ନୂଆଦିଲ୍ଲୀ: ଭାରତର ଆତଙ୍କବାଦ ବିରୋଧ ଲଢ଼େଇରେ ପାକିସ୍ତାନକୁ ସମର୍ଥନ କରିଥିବାରୁ ଭାରତୀୟମାନେ ତୁର୍କୀ ଓ ଅଜରବୈଜାନକୁ ବୟକଟ୍‌ କରୁଛନ୍ତି। ପର୍ଯ୍ୟଟକମାନେ ସେମାନଙ୍କ ବୁକିଂ ବାତିଲ କରୁଛନ୍ତି। ମେକ୍‌ମାଇଁଟ୍ରିପ୍‌ରେ ତୁର୍କୀ ଓ ଅଜରବୈଜାନ ବୁକିଂ ବାତିଲରେ ୨୫୦ ପ୍ରତିଶତ ବୃଦ୍ଧି ହୋଇଛି। ଏଥି ସହିତ ନୂଆ ବୁକିଂରେ ମଧ୍ୟ ୬୦ ପ୍ରତିଶତ ହ୍ରାସ ଘଟିଛି। ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିବା ସହ ଅସ୍ତ୍ରଶସ୍ତ୍ର ଯୋଗାଇଥିବା ତୁର୍କୀ ଓ ଅଜରବୈଜାନକୁ ବୟକଟ୍ କରିବାକୁ ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ ଚାଲିଛି। ବିଶିଷ୍ଟ ଶିଳ୍ପପତି ହର୍ଷ ଗୋଏଙ୍କା କହିଛନ୍ତି ଯେ ଏହି ଦେଶଗୁଡ଼ିକରେ ଭାରତୀୟମାନେ ଗତବର୍ଷ ୪୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। କିନ୍ତୁ ସେମାନେ ଆମ ଶତ୍ରୁ ରାଷ୍ଟ୍ର ସହ ସମର୍ଥନରେ ଠିଆ ହୋଇଛନ୍ତି। 

Advertisment

ଦୁନିଆରେ ଆହୁରି ଅନେକ ସୁନ୍ଦର ସ୍ଥାନ ଅଛି। ଏହି ଦୁଇ ଦେଶକୁ ନ ଯିବାକୁ ସେ ଲୋକମାନଙ୍କୁ ଆହ୍ବାନ ଦେଇଥିଲେ। ଏଭଳି ଏକ ସମୟରେ ଭାରତୀୟ ଯାତ୍ରୀମାନଙ୍କ ଲାଗି ଟ୍ରାଭେଲ୍‌ କମ୍ପାନିଗୁଡ଼ିକ ଆଡ୍‌ଭାଇଜରି ଜାରି କରିଛନ୍ତି। ତୁର୍କୀ ଓ ଅଜରବୈଜାନକୁ ନ ଯିବାକୁ ସେମାନେ ପରାମର୍ଶ ଦେଇଛନ୍ତି। ଇଜମାଇଁଟ୍ରିପ୍‌ର ସହ ପ୍ରତିଷ୍ଠାତା ନିଶାନ୍ତ ପିଟି କହିଥିଲେ ଯେ ଗତବର୍ଷ ୨,୮୭,୦୦୦ ଭାରତୀୟ ତୁର୍କୀ ଓ ୨,୪୩,୦୦୦ ଅଜରବୈଜାନ ଯାଇଥିଲେ। ଏହି ଦୁଇ ଦେଶର ଅର୍ଥନୀତି ଓ ନିଯୁକ୍ତି ପର୍ଯ୍ୟଟନ ଉପରେ ନିର୍ଭରଶୀଳ। ଏହି ଦେଶ ଖୋ‌ଲାଖୋଲି ଭାବେ ପାକିସ୍ତାନକୁ ସମର୍ଥନ କରୁଥିବା ବେଳେ ଆମେ ସେମାନଙ୍କ ଅର୍ଥନୀତିକୁ ଦୃଢ଼ କରିବାରେ ଯୋଗ‌ଦାନ ଦେବା ଉଚିତ କି ବୋଲି ସେ ପ୍ରଶ୍ନ କରିଥିଲେ। କକ୍ସ ଆଣ୍ଡ୍ କିଙ୍ଗ୍‌ସ ପକ୍ଷରୁ ତୁର୍କୀ ଓ ଅଜରବୈଜାନ ପାଇଁ ବୁକିଂ ବାତିଲ କରାଯାଇଥଲା। ଦେଶର ହିତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କମ୍ପାନିର ନିର୍ଦ୍ଦେଶକ କରନ୍‌ ଅଗ୍ରୱାଲ୍ କହିଛନ୍ତି। ସେହିପରି, ପୂର୍ବରୁ ବୁକିଂ କରିଥିବା ଲୋକମାନଙ୍କ ପାଇଁ ଟ୍ରେଭୋମିଣ୍ଟ ପକ୍ଷରୁ ବାତିଲକୁ ନିଃଶୁଳ୍କ କରାଯାଇଛି। ତୁର୍କୀ ଓ ଅଜରବୈଜାନକୁ ବୟକଟ୍ କରିବା ଲାଗି ଭାରତରେ ଉଠିଥିବା ସ୍ବରକୁ ଆମେ ସମର୍ଥନ କରୁଛୁ ବୋଲି କମ୍ପାନିର ସିଇଓ ଆଲୋକ ସିଂହ କହିଛନ୍ତି। ମହାରାଷ୍ଟ୍ରରେ ତୁର୍କୀ କମ୍ପାନିଙ୍କୁ ବି‌ରୋଧ କରାଯିବ ବୋଲି ଶିବସେନା ପକ୍ଷରୁ ଘୋଷଣା କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ତୁର୍କୀ ଓ ଅଜରବୈଜାନ ଉତ୍ପାଦଗୁଡ଼ିକୁ ମଧ୍ୟ ବର୍ଜନ କରିବାକୁ ଆହ୍ବାନ ଦିଆଯାଇଛି।