଡ଼ାଣ ଉପରେ କେନ୍ଦ୍ର ସରକାର ରୋକ ଲଗାଇଥିବାରୁ ଅନେକ ବିମାନର ଉଡ଼ାଣ ବାତିଲ ହେଉଛି। ଏହାର ପ୍ରଭାବରେ ବିମାନ ଟିକଟ ଦର ଆକାଶଛୁଆଁ ସ୍ତରରେ ପହଞ୍ଚିଯାଇଛି। କିଛି ଦିନ ଭିତରେ ବିମାନ ଟିକଟ ଦରରେ ଦୁଇ ଗୁଣ ବୃଦ୍ଧି ହୋଇଛି। ଅନଲାଇନରେ ବିମାନ ଟିକଟ ବୁକିଙ୍ଗ ସୁବିଧା ପ୍ରଦାନ କରୁଥିବା ଇକ୍ସିଗୋର ସିଇଓ ଆଲୋକ ବାଜପେୟୀ କହିଛନ୍ତି ଯେ, ବିଭିନ୍ନ କାରଣ ଯୋଗୁ ଅନେକ ବିମାନ ଠିଆ ହୋଇରହିଛି। ଫଳରେ ସିଟ୍ ସଂଖ୍ୟା ବହୁତ କମିଯାଇଛି। ସେଥିପାଇଁ ଟିକଟ ଦର ବହୁତ ବଢ଼ିଛି। ଦିଲ୍ଲୀ-ମୁମ୍ବାଇ, ମୁମ୍ବାଇ-ଚେନ୍ନାଇ, ମୁମ୍ବାଇ-କୋଲକାତା ଏବଂ ମୁମ୍ବାଇ-ବେଙ୍ଗାଲୁରୁ ରୁଟ୍ରେ ଟିକଟ ଦର ଦୁଇ ଗୁଣ ବଢ଼ିଛି। ମୁମ୍ବାଇ-ଚେନ୍ନାଇ ରୁଟ୍ରେ ଗତବର୍ଷ ଏହି ସମୟରେ ଟିକଟ ଦର ୫୩୬୯ ଟଙ୍କା ଥିଲା। ଏବର୍ଷ ତାହା ୨୬,୦୭୩ ଟଙ୍କା ଭଳି ଉଚ୍ଚସ୍ତରରେ ପହଞ୍ଚିଯାଇଛି। ଆଗକୁ ହୋଲି ଆସୁଥିବା ବେଳେ ସ୍କୁଲ, କଲେଜର ଛୁଟି ସମୟ ମଧ୍ୟ ଆସୁଛି। ତେଣୁ ଟିକଟ ଦର ଉପରେ ଯାତ୍ରୀମାନଙ୍କୁ ସେଭଳି କିଛି ରିହାତି ମିଳିବାର ବହୁତ କମ୍ ସମ୍ଭାବନା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଇଥିଓପିଆନ୍ ଏୟାରଲାଇନ୍ସର ଏକ ବୋଇଂ ୭୩୭ ମାକ୍ସ ୮ ବିମାନ ଅଦିସ୍ ଅବାବାରେ ଗତ ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ପରେ ବିଭିନ୍ନ ଦେଶ ତରଫରୁ ଏହି ବିମାନଗୁଡ଼ିକର ଉଡ଼ାଣ ଉପରେ କଟକଣା ଜାରି କରାଯାଇଥିଲା। ଭାରତ ସରକାରଙ୍କ ବିମାନ ଚଳାଚଳ ନିୟାମକ ସଂସ୍ଥା ଡିଜିସିଏ ତରଫରୁ ଗତ ମଙ୍ଗଳବାର ଠାରୁ ବୋଇଂ ୭୩୭ ମ୍ୟାକ୍ସର ଉଡ଼ାଣ ଉପରେ ରୋକ ଲଗାଯାଇଛି। ଯେଉଁ ସବୁ ଏୟାରଲାଇନ୍ସ ପାଖରେ ଏହି ବିମାନ ଥିଲା ସେଗୁଡ଼ିକ ଠିଆ ହୋଇରହିଛି।