ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସରଳୀକରଣକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ବର୍ତ୍ତମାନ ପ୍ରଚଳନରେ ଥିବା ଚାରିଥାକିଆ ଜିଏସ୍‌ଟିକୁ କିଭଳି ତିନିଥାକିଆ କରାଯିବ ତାହାକୁ ନେଇ ମାନସମନ୍ଥନ ହେଉଛି। ଏହି ଆଲୋଚନାର ଯାହା ଫଳାଫଳ ବାହାରି ତାହାକୁ ପ୍ରସ୍ତାବ ଆକାରରେ ମନ୍ତ୍ରୀଗୋ‌ଷ୍ଠୀ ପାଖକୁ ପଠାଯିବ। ବର୍ତ୍ତମାନ ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଓ ୨୮ ପ୍ରତିଶତ ଭଳି ଚାରିଥାକିଆ ଜିଏସ୍‌ଟି ଢାଞ୍ଚା ରହିଛି। ସେଥିରେ ବିଭିନ୍ନ ‌ସାମଗ୍ରୀ ଓ ସେବା ଅନ୍ତର୍ଭୁକ୍ତ କରିବା ବେଳେ ଅସୁବିଧା ସାମ୍ନା କରିବାକୁ ପଡ଼ୁଛି। ତେଣୁ ଏହା ବଦଳରେ ୮ ପ୍ରତିଶତ, ୧୬ ପ୍ରତିଶତ ଓ ୨୪ ପ୍ରତିଶତ କିମ୍ବା ୯ ପ୍ରତିଶତ, ୧୮ ପ୍ରତିଶତ ଓ ୨୭ ପ୍ରତିଶତ ଭଳି ତିନିଥାକିଆ ଢାଞ୍ଚା ଲାଗୁ କରିବା ଉପରେ ବିଚାର କରାଯାଉଛି।

Advertisment

ଜିଏସ୍‌ଟି ବ୍ୟବସ୍ଥାର ସରଳୀକରଣ ପାଇଁ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନେତୃତ୍ବରେ ଚଳିତ ବର୍ଷ ଜୁଲାଇ ୨ରେ ଏକ ଛଅ ସଦସ୍ୟ ବିଶିଷ୍ଟ ମନ୍ତ୍ରୀଗୋ‌ଷ୍ଠୀ ଗଠନ କରାଯାଇଥିଲା। ସେଥିରେ ଉତ୍ତରପ୍ରଦେଶ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା, ସ୍ବାସ୍ଥ୍ୟ ମନ୍ତ୍ରୀ ଗଜେନ୍ଦ୍ର ସିଂହ, ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ, କର୍ଣ୍ଣାଟକ ରାଜସ୍ବ ମନ୍ତ୍ରୀ କ୍ରିଷ୍ଣା ଗୌଡ଼ା ଓ କେରଳ ଅର୍ଥମନ୍ତ୍ରୀ କେଏନ୍ ବାଲ୍‌ଗୋପାଲ୍‌ ସଦସ୍ୟ ରହିଛନ୍ତି। ଅଗଷ୍ଟ ତୃତୀୟ ସପ୍ତାହ ଆଡ଼କୁ ଜିଏସ୍‌ଟି ପରିଷଦର ୫୪ତମ ବୈଠକ ବସିବାକୁ ଯାଉଛି। ତେଣୁ ଖୁବ୍‌ଶୀଘ୍ର ମନ୍ତ୍ରୀଗୋଷ୍ଠୀର ବୈଠକ ଆରମ୍ଭ ହେବ ବୋଲି ଆଶା କରାଯାଇପାରେ। କେନ୍ଦ୍ରୀୟ ବଜେଟ୍ ଘୋଷଣା ପରେ ଏକ ଆଲୋଚନା ବେଳେ କେନ୍ଦ୍ରୀୟ ପରୋକ୍ଷ କର ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ଅଧ୍ୟକ୍ଷ ସଞ୍ଜୟ କୁମାର ଅଗ୍ରୱାଲ୍ କହିଥିଲେ ଯେ ଜିଏସ୍‌ଟି ସରଳୀକରଣ ବିଷୟ ଉପରେ ମନ୍ତ୍ରୀ ଗୋଷ୍ଠୀ ବିଚ‌ାର କରୁଛି। ପ୍ରଥମେ ସାମଗ୍ରୀ ଓ ସେବାଗୁଡ଼ିକ ଲାଗି ତିନିଥାକିଆ ଢାଞ୍ଚା ପ୍ରସ୍ତୁତ କରାଯିବ। ଏହାପରେ ସ୍ବତନ୍ତ୍ର ସାମଗ୍ରୀଗୁଡ଼ିକ ବିଷୟରେ ବିଚାର କରାଯିବ।