ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ‘ଅର୍ଥ ଅଭାବରୁ ସ୍ବପ୍ନ ଭାଙ୍ଗିଯିବାର ଦୁଃଖ ଜାଣିଛି’

ଜଣେ ଇଞ୍ଜିନିୟରଙ୍କ ପୁଅ ଭାବେ ଜନ୍ମ ହୋଇ ଡାକ୍ତର ହେବାକୁ ସ୍ବପ୍ନ ଦେଖିଥିଲେ। ପାଠପଢ଼ୁଥିବା ବେଳେ ବାପାଙ୍କ ଦେହ ଖରାପ ହେବାରୁ ଘର ଚଳାଇବା ଲାଗି ତାଙ୍କୁ ଚା’ ବିକିବାକୁ ପଡ଼ିଥିଲା। ଅନେକ ଉତ୍‌ଥାନ ପତନକୁ ସାମ୍ନା କରି ଥିବା ଅଜୟ ବାହାଦୂର ସିଂହ ନିଜ ଜୀବନ ଯାତ୍ରା ବିଷୟରେ ଏକ ସାକ୍ଷାତକାରରେ ଯାହା କହିଥିଲେ ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି

ଝାଡ଼ଖଣ୍ଡ ଆପଣଙ୍କ ଜନ୍ମଭୂମି। ଓଡ଼ିଶାକୁ କର୍ମଭୂମି ଭାବେ କାହିଁକି ବାଛିଲେ?
ଓଡ଼ିଶାକୁ ମୋ ଆସିବା ଯୋଜନାବଦ୍ଧ ନଥିଲା। ମୋ ଘର ଝାଡ଼ଖଣ୍ଡର ଦେଓଘରରେ। ବହୁ ବର୍ଷ ତଳେ, ହାଇଦ୍ରାବାଦରେ ରହୁଥିବା ମୋ ଭଉଣୀ ଘରକୁ ଯାଉଥିବା ବେଳେ ଭୁବନେଶ୍ବରରେ ଟ୍ରେନ୍‌ ଅଟକିଥିଲା। ସେଠାରୁ ଓହ୍ଲାଇ ଆମେ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯାଇଥିଲୁ। ‌ଏହି ସହରର ଶାନ୍ତ ପରିବେଶ ସେହି ସମୟରେ ମୋତେ ବହୁତ ଆକର୍ଷିତ କରିଥିଲା। ଓଡ଼ିଶାକୁ କର୍ମଭୂମି କରିବା ଲାଗି ସେହିଦିନ ଠାରୁ ମୁଁ ନିଷ୍ପତ୍ତି ନେଇଥିଲି ଓ ଆଉ ପଛକୁ ଫେରିଚାହିନାହିଁ। ଜୀବନର ଶେଷ ପର୍ଯ୍ୟନ୍ତ ଏଠାରେ ମୁଁ ରହିବାକୁ ଚାହୁଛି ଓ ଶିକ୍ଷା କ୍ଷେତ୍ର ପ୍ରତି ମୋ ଦ୍ବାରା ଯେତେ‌ ଅଧିକ ହେବ ମୁଁ ଯୋଗଦାନ ଦେବାକୁ ଚାହୁଛି।

ଓଡ଼ିଶାରେ ନିଜର ଯାତ୍ରା କିଭଳି ଆରମ୍ଭ କରିଥିଲେ?
୨୦୦୩ରେ ଆକାଶ ଇନଷ୍ଟିଚ୍ୟୁଟ୍‌ର ପ୍ରଥମ ସେଣ୍ଟର୍‌ ଭୁବନେଶ୍ବରରେ ଖୋଲିବା ସହିତ ମୋର ଯାତ୍ରା ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସେଣ୍ଟର୍‌କୁ ପ୍ରତିଷ୍ଠିତ କରିବା ଲାଗି ଧ୍ୟାନ ଦେଇଥିଲି। କିଛି ବର୍ଷ ଏଠାରେ କାର୍ଯ୍ୟ କରିବା ପରେ ରାଜ୍ୟରେ ଗୁଣାତ୍ମକ ମାନର ଯୁକ୍ତ ଦୁଇ କଲେଜର ଅଭାବ ଥିବା ଜାଣିପାରିଥିଲି। ସେଥିପାଇଁ ୨୦୦୭ରେ ଆଦ୍ୟାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିଥିଲି। ଏହା ବ୍ୟତୀତ ଜିନ୍ଦଗୀ ଫାଉଣ୍ଡେସନ ଜରିଆରେ ମୁଁ ଗରିବ ମେଧାବୀ ପିଲାମାନଙ୍କୁ ମାଗଣାରେ ଖାଇବା ଓ ରହଣୀ ସୁବିଧା ଦେଇ ସେମାନଙ୍କୁ ପାଠପଢ଼ାଇବା କ୍ଷେତ୍ରରେ କାର୍ଯ୍ୟ କରୁଛି।

‌ମେଡିକାଲ୍ ଶିକ୍ଷା ପ୍ରତି ଏତେ ଦୁର୍ବଳତା ପଛର କାରଣ କ’ଣ?
ମୁଁ ବହୁତ ଗରିବ ପରିବାରରୁ ଆସିନାହିଁ। ମୋ ବାପା ଜଣେ ଇଞ୍ଜିନିୟର ଥିଲେ। ଡାକ୍ତରଟିଏ ହେବା ପାଇଁ ମୋର ଅଭିଳାଷ ଥିଲା। ମାତ୍ର ଏମବିବିଏସ୍‌ ଲାଗି ପ୍ରସ୍ତୁତି ଚଳାଇଥିବା ବେଳେ ବାପାଙ୍କ କିଡ୍‌ନି ପ୍ରତିରୋପଣ କରିବାକୁ ପଡ଼ିଥିଲା ଯେଉଁଥିପାଇଁ ଆମକୁ ସମ୍ପତ୍ତି ବିକ୍ରି କରିବାକୁ ପଡ଼ିଲା। ହଠାତ ଆର୍ଥିକ ସଙ୍କଟ ମାଡ଼ିଆସିଲା। ଘର ଚଳାଇବା ଲାଗି ମୋତେ ଚା’ ବିକ୍ରି କରିବାକୁ ପଡ଼ିଲା। ଆଉ ଏମ୍‌ବିବିଏସ୍‌ ହୋଇପାରିଲା ନାହିଁ। କିନ୍ତୁ ମୁଁ ସୋସିଓଲୋଜିି ଅନର୍ସରେ ସ୍ନାତକ ପାସ୍ କରିଥିଲା। ଯେହେତୁ ମୁଁ ନିଜେ ଡାକ୍ତର ହୋଇପାରିଲି ନାହିଁ, ତେଣୁ ଅର୍ଥ ଅଭାବ ଯୋଗୁ ସ୍ବପ୍ନ ଭାଙ୍ଗିଯିବାର ଦୁଃଖକୁ ଭଲ ଭାବେ ବୁଝିଛି। ସେଥିପାଇଁ ଯେଉଁ ଗରିବ ପିଲାମାନେ ଡାକ୍ତର ହେବାକୁ ଚାହୁଛନ୍ତି ସେମାନଙ୍କୁ ସାହାଯ୍ୟ କରୁଛି।

ଜିନ୍ଦଗୀ ଫାଉଣ୍ଡେସନର ଜନ୍ମ କ’ଣ ସେହି ଭାବନାରୁ ହୋଇଛି?
ହଁ। ୨୦୧୭ରେ ମୁଁ ଜିନ୍ଦଗୀ ଫାଉଣ୍ଡେସନ ଆରମ୍ଭ କରିଥିଲି। ପ୍ରଥମ ବର୍ଷ ୨୦ ଜଣ ପିଲାଙ୍କୁ ମାଗଣାରେ ପାଠ ପଢ଼ାଇ ସେମାନଙ୍କୁ ମେଡିକାଲ୍ ପରୀକ୍ଷା ଲାଗି ପ୍ରସ୍ତୁତ କରିଥିଲୁ। ସେମାନଙ୍କ ମଧ୍ୟରୁ ୧୮ ଜଣ ପରୀକ୍ଷାରେ କୃତକାର୍ଯ୍ୟ ‌ହୋଇଥିଲେ। ୨୦୧୮ରେ ୧୪ ଜଣ ପିଲାଙ୍କୁ ପଢ଼ାଇଥିଲୁ ଏବଂ ସମସ୍ତେ ସଫଳତା ପାଇଥିଲେ। ୨୦୧୯ରେ ୧୯ ଜଣ ପିଲାଙ୍କୁ ପାଠ ପଢ଼ାଇଛୁ। ସେମାନେ ପରୀକ୍ଷା ଦେଇଛନ୍ତି। ଫଳ ଏପର୍ଯ୍ୟନ୍ତ ବାହାରିନାହିଁ। ଜିନ୍ଦେଗୀ ଫାଉଣ୍ଡେସନର ଏକ ସ୍ବତନ୍ତ୍ର କ୍ୟାମ୍ପସ୍ କରିବାକୁ ମୋର ସ୍ବପ୍ନ ରହିଛି। ଜମି ପାଇଁ ମୁଁ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିବାକୁ ଯୋଜନା ରଖିଛି।

ଆକାଶ ଇନଷ୍ଟିଚ୍ୟୁଟ୍‌ କେତେ ଜଣ ଡାକ୍ତର ସୃଷ୍ଟି କରିପାରିଛି?
ଆକାଶ ଇନଷ୍ଟିଚ୍ୟୁଟ୍‌ରୁ ଶିକ୍ଷା ଗ୍ରହଣ କରି ୫୦୦୦ରୁ ଅଧିକ ଛାତ୍ରଛାତ୍ରୀ ଡାକ୍ତର ହୋଇପାରିଛନ୍ତି। ଯଦି ବିଭିନ୍ନ ପ୍ରକାର କୋଟାକୁ ମିଶାଇ ଦିଆଯିବ ତେବେ ଏହି ସଂଖ୍ୟା ୭୦୦୦ରୁ ମଧ୍ୟ ଅଧିକ ହେବ।

ଆପଣଙ୍କ ଅଧୀନରେ କେତୋଟି ସେଣ୍ଟର୍‌ ପରିଚାଳିତ ହେଉଛି?
ଭୁବନେଶ୍ବରରେ ଦୁଇଟି ସେଣ୍ଟର୍‌ ଥିବା ବେଳେ କଟକ, ପୂର୍ବ ଦିଲ୍ଲୀ, ନନ୍ଦେଦ, ଲାତୁର ଏବଂ ଆଯୋଧ୍ୟାରେ ଗୋଟିଏ ଲେଖାଏଁ ସେଣ୍ଟର୍‌ ରହିଛି। ଖୁବ୍‌ଶୀଘ୍ର ମହାରାଷ୍ଟ୍ରର ସୋଲାପୁରରେ ଏକ ସେଣ୍ଟର୍‌ ଖୋଲିବାକୁ ଆମର ଯୋଜନା ରହିଛି।

ସମ୍ବାଦର ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ଅଭିଯାନ ଉପରେ ଆପଣଙ୍କ ମତ କ’ଣ?
ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ତରଫରୁ ଏହା ଏକ ବହୁତ ଭଲ ଅଭିଯାନ। ଓଡ଼ିଶାରୁ ଜନ୍ମ ହୋଇ ଦେଶବିଦେଶରେ ଖ୍ୟାତି ଅର୍ଜନ କରିଥିବା ବ୍ରାଣ୍ଡ୍‌ଗୁଡ଼ିକୁ ଏହା ଜରିଆରେ ସ୍ବୀକୃତି ପ୍ରଦାନ କରାଯାଉଛି। ଏହା ଏକ ଗବେଷଣା କାର୍ଯ୍ୟ ଭଳି। ଏକ ଶ୍ରେଷ୍ଠ କାର୍ଯ୍ୟ। ଏହା ଦ୍ବାରା ରାଜ୍ୟର ଉଦ୍ୟୋଗୀମାନଙ୍କୁ ଉତ୍ସାହ ମିଳିବ। ‌ଯେଉଁମାନେ ଉଦ୍ୟୋଗୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ସେମାନେ ମଧ୍ୟ ଏହି ପୁରସ୍କାର ଦ୍ବାରା ଅନୁପ୍ରାଣିତ ହେବେ।

ସମ୍ବନ୍ଧିତ ଖବର