ସମ୍ବାଦର ବ୍ରାଣ୍ଡ୍ ଅଫ୍ ଓଡ଼ିଶା ପ୍ରାଇଡ ଅଫ ଇଣ୍ଡିଆ ପୁରସ୍କାରରେ ମିଡିୟମ (ମଧ୍ୟମ) ବର୍ଗରେ ୨୦୨୦ ମସିହା ପାଇଁ ଗୋଲ୍ଡ ପୁରସ୍କାର ପାଇଥିଲା ଇସିପି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ। କମ୍ପାନିର ନିର୍ଦ୍ଦେଶକ ସୁପ୍ରୀତି ମିଶ୍ର ରାଜ୍ୟରେ ଉଦ୍ୟୋଗଜଗତର ସାଂପ୍ରତିକ ସ୍ଥିତି ଏବଂ ଭବିଷ୍ୟତ ସଂପର୍କରେ ଦେଇଥିବା ସାକ୍ଷାତକାର ଏଠାରେ ଉପସ୍ଥାପନ କରାଯାଇଛି
ବର୍ତ୍ତମାନ ଶିଳ୍ପ କ୍ଷେତ୍ରର ସ୍ଥିତି ଓଡ଼ିଶାରେ କେମିତି ରହିଛି?
କୋଭିଡ୍ ପରେ ଉଦ୍ୟୋଗୀମାନଙ୍କର କିଛି ନା କିଛି ସମସ୍ୟା ରହିଛି। ତେବେ ମାର୍କେଟ ଏବେ କିଛିଟା ବଦଳିଛି। ସେଥିପାଇଁ ଶିଳ୍ପଗୁଡ଼ିକ ନିଃଶ୍ବାସ ନେଇ ପାରୁଛନ୍ତି। କିନ୍ତୁ ବିଭିନ୍ନ ଶିଳ୍ପର ଭିନ୍ନ ଭିନ୍ନ ସମସ୍ୟା ରହିଛି। ପୁରୁଣା ସମସ୍ୟା ସହିତ ନୂଆ ନୂଆ ସମସ୍ୟା ବି ଦେଖାଦେଉଛି। ସେସବୁକୁ ସାମ୍ନା କରିବାକୁ ପଡ଼ୁଛି।
ଉଦ୍ୟୋଗଜଗତ କି ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛି?
କୋଭିଡ ପାଇଁ ଉଦ୍ୟୋଗ ଜଗତ ୫ରୁ ୧୦ ବର୍ଷ ପଛକୁ ପଳାଇଛି। ତେଣୁ ସେଥିରୁ ମୁକୁଳିବା ପାଇଁ କିଛି ସମୟ ଲାଗୁଛି। ଏବେ ଯେଉଁମାନେ ଶିଳ୍ପ କରୁଛନ୍ତି ଏବଂ ଯେଉଁମାନଙ୍କର ଉଦ୍ୟୋଗ ରହିଛି ସେମାନଙ୍କ ପାଇଁ ଆହୁରି ବର୍ଷେରୁ ଦୁଇବର୍ଷ ସଂଘର୍ଷ କରିବାକୁ ପଡ଼ିବ। ତେଣୁ ବର୍ତ୍ତମାନ ଲାଭ କଥା ଚିନ୍ତା ନକରି ଶିଳ୍ପପ୍ରତିଷ୍ଠାନ କିଭଳି ସୁରୁଖୁରୁରେ ଚାଲିବ ତାହାକୁ ଦୃଷ୍ଟି ହେବାକୁ ପଡ଼ୁଛି। ଆମ ଶିଳ୍ପ ଉପରେ ଅନେକ ପରିବାରର ରୋଜଗାର ନିର୍ଭର କରୁଛି। ତାହାକୁ ଭାବି ଆମେ ଏବେ ଉଦ୍ୟୋଗ ଚଲାଉଛୁ।
ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଶିଳ୍ପାୟନ ସ୍ଥିତି କେମିତି?
ଓଡ଼ିଶାରେ ସ୍ଥିତି ବେଶ୍ ଭଲ ରହିଛି। ସରକାର ବିଭିନ୍ନ ପ୍ରକାର ସ୍କିମ ବାହାର କରୁଛନ୍ତି। ମେକ୍ ଇନ୍ ଓଡ଼ିଶା ଭଳି କନକ୍ଲେଭ କରୁଛନ୍ତି। ସରକାରଙ୍କ ପକ୍ଷରୁ ଉଦ୍ୟୋଗକୁ ଆଗକୁ ନେବା ପାଇଁ ସହଯୋଗ ଠିକ୍ ଅଛି ।
ଜଣେ ମହିଳା ଉଦ୍ୟୋଗୀ ଭାବେ ଆପଣ ସମସ୍ୟାର ମୁକାବିଲା କେମିତି କରୁଛନ୍ତି?
ସବୁ ଉଦ୍ୟୋଗୀ ସମାନ ସମସ୍ୟା ସମ୍ମୁଖୀନ କରିଥାନ୍ତି। ତେଣୁ ଉଦ୍ୟୋଗୀଙ୍କର କିଛି ବର୍ଗ (ପୁରୁଷ କିମ୍ବା ମହିଳା) ଅଛି ବୋଲି ମୁଁ ଭାବେ ନାହିଁ। ଉଦ୍ୟୋଗୀଭାବେ ପୂର୍ବରୁ ସଂଘର୍ଷ କରୁଥିଲୁ ଏବଂ ଏବେ ବି ତାହା ଜାରି ରହିଛି। ଭବିଷ୍ୟତରେ ସଂଘର୍ଷ କିଛିମାତ୍ରାରେ ହ୍ରାସ ପାଇବ ବୋଲି ଆଶା ରହିଛି।
ଉଦ୍ୟୋଗ ପାଇଁ ଆଶାୟୀ ବ୍ୟକ୍ତିଙ୍କ ପାଇଁ ଆପଣଙ୍କ ବାର୍ତ୍ତା କ’ଣ ରହିବ?
ଆମେ ଉଦ୍ୟୋଗୀ ହୋଇଥିବାରୁ ଅତ୍ୟନ୍ତ ଭାଗ୍ୟବାନ। ରିସ୍କ ନେଇପାରିବା ସହିତ ସଘର୍ଷ କରିପାରୁଥିବା ବ୍ୟକ୍ତି ହିଁ ଉଦ୍ୟୋଗଜଗତକୁ ବାଛିଥାନ୍ତି। ଗୋଟିଏ ଉଦ୍ୟୋଗ ଅନେକ ଲୋକଙ୍କ ପାଇଁ ରୋଜଗାରର ପନ୍ଥା ପାଲଟିଥାଏ। ତେଣୁ ଯେଉଁ ଯାତ୍ରାରେ ବହାରିଛୁ ତାହା କିଭଳି ସଫଳ ହେବ ଏବଂ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବୁ ତାହା ଉପରେ ଧ୍ୟାନ ଦେଉଛୁ।
ପୁରସ୍କାର ପାଇବା ପରେ କେମିତି ଅନୁଭବ କରିଥିଲେ?
ମାଟ୍ରିକ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେଲେ ଯେଭଳି ଅନୁଭୂତି ମିଳିଥାଏ ଉଦ୍ୟୋଗ କ୍ଷେତ୍ରରେ ପୁରସ୍କାର ସେହିଭଳି ଗୋଟିଏ ଗୋଟିଏ ମାଇଲଖୁଣ୍ଟ। ଯେଉଁଦିନ ସମ୍ବାଦର ପୁରସ୍କାର ମିଳିଥିଲା ତାହା ମୋତେ ଅତ୍ୟନ୍ତ ଖୁସି ଦେଇଥିଲା। ଏହି ପୁରସ୍କାର ଆମକୁ ଆହୁରି ଭଲ କାମ କରିବା ଏବଂ ଆଗକୁ ବଢ଼ିବା ପାଇଁ ଉତ୍ସାହ ଓ ପ୍ରେରଣା ଦେଇଛି।