ମୁମ୍ବାଇ: ମାସକ ଭିତରେ ଦ୍ବିତୀୟ ଥର ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଏଥର ରୁଷୀୟ ଭାଷାରେ ଏକ ଇମେଲ୍ ଜରିଆରେ ଏହି ଧମକ ଦିଆଯାଇଛି। ରିଜର୍ଭ ବ୍ୟାଙ୍କର ଅଫିସିଆଲ୍ ମେଲ୍ ଆଇଡିରେ ସେହି ଧମକ ଆସିଛି। ପୁଲିସ ଅଜଣା ବ୍ୟକ୍ତିଙ୍କ ନାମରେ ମାତା ରମାବାଇ ମାର୍ଗ ଥାନାରେ ଏକ ମାମଲା ରୁଜୁ କରିଛି। କେଉଁ ଉତ୍ସରୁ ମେଲ୍ ଆସିଛି ତାହା ଜାଣିବା ଲାଗି ତଦନ୍ତ ଆରମ୍ଭ ହୋଇଛି।
ଏହା ପୂର୍ବରୁ ଗତ ନଭେମ୍ବର ୧୬ରେ ରିଜର୍ଭ ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର ନମରକୁ ବୋମା ଧମକ ଆସିଥିଲା। ଧମକ ଦେଇଥିବା ବ୍ୟକ୍ତି ନିଜକୁ ଲସ୍କର-ଏ-ତୋଏବାର ସିଇଓ କହିଥିଲା। ଧମକ ଦେବା ପୂର୍ବରୁ ବ୍ୟକ୍ତି ଜଣକ ଏକ ଗୀତ ମଧ୍ୟ ଗାଇଥିଲା। ଲସ୍କର-ଏ-ତୋଏବା ହେଉଛି ଏକ ଆତଙ୍କବାଦୀ ସଂଗଠନ ଯାହା ୨୦୦୮ ମୁମ୍ବାଇ ଆକ୍ରମଣ କରିଥିବା ଦାବି କରିଛି। ରିଜର୍ଭ ବ୍ୟାଙ୍କକୁ ଏଭଳି ଏକ ସମୟରେ ବୋମା ଧମକ ଆସିଛି ଯେତେବେଳେ ଦିଲ୍ଲୀର ୪୪ଟି ସ୍କୁଲ୍କୁ ମଧ୍ୟ ସେହି ଧରଣର ଇ-ମେଲ୍ ପହଞ୍ଚିଛି। ଦିଲ୍ଲୀର ବିଭିନ୍ନ ସ୍କୁଲ୍ରେ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଖୋଜାଖୋଜି କରିଥିଲେ। ପ୍ରତିଷେଧମୂଳକ ସୁରକ୍ଷା ଦୃଷ୍ଟିରୁ ନିଜ ପିଲାମାନଙ୍କୁ ଘରକୁ ନେଇଯିବା ଏବଂ ଯେଉଁମାନେ ସ୍କୁଲ୍ ଆସିନାହାନ୍ତି ସେମାନଙ୍କୁ ନ ପଠାଇବା ଲାଗି ସ୍କୁଲ୍ କର୍ତ୍ତୃପକ୍ଷ ଅଭିଭାବକମାନଙ୍କୁ ଅନୁରୋଧ କରିଥିଲେ।