ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବକୁ ନଜରରେ ରଖି ସ୍ବଚ୍ଛ ଓ ସବୁଜ ଶକ୍ତି ଆଡ଼କୁ ମୁହାଁଇଥିବା ବିଶ୍ବର ଏକ ଅଗ୍ରଣୀ କମ୍ପାନି ‘ବିପି’ ନିଜର ନିଷ୍ପତ୍ତି ବଦଳାଇଛି। ଏହା ପୁଣି ଥରେ ଜୀବାଶ୍ମ ଇନ୍ଧନ ମୁହାଁ ହୋଇଛି। କମ୍ପାନିର ସିଇଓ ମୁରେ ଅଚିନ୍କ୍ଲସ୍ କହିଛନ୍ତି ଯେ ତୈଳ ଓ ଗ୍ୟାସ୍ କ୍ଷେତ୍ରରେ ବାର୍ଷିକ ପୁଞ୍ଜିନିବେଶକୁ ୧୦୦୦ କୋଟି ଡଲାରକୁ ବୃଦ୍ଧି କରାଯିବ। ଏଥି ସହିତ ଅକ୍ଷୟ ଶକ୍ତିରେ ହେଉଥିବା ନିବେଶ କମ୍ ହେବ।
ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଲାଗି ବିପି ଏଭଳି ନିଷ୍ପତ୍ତି ନେଇଛି। ସ୍ବଚ୍ଛ ଓ ସବୁଜ ଶକ୍ତିରେ ବାର୍ଷିକ ୫୦୦ କୋଟି ଡଲାରରୁ ଅଧିକ ନିବେଶ କରିବାକୁ କମ୍ପାନି ଯେଉଁ ନିଷ୍ପତ୍ତି ନେଇଥିବା ତାହା ବଦଳାଇଛି। ଏହା ସେହି କ୍ଷେତ୍ରଗୁଡ଼ିକରେ ବାର୍ଷିକ ନିବେଶକୁ ୧୫୦-୨୦୦ କୋଟି ଡଲାର ମଧ୍ୟରେ ରଖିବାକୁ ଚାହୁଛି। କମ୍ପାନିର ସିଇଓ ଶ୍ରୀ ଅଚିନ୍କ୍ଲସ୍ କହିଛନ୍ତି ଯେ ଆଗାମୀ ବର୍ଷଗୁଡ଼ିକ ପାଇଁ ଅଧିକ ମାର୍ଜିନ୍ ମିଳୁଥିବା ଶକ୍ତି କ୍ଷେତ୍ରରେ ଉଭୟ ନିବେଶ ଓ ଉତ୍ପାଦନ ବଢ଼ିବ। ଅକ୍ଷୟ ଶକ୍ତିରେ ଯେଉଁଠାରେ ଅଗ୍ରଣୀ ସୁଯୋଗ ରହିଛି, କେବଳ ସେହି କ୍ଷେତ୍ରଗୁଡ଼ିକ ଉପରେ ଗୁରୁତ୍ବ ଦିଆଯିବ। ଅଚିନ୍କ୍ଲସ୍ଙ୍କ ପୂର୍ବରୁ ବିପିର ସିଇଓ ଦାୟିତ୍ବ ନିର୍ବାହ କରୁଥିବା ବର୍ନାର୍ଡ ଲୋନି ୨୦୨୦ରେ ଏକ ଐତିହାସିକ ନିଷ୍ପତ୍ତି ନେଇ ତୈଳ ଓ ଗ୍ୟାସ୍ ଉତ୍ପାଦନ ୪୦ ପ୍ରତିଶତ କମ୍ କରିବା ଓ ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି ଭାଗକୁ ଦ୍ରୁତ ଗତିରେ ବଢ଼ାଇବାକୁ ସଂକଳ୍ପ ନେଇଥିଲେ। କିନ୍ତୁ ତାଙ୍କ ଦ୍ବାରା ନିର୍ଧାରଣ କରାଯାଇଥିବା ଲକ୍ଷ୍ୟ କମ୍ପାନିକୁ ବିଶେଷ ଫଳ ପ୍ରଦାନ କରିନଥିଲା। ତେଣୁ ୨୦୨୩ରେ କମ୍ପାନି ସେହି ଲକ୍ଷ୍ୟ ବଦଳାଇବାକୁ ବାଧ୍ୟ ହୋଇଥିଲା। ତୈଳ ଓ ଗ୍ୟାସ୍ ଉତ୍ପାଦନ ୨୩ ପ୍ରତିଶତ କମ୍ କରିବାକୁ ନିଷ୍ପତ୍ତି ନେଇଥିଲା।
କେବଳ ବିପି ନୁହେଁ, ବିଶ୍ବର ଅନେକ କମ୍ପାନି, ଯେଉଁମାନେ ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ସ୍ବୀକାର କରି ଏବଂ କାର୍ବନ ନିର୍ଗମନ ହ୍ରାସ କରିବା ଲାଗି ଅକ୍ଷୟ ଶକ୍ତି ଆଡ଼କୁ ମୁହାଁଇଥିଲେ, ସେମାନେ ଏବେ ନିଜର ନିଷ୍ପତ୍ତି ବଦଳାଉଛନ୍ତି। ବ୍ୟବସାୟ ବଞ୍ଚାଇବା ଲାଗି ସେମାନେ ପୁଣି ଥରେ ଜୀବାଶ୍ମ ଇନ୍ଧନ ଆଡ଼କୁ ମୁହାଁଇଛନ୍ତି। କୋଭିଡ୍ ମହାମାରୀ ପରବର୍ତ୍ତୀ ସମୟରେ ଏହି କ୍ଷେତ୍ରରୁ ମିଳୁଥିବା ରିଟର୍ଣ୍ଣରେ ସୁଧାର ଘଟିବାରୁ ସେମାନଙ୍କୁ ନିଷ୍ପତ୍ତି ବଦଳାଇବାକୁ ପଡ଼ୁଛି।