ନୂଆଦିଲ୍ଲୀ: ଫୁଡ୍ ଡେଲିଭରି ବ୍ୟବସାୟରେ ମନ୍ଥରତା ପାଇଁ ଜୋମାଟୋର ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି। ଉକ୍ତ କମ୍ପାନିର କ୍ଷତି ବଢ଼ି ବଢ଼ି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ୩୪୬.୬ କୋଟି ଟଙ୍କାରେ ପହଞ୍ଚିଛି। କିନ୍ତୁ ଜୋମାଟୋର ଶାଖା କମ୍ପାନିଗୁଡ଼ିକ ଯଥା ବ୍ଲିଙ୍କିଟ୍, ଜୋମାଟୋ ଗୋଲ୍ଡ ଏବଂ ହାଇପରପିୟୋର ମୂଳ ବ୍ୟବସାୟ ତୁଳନାରେ ଭଲ ପ୍ରଦର୍ଶନ କରୁଛନ୍ତି। ବ୍ରୋକରେଜ ଫାର୍ମ ନୋମୁରାର କହିବାନୁଯାୟୀ, ତୃତୀୟ ତ୍ରୟମାସରେ ଜୋମାଟୋର ଖାଦ୍ୟ ଡେଲିଭରି ବ୍ୟବସାୟରେ ମାତ୍ର ୦.୭% ବୃଦ୍ଧି ଘଟିଛି। ସାଧାରଣତଃ ଏହି ତ୍ରୟମାସରେ ଖାଦ୍ୟ ଡେଲିଭରି ବ୍ୟବସାୟ ଅଭିବୃଦ୍ଧି ଅଧିକ ରହିଥାଏ। ଏଥିସହିତ ଯଦିଓ ହାରାହାରି ଅର୍ଡର ରାଶିରେ ବୃଦ୍ଧି ଘଟିଛି କିନ୍ତୁ ଅର୍ଡର ସଂଖ୍ୟା କମିଛି।
ବ୍ଲିଙ୍କିଟ୍: ଅନ୍ୟପକ୍ଷରେ ଜୋମାଟୋର କ୍ବିକ୍ କମର୍ସ ଶାଖା ବ୍ଲିଙ୍କିଟ୍ର ମୋଟ ଅର୍ଡର ମୂଲ୍ୟରେ ୧୮ ପ୍ରତିଶତ ଏବଂ ଅର୍ଡର ସଂଖ୍ୟାରେ ୨୧ ପ୍ରତିଶତ ବୃଦ୍ଧି ଘଟିଛି। ବ୍ଲିଙ୍କିଟ୍ ଜରିଆରେ ଗ୍ରାହକମାନେ ଅନଲାଇନରେ ଶୀଘ୍ର ଗ୍ରୋସରି ଓ ଅନ୍ୟାନ୍ୟ କେତେକ ସାମଗ୍ରୀ ପାଇପାରୁଛନ୍ତି। ଅର୍ଡର ସଂଖ୍ୟା ବୃଦ୍ଧି ଦ୍ବାରା ତ୍ରୟମାସ ଭିତ୍ତିରେ କମ୍ପାନିର ରାଜସ୍ବରେ ୨୮ ପ୍ରତିଶତ ବୃଦ୍ଧି ଘଟିଛି। ବ୍ୟବସାୟରେ ବୃଦ୍ଧି ଫଳରେ ବ୍ଲିଙ୍କିଟ୍ ପ୍ଲାଟଫର୍ମକୁ ଆଖିଦୃଶିଆ ଭାବେ ଅଧିକ ବିଜ୍ଞାପନଦାତା ଆସିଛନ୍ତି। ୫୦୦ରୁ ଅଧିକ ବ୍ରାଣ୍ଡ୍ ଏହି ପ୍ଲାଟଫର୍ମ ଜରିଆରେ ସେମାନଙ୍କ ବିଜ୍ଞାପନ କରୁଛନ୍ତି। ଏ ବାବଦରେ କମ୍ପାନି ମଧ୍ୟ ଭଲ ରାଜସ୍ବ ପାଇପାରୁଛି।
ଜୋମାଟୋ ଗୋଲ୍ଡ: ପ୍ରାୟ ଦୁଇବର୍ଷର ବ୍ୟବଧାନ ପରେ ଜୋମାଟୋ ଏହାର ପ୍ରିମିୟମ ମେମ୍ବରସିପ୍ ପ୍ରୋଗ୍ରାମ ଜୋମାଟୋ ଗୋଲ୍ଡ ଗତମାସରେ ଆରମ୍ଭ କରିଛି। ଉକ୍ତ ଯୋଜନା ଆରମ୍ଭର ମାତ୍ର ୧ ମାସ ଭିତରେ ୯ ଲକ୍ଷରୁ ଅଧିକ ସଦସ୍ୟ କମ୍ପାନି ହାସଲ କରିପାରିଛି ବୋଲି କମ୍ପାନିର ସିଇଓ ଦୀପିନ୍ଦର ଗୋୟଲ କହିଛନ୍ତି। ଉକ୍ତ ଯୋଜନା ଦ୍ବାରା କମ୍ପାନି ଅଧିକ ଗ୍ରାହକ ସହିତ ଅଧିକ ଅର୍ଡର ହାସଲ କରିବା ଆଶା ରଖିଛି।
ହାଇପରପିଓର: ଜୋମାଟୋର ଆଉ ଏକ ଶାଖା ବ୍ୟବସାୟ ହେଉଛି ହାଇପରପିଓର। ଏହା ବିଜନେସ୍ ଟୁ ବିଜେନସ୍ (ବି୨ବି) ଭେଞ୍ଚର। ତ୍ରୟମାସ ଆଧାରରେ କମ୍ପାନିର ରାଜସ୍ବ ୨୬ ପ୍ରତିଶତ ବଢ଼ିଥିବାବେଳେ ବାର୍ଷିକ ଭିତ୍ତିରେ ରାଜସ୍ବ ୧୬୯ ପ୍ରତିଶତ ବୃଦ୍ଧି ପାଇଛି। ଦୀର୍ଘ ଅବଧିରେ ଏହା ଲାଭଦାୟକ ସଂସ୍ଥାରେ ପରିଣତ ହେବ ବୋଲି କମ୍ପାନି ଆଶା ରଖିଛି।