ବିପିସିଏଲ୍‌ର ଘରୋଇକରଣ ଦିଗରେ ଆଉ ପାଦେ : କର୍ମଚାରୀଙ୍କୁ ଭିଆର୍‌ଏସ୍‌ ଅଫର୍‌

ନୂଆଦିଲ୍ଲୀ : ଦେଶର ଦ୍ବିତୀୟ ବଡ଼ ତୈଳ କଂପାନି ଭାରତ ପେଟ୍ରୋଲିୟମ୍‌ କର୍ପୋରେସନ୍ ଲିମିଟେଡ୍ (ବିପିସିଏଲ୍‌)ର ଘରୋଇକରଣ ପୂର୍ବରୁ କର୍ମଚାରୀଙ୍କ ପାଇଁ ସ୍ବେଚ୍ଛାକୃତ ଅବସର ସ୍କିମ୍ (ଭିଆର୍‌ଏସ୍‌) ଘୋଷଣା କରାଯାଇଛି। ଯେଉଁ କର୍ମଚାରୀମାନେ ବ୍ୟକ୍ତିଗତ କାରଣରୁ ଆଉ ଚାକିରିରେ ରହିବାକୁ ଚାହୁନାହାନ୍ତି ସେମାନେ ଏହାର ଲାଭ ଉଠାଇପାରିବେ। ଏହି ସ୍କିମ୍ ଜୁଲାଇ ୨୩ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଉପଲବ୍ଧ ରହିବ। ବିପିସିଏଲ୍‌ର ଘରୋଇକରଣ ହେଲେ ତାହା ଏକ ଘରୋଇ କର୍ତ୍ତୃପକ୍ଷଙ୍କ ଦ୍ବାରା ପରିଚାଳିତ ହେବ। ଅନେକ କର୍ମଚାରୀ ତାହା ଅଧୀନରେ କାର୍ଯ୍ୟ କରିବାକୁ ସହଜ ମନେ କରିନପାରନ୍ତି। କିଛି କର୍ମଚାରୀ କିମ୍ବା ଅଧିକାରୀଙ୍କ ଦାୟିତ୍ବ, ସ୍ଥିତି ଏବଂ ଚାକିରି ସ୍ଥାନ ବଦଳିବାର ଆଶଙ୍କା ରହିଛି। ତାହାକୁ ଦୃଷ୍ଟିରେ ରଖି ଆଗୁଆ ଅବସର ନେବା ଲାଗି କର୍ମଚାରୀମାନଙ୍କୁ ସ‌ୁଯୋଗ ଦିଆଯାଇଛି।

କଂପାନି କର୍ତ୍ତୃପକ୍ଷ ଯେଉଁ ଭିଆରଏସ୍‌ ସ୍କିମ୍ ଆଣିଛନ୍ତି ତାହାକୁ ୫-୧୦ ପ୍ରତିଶତ ଗ୍ରହଣ କରିପାରନ୍ତି ବୋଲି ଆଶା କରାଯାଉଛି। ଯେଉଁ କର୍ମଚାରୀମାନଙ୍କ ବୟସ ୪୫ ବର୍ଷରୁ ଅଧିକ ସେମାନେ ଭିଆର୍‌ଏସ୍‌ ସ୍କିମ୍‌ର ଲାଭ ଉଠାଇପାରିବେ। ପୁଞ୍ଜି ବଜାରରେ ବିପିସିଏଲ୍‌ର ମୂଲ୍ୟ ଏବେ ୯୭,୨୪୭ କୋଟି ଟଙ୍କା ରହିଛି। ସରକାରଙ୍କ ଯେତିକି ଅଂଶଧନ ରହିଛି ତାହାର ମୂଲ୍ୟ ହେଉଛି ୫୧ ହଜାର କୋଟି ଟଙ୍କା। ଯେଉଁ ସଂସ୍ଥା ସରକାରଙ୍କ ଅଂଶଧନ କିିଣି ତାହା ଅନ୍ୟ ଅଂଶଧନକାରୀଙ୍କ ପାଖରେ ଥିବା ବଳକା ୨୬ ପ୍ରତିଶତ ଅଂଶଧନକୁ କିଣିବା ଲାଗି ଓପନ୍ ଅଫର ଘୋଷଣା କରିବାକୁ ପଡ଼ିବ। ଚଳିତ ଆର୍ଥିକ ବର୍ଷରେ ପୁଞ୍ଜି ପ୍ରତ୍ୟାହାରରୁ ସରକାର ୨.୧ ଲକ୍ଷ କୋଟି ଟଙ୍କା ପାଇବାକୁ ଲକ୍ଷ୍ୟ ରଖିଛନ୍ତି। ସେହି ଲକ୍ଷ୍ୟ ହାସଲ କରିବା ଲାଗି ବିପିସିଏଲ୍‌ର ଘରୋଇକରଣ ଜରୁରୀ। ବିପିସିଏଲ୍‌ର ଘରୋଇକରଣରେ କୌଣସି ରାଷ୍ଟ୍ରାୟତ୍ତ ‌ଉ‌ଦ୍ୟୋଗ ଭାଗ ନେଇପାରିବେ ନାହିଁ। ଯେଉଁ ଘରୋଇ କଂପାନିର ମୋଟ୍‌ କାରବାର ପରିମାଣ ୧୦୦୦ କୋଟି ଡଲାରରୁ ଅଧିକ ହୋଇଥିବ ସେଭଳି କଂପାନି ବିଡ୍‌ ଦାଖଲ କରିପାରିବେ। ଏକକାଳୀନ ଚାରିରୁ ଅଧିକ ସଂସ୍ଥା ମିଳିତ ହୋଇ ବିଡ୍ ଦାଖଲ କରିପାରିବେ ନାହିଁ। ଅର୍ଥାତ ଅତିବେଶିରେ ଚାରିଟି ସଂସ୍ଥା ଏକତ୍ରୀତ ହୋଇ ବିପିସିଏଲ୍‌ ପାଇଁ ବିଡ୍‌ ଦାଖଲ କରିପାରିବେ।

ସମ୍ବନ୍ଧିତ ଖବର