ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ‘ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ବଜାର ବହୁତ ସ୍ଥିର’

ରାଜ୍ୟରେ ହୋଣ୍ଡା, ‌ହୁଣ୍ଡାଇ ଏବଂ ମହିନ୍ଦ୍ରା ଭଳି କମ୍ପାନିର ସୋ’ରୁମ୍‌ ସ୍ଥାପନ କରି ଜଣେ ସଫଳ ଡିଲର ହୋଇପାରିଛନ୍ତି ଆଦିତ୍ୟ ପାତ୍ର। ତାଙ୍କ ଅଧୀନରେ ହାଇୱେ ହୋଣ୍ଡା, ଆଦିତ୍ୟ ହୁଣ୍ଡାଇ ଏବଂ ଆଦିତ୍ୟ ମହିନ୍ଦ୍ରା ‌େସା’ରୁମ୍ ପରିଚାଳିତ ହେଉଛି। ସେ ଦେଇଥିବା ସାକ୍ଷାତକାରକୁ ଏଠାରେ ଉପସ୍ଥାପନ କରାଯାଇଛି

ଭାରତୀୟ ଅର୍ଥନୀତିର ସାମ୍ପ୍ରତିକ ସ୍ଥିତିକୁ କେମିତି ଦେଖୁଛନ୍ତି? ବିଶେଷକରି ଗାଡ଼ି ବଜାରର ସ୍ଥିତି କ’ଣ ?
ଓଡ଼ିଶା ବଜାରକୁ ଯଦି ଦେଖିବେ ତା’ହେଲେ ସାମୁଦ୍ରିକ ଝଡ଼ବାତ୍ୟା ଫନି ପରେ ଏହା ବହୁମାତ୍ରାରେ ପ୍ରଭାବିତ ହୋଇଛି । ଦେଶରେ ଏପ୍ରିଲ ପରଠାରୁ ଗାଡ଼ି ବଜାର ସ୍ଥିତି ଖରାପ ହୋଇଛି-ଏଥିରେ କୌଣସି ସନ୍ଦେହ ନାହିଁ । ସର୍ବ ଭାରତୀୟ ସ୍ତରରେ ବଜାର ଯେଉଁଥି ପାଇଁ ନିମ୍ନମୁଖୀ ହୋଇଛି ଆମ ରାଜ୍ୟର ବଜାର କିନ୍ତୁ ସେହି କାରଣ ପାଇଁ ସେତେଟା ପ୍ରଭାବିତ ହୋଇନାହିଁ। ବାତ୍ୟା ପରେ ଲୋକଙ୍କ ମନୋଭାବ ବହୁତ ଖରାପ ହୋଇଯାଇଥିଲା। ସେପ୍ଟେମ୍ବରରୁ ସ୍ଥିତି ବଦଳିଛି। ଅକ୍ଟୋବରରେ ଭଲ ବ୍ୟବସାୟ ହୋଇଛି । କିନ୍ତୁ ସମସ୍ୟା ହେଲା ଏବେ ବିଏସ୍‌-୪, ବିଏସ୍‌-୬ ଟ୍ରାଞ୍ଜିସନ, ତା ପରେ ଇଲେକଟ୍ରିକ୍ କାର ଏବଂ ସ୍କ୍ରାପ୍ ନୀତିକୁ ନେଇ ଲୋକମାନେ ଅନିଶ୍ଚିତତା ମଧ୍ୟରେ ଅଛନ୍ତି । ପୁରୁଣା ଗାଡ଼ି ପଞ୍ଜୀକରଣ ସମସ୍ୟା ଯୋଗୁ ସାମଗ୍ରିକ ଉତ୍ସାହ କମ୍ ରହିଛି। ଏଥିଯୋଗୁ ଲୋକମାନେ ସେମାନଙ୍କ କ୍ରୟକୁ ବିଳମ୍ବ କରି ଦେଉଛନ୍ତି। ଏହା ଗାଡ଼ି ବଜାରକୁ ପ୍ରଭାବିତ କରିଛି।

ଗାଡ଼ି ବଜାର ବ୍ୟତୀତ ଅନ୍ୟ କେଉଁ କ୍ଷେତ୍ର ପ୍ରଭାବିତ ହୋଇଥିବା ଆପଣ ଦେଖୁଛନ୍ତି?
ଆମର ମୁଖ୍ୟତଃ ଅଟୋମୋବାଇଲ ବ୍ୟବସାୟ ହିଁ ରହିଛି। କିନ୍ତୁ ଅନ୍ୟ ଗୋଟିଏ ବିଷୟ ଦେଖୁଛୁ ଚଳିତ ଆର୍ଥିକ ବର୍ଷରେ କୌଣସି ନୂଆ କମ୍ପାନି ଓଡ଼ିଶାକୁ ଆସୁନାହାନ୍ତି କିମ୍ବା ପୁରୁଣା କମ୍ପାନି ସେମାନଙ୍କ ସମ୍ପ୍ରସାରଣ କରୁନାହାନ୍ତି। ଫଳରେ ଅଫିସ, ଘର ଏବଂ ଗୋଦାମ ଭଡ଼ା ଆଦି ବ୍ୟବସାୟ ବି ପ୍ରଭାବିତ ହୋଇଛି। ନୂଆ ରୋଜଗାରର ସୁଯୋଗ ସଙ୍କୁଚିତ ହୋଇଛି।

ଆପଣ ଦୀର୍ଘଦିନ ହେଲା ଏହି ବ୍ୟବସାୟରେ ରହିଲେଣି। ଆଗାମୀ ଦିନରେ କମ୍ପାନିକୁ କେଉଁଠି ପହଂଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି?
ଆମ ଅଟୋମୋବାଇଲ ବ୍ୟବସାୟର ବାର୍ଷିକ କାରବାର ଏବେ ୭୦୦ କୋଟି ଟଙ୍କା ଛୁଇଁଲାଣି। ଆମ ନିକଟରେ ହୁଣ୍ଡାଇ, ହୋଣ୍ଡା ଏବଂ ମହିନ୍ଦ୍ରାର ୮ଟି ବଡ଼ ସୋ’ରୁମ୍ ରହିଛି । ଏହାବ୍ୟତୀତ ୧୫ଟି ଛୋଟ ଛୋଟ ସେଲସ୍‌ ଆଉଟଲେଟ ଏବଂ ଶାଖା ମଧ୍ୟ ରହିଛି। ଆସନ୍ତା ୫ ବର୍ଷ ଭିତରେ ଆମେ ବ୍ୟବସାୟକୁ ୧୦୦୦ କୋଟି ଟଙ୍କା ଟପାଇବା ଲାଗି ଲକ୍ଷ୍ୟ ରଖିଛୁ।

ଓଡ଼ିଶାର ଜଣେ ଉଦ୍ୟୋଗୀ ଭାବେ କ’ଣ ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି?
ଜଣେ ଉଦ୍ୟୋଗୀଙ୍କୁ ଦୁଇ ତିନୋଟି ପ୍ରମୁଖ ଜିନିଷର ଆବଶ୍ୟକତା ରହିଥାଏ । ସେଥରୁ ଗୋଟେ ହେଲା ପାଣ୍ଠି ବା ଅର୍ଥ। ଦ୍ବିତୀୟଟି ହେଲା ମାର୍କେଟ ବା ବିକ୍ରି ପାଇଁ ବଜାର। ତୃତୀୟ ଜିନିଷଟି ହେଲା ତାଲିମପ୍ରାପ୍ତ ଓ ଦକ୍ଷ ମାନବ ସମ୍ବଳ । ଗୋଟିଏ ସମୟ ଥିଲା ଫାଇନାନ୍ସ ସହଜରେ ଉପଲବ୍ଧ ହେଉଥିଲା । କିନ୍ତୁ ଗତ ଦୁଇବର୍ଷ ହେଲା ଯଦି ଦେଖିବେ ପାଣ୍ଠି ଯୋଗାଡ଼ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ଏହା ଗୋଟିଏ ବଡ଼ ଚାଲେଞ୍ଜ । ଏଥିପାଇଁ ଉଦ୍ୟୋଗୀମାନେ ସମ୍ପ୍ରସାରଣ କରିପାରୁନାହାନ୍ତି। ଓଡ଼ିଶାରେ ଗ୍ରାହକମାନେ ସାଧାରଣତଃ ବେତନଭୋଗୀ। ତେଣୁ ବଜାର ଡାଇନାମିକ୍ସ ସେତେ ଅଧିକ ଅସ୍ଥିର ହୁଏନାହିଁ। ତେଣୁ ଅନ୍ୟ ବଜାର ଅପେକ୍ଷା ଓଡ଼ିଶା ବଜାର ନିଶ୍ଚିତ ଭାବେ ସ୍ଥିର ବୋଲି କୁହାଯାଇପାରିବ । ଏହା ଗୋଟିଏ ନୂଆ ଉଦ୍ୟୋଗୀ ପାଇଁ ଭଲ । ବଜାର ମନ୍ଥର ଅଛି କିନ୍ତୁ ଅସ୍ଥିର ନାହିଁ । ଏହା ଗୋଟେ ଭଲ କଥା । ଉତ୍ତମ ମାନବ ସମ୍ବଳ ମିଳିବା ସମସ୍ୟା ତ ରହିଛି। କିନ୍ତୁ ଆଜିକାଲି ଯେଉଁଭଳି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହେଉଛି ତାହା ଆମକୁ ବହୁତ ସହାୟକ ହେଉଛି।

ଉଦ୍ୟୋଗୀ ହେବା ପାଇଁ ଆଗ୍ରହ ରଖିଥିବା ନୂଆ ପିଢ଼ିକୁ କି ବାର୍ତ୍ତା ଦେବେ?
ଅନ୍ୟ କୌଣସି କ୍ଷେତ୍ରରେ କାମ କରିବା ଅପେକ୍ଷା ଉଦ୍ୟୋଗୀ ହେବା ନିଶ୍ଚିତ ଭାବେ ଭଲ। ଉଦ୍ୟୋଗୀ ହେଲେ ଜଣେ ନିଜ ସମେତ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିପାରିବ। ଆପଣ କେତେ ବ୍ୟବସାୟ କରୁଛନ୍ତି ଏବଂ କେତେ ଲାଭ କରୁଛନ୍ତି ତାହା ଭିନ୍ନ କଥା। କିନ୍ତୁ ରାଜ୍ୟ ଏବଂ ଦେଶ ପ୍ରତି ଅବଦାନ କ’ଣ ଏବଂ କେତେ ଲୋକଙ୍କୁ ଦେଇଥିବା ନିଯୁକ୍ତି ଦ୍ବାରା କେତେ ପରିବାର ଚଳୁଛନ୍ତି ତାହା ଏକ ଭିନ୍ନ କଥା। ଏହା ନିଶ୍ଚିତଭାବେ ଏକ ସନ୍ତୁଷ୍ଟିର ବିଷୟ। ତେଣୁ ଅଧିକରୁ ଅଧିକ ସଂଖ୍ୟକ ଲୋକ ଉଦ୍ୟୋଗୀ ହୋଇ ଓଡ଼ିଶାକୁ ଆଗକୁ ନିଅନ୍ତୁ ବୋଲି ମୁଁ ଆଶା କରିବି ।

ସମ୍ବାଦର ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ କର୍ପୋରେଟ ଏକ୍ସିଲେନ୍ସ ଆୱାର୍ଡସ୍ ସମ୍ପର୍କରେ କ’ଣ କହିବେ?
ଏହା ନିଶ୍ଚିତ ଭାବେ ଏକ ଭଲ ଜିନିଷ । ଓଡ଼ିଶାରେ ଉଦ୍ୟୋଗୀମାନଙ୍କୁ ଲୋକମାନେ ଖରାପ ନଜରରେ ଦେଖିଥାନ୍ତି । ଯିଏ ବ୍ୟବସାୟ କରୁଛି ମାନେ ସିଏ ନିଶ୍ଚେ ଗୋଟେ ଭୁଲ କାର୍ଯ୍ୟ କରୁଥିବ ବୋଲି ଧାରଣା ରହିଛି । ଉଦ୍ୟୋଗୀ ପାଇଁ ଉତ୍ସାହ ଗୋଟେ ବଡ଼ କଥା। ସମ୍ବାଦର ଏହି ଉଦ୍ୟମ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବ ବୋଲି ଆଶା ରହିଛି।

ସମ୍ବନ୍ଧିତ ଖବର