ନୂଆଦିଲ୍ଲୀ: ଗତବର୍ଷ ସିନେମା ଜଗତ ଲାଗି ଥିଲା ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବର୍ଷ। ପାରମ୍ପରିକ ଭାବେ ଆୟରେ ଆଗୁଆ ରହୁଥିବା ବଲିଉଡ୍ ଓ ହଲିଉଡ୍ ସିନେମାଗୁଡ଼ିକ ଭଲ ପ୍ରଦର୍ଶନ କରିବାକୁ ସଂଘର୍ଷ କରିଥିଲେ। କିନ୍ତୁ ଆଞ୍ଚଳିକ ସିନେମା ଶିଳ୍ପଗୁଡ଼ିକ ନିର୍ମାଣ କରିଥିବା କେତେକ ସିନେମା ଦର୍ଶକଙ୍କ ମନ ଜିଣିବା ସହ ଭଲ ଆୟ କରିଥିଲେ। ୨୦୨୪ରେ ବଲିଉଡ୍ ଶିଳ୍ପର ଆୟ ୧୩ ପ୍ରତିଶତ ହ୍ରାସ ପାଇଥିବା ଓର୍ମାକ୍ସ ମିଡିଆ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରୁ ଜଣାପଡ଼ିଛି। ୨୦୨୪ରେ ଭାରତୀୟ ବକ୍ସ ଅଫିସ୍ରୁ ମୋଟ୍ ଆୟ ୧୧,୮୩୩ କୋଟି ଟଙ୍କା ଥିଲା ଯାହା ୨୦୨୩ ତୁଳନାରେ ୩ ପ୍ରତିଶତ କମ୍। ୨୦୧୯, ୨୦୨୨ ଓ ୨୦୨୩ ପରେ ଚତୁର୍ଥ ବର୍ଷ ପାଇଁ ୨୦୨୪ରେ ମୋଟ ଆୟ ୧୦ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି। ଗତବର୍ଷ ବଲିଉଡ୍ର ଆୟ ୪୬୭୯ କୋଟି ଟଙ୍କା ଓ ହଲିଉଡ୍ ଆୟ ୯୪୧ କୋଟି ଟଙ୍କା ଥିଲା। ରିପୋର୍ଟ ଅନୁଯାୟୀ ୨୦୨୪ରେ ବଲିଉଡ୍ ହିନ୍ଦୀ ସିନେମାର ମୋଟ ଆୟ ୧୩ ପ୍ରତିଶତ ହ୍ରାସ ପାଇ ୪୬୭୯ କୋଟି ଟଙ୍କା ହୋଇଛି। ୨୦୨୩ରେ ଆୟ ୫୩୮୦ କୋଟି ଟଙ୍କା ଥିଲା।
ଉଭୟ ବଲିଉଡ୍, ହଲିଉଡ୍ ଆୟ ପ୍ରଭାବିତ
ପୁଷ୍ପା ୨ର ଆୟ ସର୍ବାଧିକ ୧୪୦୩ କୋଟି
ମନ ଜିଣୁଛି ମାଲୟାଲମ ସିନେମା
ଭାରତୀୟ ବକ୍ସ ଅଫିସ୍ରେ ହିନ୍ଦୀ ସିନେମାର ଭାଗ ଗତବର୍ଷ ୪୦ ପ୍ରତିଶତକୁ ହ୍ରାସ ପାଇଛି ଯାହା ୨୦୨୩ରେ ୪୪ ପ୍ରତିଶତ ରହିଥିଲା। ଆଶ୍ଚର୍ଯ୍ୟର ବିଷୟ ହେଉଛି ହିନ୍ଦୀ ସିନେମା ଶିଳ୍ପର ୩୧ ପ୍ରତିଶତ ଆୟ ଦକ୍ଷିଣ ଭାରତୀୟ ଡବିଂ ସିନେମାରୁ ହୋଇଛି। ଯଦି କେବଳ ବଲିଉଡ୍ରେ ତିଆରି ହୋଇଥିବା ହିନ୍ଦୀ ସିନେମାକୁ ବିଚାରକୁ ନିଆଯିବ ତେବେ ଆୟ ୩୭ ପ୍ରତିଶତ ହ୍ରାସ ପାଇଥିବା ରିପୋର୍ଟରେ ଦାବି କରାଯାଇଛି। ୨୦୨୪ରେ ହଲିଉଡ୍ ସିନେମାର ଆୟ ୧୭ ପ୍ରତିଶତ ହ୍ରାସ ପାଇ ୯୪୧ କୋଟି ଟଙ୍କାକୁ ଖସି ଆସିଥିଲା। ୨୦୨୩ରେ ହଲିଉଡ୍ ସିନେମାଗୁଡ଼ିକ ଭାରତରେ ୧୧୩୯ କୋଟି ଟଙ୍କା ଆୟ କରିଥିଲେ। ୨୦୨୪ରେ ସର୍ବାଧିକ ୧୪୦୩ କୋଟି ଟଙ୍କା ଆୟ କରିଥିଲା ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ସିନେମା ପୁଷ୍ପା ୨: ଦି ରୁଲ୍। ଏହାର ହିନ୍ଦୀ ଡବିଂ ସିନେମାରୁ ୮୮୯ କୋଟି ଟଙ୍କା ଆୟ ହୋଇଥିଲା। ପୁଷ୍ପା୨ ବ୍ୟତୀତ କଳକୀ ୨୮୯୮ ଏଡି ଓ ସ୍ତ୍ରୀ ୨ ହେଉଛି ଦୁଇ ସିନେମା ଯାହାର ଆୟ ୫୦୦ କୋଟି ଟଙ୍କାରୁ ଅଧିକ ଥିଲା। ଦେବରା-ପାର୍ଟ ୧, ଭୁଲ ଭୁଲେୟା ୩ ଓ ଦି ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍ର ଆୟ ୩୦୦ କୋଟି ଟଙ୍କାରୁ ଅଧିକ ଥିଲା। ଦେଶର ବକ୍ସ ଅଫିସ୍ ଆୟରେ କେରଳର ମାଲୟାଲମ୍ ସିନେମାର ଭାଗ ଦୁଇ ଗୁଣା ବୃଦ୍ଧି ପାଇ ୧୦ ପ୍ରତିଶତ ହୋଇଛି। ପ୍ରଥମ ଥର ପାଇଁ ମାଲାୟାଲମ ଶିଳ୍ପ କୌଣସି ଗୋଟିଏ ବର୍ଷରେ ୧୦୦୦ କୋଟି ଟଙ୍କାରୁ ଅଧିକ ଆୟ କରିଛି। ତାମିଲ ଓ ତେଲୁଗୁ ସିନେମା ନିଜର ବଜାର ଭାଗ ବଜାୟ ରଖିବାରେ ସଫଳ ହୋଇଛନ୍ତି। ଗୁଜରାଟୀ ସିନେମାରୁ ୮୪ କୋଟି ଟଙ୍କା ଆୟ ହୋଇଛି।