୧୪୭ ବର୍ଷରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌

ମୁମ୍ବାଇ : ଦେଶର ସବୁଠୁ ପୁରୁଣା ଷ୍ଟକ ବଜାର ‘ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍‌’ ୧୪୬ ବର୍ଷର ଯାତ୍ରା ପୂରଣ କରି ୧୪୭ ବର୍ଷରେ ପାଦ ଥାପିଛି। ଏକ ବରଗଛ ତଳୁ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ଏବେ ସାରା ଦେଶ ପାଇଁ ଏକ ପରିଚିତ ଠିକଣା। ଏହା ଥିଲା ଏସିଆର ପ୍ରଥମ ଷ୍ଟକ ଏକ୍ସଚେଞ୍ଜ୍‌। ୧୮୭୫ ଜୁଲାଇ ୯ରେ ଏହାକୁ ସ୍ଥାପନ କରାଯାଇଥିଲା। ସେ‌ତେବେଳେ ଏହାର ନାମ ଥିଲା ‘ଦି ନେଟିଭ୍ ସେୟାର ଆଣ୍ଡ୍‌ ବ୍ରୋକର ଆସୋସିଏସନ’। ୧୯୮୬ ଜାନୁଆରି ୨ରେ ଦେଶର ପ୍ରଥମ ଇକ୍ବିଟି ସୂଚୀ ସେନ୍‌ସେକ୍ସ ପ୍ରଚଳନ କରାଯାଇଥିଲା। ସମ୍ପତ୍ତି ସୃଷ୍ଟି କରିବାରେ ଏହା ଏକ ପ୍ରମୁଖ ମାଧ୍ୟମ ଭାବେ ଉଭା ହୋଇଛି। ବର୍ତ୍ତମାନ ଏଠାରେ ୪୭୦୦ରୁ ଅଧିକ କଂପାନିର ସେୟାର କାରବାର ହେଉଛି। ୭ କୋଟି ୨୦ ଲକ୍ଷରୁ ଅଧିକ ନିବେଶକ ସେୟାର କାରବାରରେ ଭାଗ ନେଉଛନ୍ତି। ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା କଂପାନିଗୁଡ଼ିକର ବଜାର ମୂଲ୍ୟ ୩ ଲକ୍ଷ କୋଟି ଡଲାରରୁ ଅଧିକ ରହିଛି। ଉନବିଂଶ, ବିଂଶ ଓ ଏକବିଂଶ ଶତାବ୍ଦୀରେ ଏହା ନିବେଶକଙ୍କୁ ଦୁଇ ଅଙ୍କ ବିଶିଷ୍ଟ ରିଟର୍ଣ୍ଣ ପ୍ରଦାନ କରିବାରେ ସଫଳ ହୋଇଛି।

ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ରେ ପ୍ରାରମ୍ଭିକ ସମୟରେ ପାରମ୍ପରିକ ‘ଓପନ୍ ଆଉଟ୍‌କ୍ରାଏ ସି‌ଷ୍ଟମ୍’ ଥିଲା। ସେଥିରେ ‌ବ୍ରୋକରମାନେ ଏକ ନିର୍ଦିଷ୍ଟ ସ୍ଥାନରେ ଭିଡ଼ ଜମାଇ କାରବାର କରୁଥିଲେ। ସେହି ସ୍ଥାନକୁ ଟ୍ରେଡିଂ ରିଙ୍ଗ କୁହାଯାଉଥିଲା। ବ୍ରୋକର ଓ କର୍ମଚାରୀମାନେ ସେଠାରେ ଜମା ହେଉଥିଲେ। ହାତ ହଲାଇ ଓ କିଛି ସ୍ବତନ୍ତ୍ର ପ୍ରକାର ଶବ୍ଦକୁ ସେୟାର କାରବାର ଲାଗି ବ୍ରୋକରମାନେ ବ୍ୟବହାର କରୁଥିଲେ। ଅନେକ ସମୟରେ ସେୟାର କିଣିବା ଓ ବିକିବା ଲାଗି ବ୍ରୋକରମାନଙ୍କ ମଧ୍ୟ ଧସ୍ତାଧସ୍ତି ଭଳି ସ୍ଥିତି ସୃଷ୍ଟି ହେଉଥିଲା। କୁହାଯାଏ ଯେ ସେମାନଙ୍କ କୋଳାହଳ ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଉଥିଲା। ସେତେବେଳେ ବ୍ରୋକରମାନଙ୍କୁ ସ୍ବତନ୍ତ୍ର ପ୍ରକାରର ବ୍ୟାଜ୍ ପ୍ରଦାନ କରାଯାଉଥିଲା। ସମୟ ଗଡ଼ିବା ସହ ଷ୍ଟକ ବଜାରରେ ପ୍ରଯୁକ୍ତିର ବ୍ୟବହାର ବଢ଼ିଥିଲା। ଯେଉଁ କାମ ବ୍ରୋକରମାନେ କରୁଥିଲେ ତାହା କମ୍ପ୍ୟୁଟର ଜରିଆରେ ହେଲା। ସେୟାର କାରବାର ପ୍ରତି ନୂଆ ପିଢ଼ି ଆଗ୍ରହ ପ୍ରକାଶ କଲେ। ଧୀରେ ଧୀରେ ପୁରୁଣା ବ୍ୟବସ୍ଥା ଇତିହାସ ପାଲଟିଗଲା। ପୂର୍ବରୁ ଯେଉଁ ପୁରୁଣା କୋଠାରେ କାରବାର ହେଉଥିଲା ତାହାର ନାମ ଥିଲା ବିଏସ୍‌ଇ ଟାୱାର୍ସ। ପରବର୍ତୀ ସମୟରେ ତାହାକୁ ଏକ୍ସଚେଞ୍ଜ୍‌ର ପୂର୍ବତନ ଅଧ୍ୟକ୍ଷ ଫି‌ରୋଜ ଜାମ୍‌ସେଦ୍‌ଜୀ ଜିଜିଭୋୟଙ୍କ ନାମ ଅନୁସାରେ ‘ପିଜେ ଟାୱାର’ ରଖାଯାଇଥିଲା। ବିଗତ ୪୭ ବର୍ଷ ଭିତରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ ଏହାର ଲୋଗୋକୁ ମଧ୍ୟ ଅନେକ ଥର ବଦଳାଇଛି। ୨୦୧୫ରେ ବିଏସ୍‌ଇ ଦୁନିଆର ସବୁଠୁ ଦ୍ରୁତତମ ଷ୍ଟକ ଏକ୍ସଚେଞ୍ଜ୍‌ରେ ପରିଣତ ହୋଇଥିଲା। ଏଠାରେ ୬ ମାଇକ୍ରୋ ସେକେଣ୍ଡ୍‌ ଭଳି କମ୍ ସମୟରେ କାରବାର ହେଉଛି। ଆଜି ପ୍ରତିଷ୍ଠା ଦିବସରେ ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ୧୮୩ ପଏଣ୍ଟ୍‌ ହ୍ରାସ ସହ ୫୨,୩୮୬ ପଏଣ୍ଟ୍‌ରେ ବନ୍ଦ ହୋଇଛି।

ସମ୍ବନ୍ଧିତ ଖବର