ଧାତବ ଶିଳ୍ପର ବର୍ତ୍ତମାନ ସ୍ଥିତି, ରାଜ୍ୟରେ ଶିଳ୍ପାୟନ ଏବଂ ନିଜ କଂପାନି ବିଷୟରେ ଇମ୍ଫାର ପରିଚାଳନା ନିର୍ଦେଶକ
ଶୁଭ୍ରକାନ୍ତ ପଣ୍ଡା ଏକ ସାକ୍ଷାତକାରରେ ଯାହା କହିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି
ବିଶ୍ବ ଧାତବ ଶିଳ୍ପର ସ୍ଥିତି କ’ଣ ରହିଛି?
ବିଶ୍ବ ସ୍ତରୀୟ ମାନ୍ଦାବସ୍ଥା ଓ ଆମେରିକା-ଚୀନ୍ ମଧ୍ୟରେ ଲାଗିଥିବା ବାଣିଜ୍ୟ ଲଢ଼େଇ ଯୋଗୁଁ ଧାତବ ଶିଳ୍ପ ଆହ୍ବାନପୂର୍ଣ୍ଣ ସମୟ ଦେଇ ଗତି କରୁଛି। ବିଭିନ୍ନ କ୍ଷେତ୍ରରେ ଉତ୍ପାଦନ କମ୍ କରାଯାଇଛି। ବାଣିଜ୍ୟ ଲଢ଼େଇର ସମାଧାନ ଲାଗି ଯଦି କିଛି ମଧ୍ୟବର୍ତ୍ତୀକାଳୀନ ବୁଝାମଣା ହେବ ତେବେ ତାହା ଚାହିଦା ବଢ଼ାଇବ ଏବଂ ମାନସିକତାକୁ ସୁଦୃଢ଼ କରିବାରେ ବିଶେଷ ସହାୟକ ହୋଇପାରିବ।
ମାନ୍ଦାବସ୍ଥା ସମୟରେ ଆପଣ କିଭଳି ଆହ୍ବାନ ସାମ୍ନା କରୁଛନ୍ତି ଏବଂ ତାହାର ମୁକାବିଲା ଲାଗି କ’ଣ ରଣନୀତି ପ୍ରସ୍ତୁତ କରିଛନ୍ତି?
ଯେତେବେଳେ ସମସ୍ୟା ରହିଛି ସେତେବେଳେ ଆପଣ କ’ଣ କରୁଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ। ଆମକୁ ସବୁ ବେଳେ ଯୋଜନାବଦ୍ଧ ଭାବେ ଦୀର୍ଘମଆଦୀ ଲକ୍ଷ୍ୟ ଉପରେ ଗରୁତ୍ବାରୋପ କରିବାକୁ ହେବ। ଦୀର୍ଘମିଆଦୀ ଚୁକ୍ତି କରିବା ଏବଂ ଋଣ କ୍ଷେତ୍ରରେ ଅଧିକ ରକ୍ଷଣଶୀଳ ମନୋଭାବ ପୋଷଣ କରିବାକୁ ହେବ। ତେବେ, ସମନ୍ବିତ ବ୍ୟାବସାୟିକ ମଡେଲ୍ ପ୍ରତିଦ୍ବନ୍ଦ୍ବିତାରେ ଆମକୁ ଆଗରେ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
୨୦୨୦ ମାର୍ଚ ସୁଦ୍ଧା ରାଜ୍ୟରେ ଅନେକ ଖଣିର ଲିଜ୍ ଅବଧି ଶେଷ ହେବାକୁ ଯାଉଛି। ତାହା ଓଡ଼ିଶାର ଶିଳ୍ପ ସଂସ୍ଥାଗୁଡ଼ିକୁ କିଭଳି ପ୍ରଭବିତ କରିବ?
ଏହା ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ। ଏହି ପ୍ରକ୍ରିୟା ଠିକ୍ଠାକ୍ ନରହିଲେ ସମସ୍ୟା ଦେଖାଦେଇପାରେ ବୋଲି ସରକାର ଭଲ ଭାବେ ଜାଣିଛନ୍ତି ଓ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଷ୍ଟକ୍ୟାର୍ଡରେ ଅଧିକ ଖଣିଜ ପଦାର୍ଥ ଗଚ୍ଛିତ ରଖାଯାଉଥିବା ବେଳେ ଜଙ୍ଗଲ ଓ ପରିବେଶ ମଞ୍ଜୁରି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ଏକ ସେଲ୍ ଗଠନ କରାଯାଇଛି। କେନ୍ଦ୍ର ସରକାର ମଧ୍ୟ ଉଚିତ ପଦକ୍ଷେପ ଗ୍ରହଣ କରୁଛନ୍ତି।
ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ-ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍ର ତୃତୀୟ ସଂସ୍କରଣ ବିଷୟରେ ଘୋଷଣା କରାଯାଇଛି। ଏହି ପୁରସ୍କାରକୁ ଆପଣ କିଭଳି ରେଟିଂ ଦେବେ?
ଏହା ବାସ୍ତବରେ ଏକ ପ୍ରଶଂସାଯୋଗ୍ୟ ଅଭିଯାନ ଏବଂ ଏହି ପ୍ରକ୍ରିୟାରେ ଭାଗ ନେଇଥିବାରୁ, ଯେଉଁ ଭଳି ଭାବେ ପେସାଦାର ଢଙ୍ଗରେ ଏହାକୁ ଆୟୋଜନ କରାଯାଉଛି ଏବଂ ବିଜେତା ଚୟନ କରାଯାଉଛି ତାହାକୁ ମୁଁ ପ୍ରଶଂସା କରୁଛି। ରାଜ୍ୟର ଏକ ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ଯେତେବେଳେ ଶିଳ୍ପ ସଂସ୍ଥାର ଅବଦାନକୁ ସ୍ବୀକୃତି ପ୍ରଦାନ କରୁଛି ତାହା କର୍ପୋରେଟ୍ ସଂସ୍ଥା ପାଇଁ ଗର୍ବର ବିଷୟ। ଓଡ଼ିଶାର ଶିଳ୍ପ ଏବଂ ବ୍ରାଣ୍ଡ୍ର ପ୍ରସାର କରୁଥିବାରୁ ମୁଁ ସମ୍ବାଦ ଗ୍ରୁପ୍କୁ ଅଭିନନ୍ଦନ ଜଣାଉଛି।
ରାଜ୍ୟର ବ୍ୟବସାୟ ପରିବେଶରେ ଉନ୍ନତି ଆଣିବା ପାଇଁ ଆପଣଙ୍କର କିଛି ପରାମର୍ଶ ଦେବେ କି?
ଶିଳ୍ପାୟନର ଗତି ବଢ଼ାଇବା ଦିଗରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। କିଛିଟା ଆହ୍ବାନ ରହିଛି, ମାତ୍ର ସରକାରଙ୍କ ପ୍ରତିବଦ୍ଧତା ବହୁତ ସ୍ପଷ୍ଟ। ‘ଶିଳ୍ପ କେୟାର’ ବ୍ୟବସ୍ଥାରେ ଶିଳ୍ପ ସଂସ୍ଥାଗୁଡ଼ିକ ସହିତ ସରକାର କରୁଥିବା ଆଲୋଚନା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ଏବଂ ପ୍ରଶଂସନୀୟ। ନିୟମିତ ବ୍ୟବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଗଲେ ଅନେକ ସମସ୍ୟାର ତ୍ବରିତ ସମାଧାନ ହୋଇପାରିବ ଏବଂ ଏହା ଶିଳ୍ପ ସଂସ୍ଥାଗୁଡ଼ିକ ଭିତରେ ବିଶ୍ବାସ ବଢ଼ାଇବାରେ ବିଶେଷ ସହାୟକ ହେବ।
ଇମ୍ଫାର ପ୍ରଦର୍ଶନ କିଭଳି ରହିଛି। କ୍ଷମତା ବୃଦ୍ଧି ପାଇଁ କିଛି ଯୋଜନା ଅଛି କି?
ଆମର ପରିଚାଳନା ପ୍ରଦର୍ଶନ ବହୁତ ଭଲ ଥିବା ବେଳେ, ବଜାର ସ୍ଥିତି ଖରାପ ଥିବା ଯୋଗୁଁ ଆର୍ଥିକ ଫଳାଫଳ ପ୍ରଭାବିତ ହୋଇଛି। ଏହା ଏକ ସାମୟିକ ସ୍ଥିତି ଏବଂ ମୋର ବିଶ୍ବାସ ରହିଛି ଯେ ସ୍ଥିତି ସୁଧୁରିବ। କଳିଙ୍ଗ ନଗରରେ ଏକ ନୂତନ ପ୍ରକଳ୍ପ ସ୍ଥାପନ କରି ଆମେ ଆମର ଫେରୋ କ୍ରୋମ୍ ଉତ୍ପାଦନ କ୍ଷମତାକୁ ୯୬ ହଜାର ଟନ୍କୁ ବୃଦ୍ଧି କରିବୁ। ଏଥିପାଇଁ ମଞ୍ଜୁରି ପ୍ରଦାନ କରିଥିବାରୁ ଆମେ ରାଜ୍ୟ ସରକାରଙ୍କ ନିକଟରେ କୃତଜ୍ଞ। ରାଜ୍ୟ ସରକାରଙ୍କ ନୀତି ଅନୁସାରେ ଗଠନମୂଳକ ଭୂମିକା ନିର୍ବାହ କରୁଥିବାରୁ ଆମେ ବହୁତ ଖୁସି।