ମସଲା ଉଦ୍ୟୋଗ କ୍ଷେତ୍ରରେ ଭାରତ ମସଲା ଏକ ପରିଚିତ ନାମ। କେବଳ ଓଡ଼ିଶା ନୁହେଁ, ବିଦେଶକୁ ଏହି କମ୍ପାନି ଏହାର ମସଲା ରପ୍ତାନି କରି ଓଡ଼ିଶାକୁ ଗର୍ବିତ କରିଛି। ଖୁବ୍ କମ୍ ଦିନରେ ସଫଳତା ହାସଲ କରିଥିବା ଏହି କମ୍ପାନିର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ସମ୍ବାଦକୁ ଦେଇଥିବା ସ୍ବତନ୍ତ୍ର ସାକ୍ଷାତ୍କାରରେ ଯାହା କୁହନ୍ତି ତାହା ଏଠାରେ ଉପସ୍ଥାପନ କରାଯାଇଛି
ଖୁବ୍ କମ୍ ଦିନ ମଧ୍ୟରେ ଆପଣଙ୍କ କମ୍ପାନି ଯେଭଳି ସଫଳତା ହାସଲ କରିଛି ଉଦ୍ୟୋଗ ଜଗତରେ ତାହା ଖୁବ୍ କମ୍ ଦେଖାଯାଇଥାଏ। ଏଣୁ ଉଦ୍ୟୋଗୀ ହେବା ପାଇଁ ଆଗ୍ରହୀ ଥିବା ଓଡ଼ିଶାର ଯୁବପିଢ଼ିଙ୍କୁ ଆପଣ କି ବାର୍ତ୍ତା ଦେବେ?
ଭାରତ ମସଲା ନାମରେ ବଜାରରେ ମସଲା ଓ ଅନ୍ୟ ସାମଗ୍ରୀ ବିକ୍ରି କରୁଥିବା ଜୟ ଭାରତ ସ୍ପାଇସେସ୍ ପ୍ରାଇଭେଟ୍ ଲିମିଟେଡକୁ ଇତିମଧ୍ୟରେ ୨୦ ବର୍ଷ ହେଲାଣି। ଏହି କମ୍ପାନିରେ ଆରମ୍ଭରୁ ମୁଁ ମୋ ବାପାଙ୍କ ସହିତ ସକ୍ରିୟତାର ସହ ଜଡ଼ିତ ରହିଛି। ଅଳ୍ପ ସମୟ ମଧ୍ୟରେ କମ୍ପାନିକୁ ମିଳିଥିବା ସଫଳତା ଯେଉଁ କେତେକ କାରଣ ଯୋଗୁ ସମ୍ଭବ ହୋଇଛି ସେଗୁଡ଼ିକ ହେଲା ଉତ୍ତମ ଗୁଣବତ୍ତା ଏବଂ ଗ୍ରାହକ ସନ୍ତୁଷ୍ଟି ପାଇଁ ଆମର ଅଙ୍ଗୀକାରବଦ୍ଧତା, ଗ୍ରାହକଙ୍କୁ ତୁରନ୍ତ ପ୍ରଭାବୀ ଢଙ୍ଗରେ ସେବା ପ୍ରଦାନ, ସର୍ବ ଭାରତୀୟ ସ୍ତରରେ ବଳିଷ୍ଠ ବିପଣନ ବ୍ୟବସ୍ଥା, କର୍ମଚାରୀ ସନ୍ତୁଷ୍ଟି ଏବଂ ସର୍ବୋପରି ଆମ ବ୍ରାଣ୍ଡ୍କୁ ଆଗକୁ ନେବାରେ ଗଣମାଧ୍ୟମ ପକ୍ଷରୁ ମିଳିଥିବା ସହଯୋଗ। ତେଣୁ ଉଦ୍ୟୋଗୀ ହେବା ପାଇଁ ସ୍ବପ୍ନ ଦେଖୁଥିବା ଯୁବପିଢ଼ିକୁ ମୋର ବାର୍ତ୍ତା ରହିବ ପ୍ରଥମେ ସେମାନେ ବ୍ୟବସାୟ/ଉଦ୍ୟୋଗ ସମ୍ପର୍କରେ ଟିକିନିଖି ଜାଣନ୍ତୁ ଏବଂ ବ୍ୟବସାୟ ଚଳାଇବା ପାଇଁ ଆବଶ୍ୟକ ଦକ୍ଷତା ଆହରଣ କରିବା ପରେ ନୂଆ ଉଦ୍ୟୋଗ ଆରମ୍ଭ କରିବା ଭଲ।
ଏବେ କମ୍ପାନିର ବ୍ୟବସାୟ କେତେ ରହିଛି ଏବଂ ଚଳିତ ଆର୍ଥିକ ବର୍ଷ ପାଇଁ କେତେ ଲକ୍ଷ୍ୟ ରଖିଛନ୍ତି?
୨୦୧୮-୧୯ ଆର୍ଥିକ ବର୍ଷରେ ଆମେ ୨୪୭.୧୮ କୋଟି ଟଙ୍କାର ବ୍ୟବସାୟ କରିଛୁ ଏବଂ ଚଳିତ ଆର୍ଥିକ ବର୍ଷ ପାଇଁ ଆମେ ୩୫୦ କୋଟି ଟଙ୍କାର ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖିଛୁ।
କମ୍ପାନି ପାଇଁ ମନରେ କ’ଣ ସବୁ ଭବିଷ୍ୟତ ଯୋଜନା ରଖିଛନ୍ତି?
ନିକଟରେ ଆମର କ୍ରାୟୋଜେନିକ୍ ସ୍ପାଇସ୍ ଗ୍ରାଇଣ୍ଡିଂ ପ୍ଲାଣ୍ଟ୍ରୁ ଉତ୍ପାଦନ ଆରମ୍ଭ ହୋଇଛି। ଦେଶରେ ଉତ୍ତମ ମାନର ସ୍ନାକ୍ସ ଚାହିଦା ବଢ଼ିବାରେ ଲାଗିଥିବାରୁ ଆମେ ଅତ୍ୟାଧୁନିକ ସ୍ନାକ୍ସ ପ୍ଲାଣ୍ଟ ସ୍ଥାପନ କରିବାକୁ ଯାଉଛୁ। ରାଜ୍ୟ ସରକାରଙ୍କ ସ୍ଲିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ପକ୍ଷରୁ ଏହି ପ୍ରକଳ୍ପକୁ ମଞ୍ଜୁରି ମିଳିସାରିଛି। ସରକାର ଯେତେଶୀଘ୍ର ଆମକୁ ଜମି ଯୋଗାଇ ଦେବେ ଆମେ ସେତେ ଶୀଘ୍ର ଏହି ପ୍ଲାଣ୍ଟ ସ୍ଥାପନ କରିବୁ।
କମ୍ପାନିକୁ ସଫଳତାର ସହ ଆଗକୁ ନେବା ଦିଗରେ କେଉଁମାନେ ଆପଣଙ୍କ ପ୍ରେରଣା ଓ ଶକ୍ତିର ଉତ୍ସ?
ମୋର ପରମ ପୂଜନୀୟ ବାପା, ଯିଏ କି କମ୍ପାନି ସ୍ଥାପନ କରିଥିଲେ ସେ ହେଉଛନ୍ତି ମୋ ପାଇଁ ପ୍ରେରଣାର ବଡ଼ ଉତ୍ସ। ମୁଁ ସବୁବେଳେ ବ୍ୟବସାୟର ସମସ୍ତ ପ୍ରସଙ୍ଗରେ ତାଙ୍କ ଉପଦେଶ, ନିର୍ଦ୍ଦେଶ ଏବଂ ପରାମର୍ଶକୁ ଅପେକ୍ଷା କରି ରହିଥାଏ। ଏତଦ୍ବ୍ୟତୀତ କମ୍ପାନିର କର୍ମଚାରୀ, ଶ୍ରମିକ, ଇଞ୍ଜିନିୟର, ବୈଷୟିକ କର୍ମଚାରୀ ଏବଂ ମାର୍କେଟିଂ କର୍ମଚାରୀ ହେଉଛନ୍ତି ଆମର ଶକ୍ତି। ସେମାନେ କମ୍ପାନିକୁ ଅଭିବୃଦ୍ଧି ଏବଂ ସଫଳତାର ଉଚ୍ଚତର ସୋପାନରେ ପହଞ୍ଚାଇ ପାରିଛନ୍ତି। କିନ୍ତୁ ଏବେ ବି ଆମକୁ ବହୁ ପଥ ଯିବାକୁ ଅଛି।
ଆର୍ଥିକ ମାନ୍ଦାବସ୍ଥାରେ ଆପଣଙ୍କ କମ୍ପାନି ପ୍ରଭାବିତ ହୋଇଛି କି? ଯଦି ହଁ, ତାହେଲେ ଏହାକୁ ପ୍ରତିହତ କରିବା ପାଇଁ କି ରଣକୌଶଳ ଆପଣାଇଛନ୍ତି?
ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ବଜାରରେ ପଡ଼ି ରହିଥିବା ଅର୍ଥ ସଂଗ୍ରହକୁ ପ୍ରଭାବିତ କରିଛି କିନ୍ତୁ ଆମ ଉତ୍ପାଦର ଚାହିଦା ମୋଟାମୋଟି ଭାବେ ପ୍ରଭାବିତ ହୋଇନାହିଁ। କିନ୍ତୁ ଦରଦାମ ବୃଦ୍ଧି ଯୋଗୁ ଆମ ବ୍ୟବସାୟ କିଛିମାତ୍ରାରେ ପ୍ରଭାବିତ ହୋଇଛି।
ସମ୍ବାଦର ବ୍ରାଣ୍ଡ୍ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍କୁ ଆପଣ କିପରି ଦେଖୁଛନ୍ତି?
ସମ୍ବାଦ ପକ୍ଷରୁ ଆରମ୍ଭ ହୋଇଥିବା ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ମାନ ଓଡ଼ିଶାର ଅନେକ କମ୍ପାନିର ଭାବମୂର୍ତ୍ତି ଓ ବ୍ରାଣ୍ଡ୍କୁ ଉପସ୍ଥାପିତ କରିପାରିଛି। ଫଳରେ ଆମର ଦୂରଦୃଷ୍ଟି ସମ୍ପନ୍ନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେକ୍ ଇନ୍ ଓଡ଼ିଶା ମିସନକୁ ଏହା ବଳିଷ୍ଠ ଯୋଗଦାନ ରଖୁଛି। ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍ ଆମ ରାଜ୍ୟର ଅନେକ ପ୍ରତିଷ୍ଠିତ ବ୍ରାଣ୍ଡ୍କୁ ପ୍ରୋତ୍ସାହିତ କରିଛି। ଆମ କମ୍ପାନିକୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବାରୁ ଆମେ ସମ୍ବାଦ ପ୍ରତି କୃତଜ୍ଞ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/f85h4d8f9h7df89h7f98h7fs98h7sf8hsfsfsfsfsfsfsfsfsfsfsfsfsfsfsfsfsfsfsf.jpg)
