ବ୍ରାଣ୍ଡସ୍ ଅଫ୍ ଓଡ଼ିଶା, ପ୍ରାଇଡ଼୍ ଅଫ୍ ଇଣ୍ଡିଆ : ‘ଚାଷୀ ଓ ଉଦ୍ୟୋଗୀଙ୍କୁ ପ୍ରଥମ ଶ୍ରେଣୀ ନାଗରିକ ମାନ୍ୟତା ଦେବା ଉଚିତ’

ଓମ୍ ଅଏଲ୍ ଏଣ୍ଡ୍ ଫ୍ଲୋର ମିଲ୍ସ ଲିମିଟେଡ୍ (ରୁଚି ଫୁଡ୍‌ଲାଇନ୍)ର ପରିଚାଳନା ନିର୍ଦେଶକ ଡକ୍ଟର ଶରତ କୁମାର ସାହୁ ଏକ ସାକ୍ଷାତକାରରେ ନିଜର ଉଦ୍ୟୋଗୀ ହେବାର ଯାତ୍ରା ଓ କଂପାନି ସମ୍ପର୍କରେ ଯାହା କହିିଥିଲେ ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି

୫ ହଜାର ଟଙ୍କା ମୂଳଧନରେ ବ୍ୟବସାୟ ଆରମ୍ଭ କରି ଭାରତ ବର୍ଷରେ ଏକ ଅଗ୍ରଣୀ ମସଲା ଉଦ୍ୟୋଗରେ ପରିଣତ ହେବା ପଛରେ ସଫଳତାର ସୂତ୍ର କ’ଣ?
ରୁଚି ମସଲା ଉଦ୍ୟୋଗ ଆଜି ଓଡ଼ିଶାର ଘରେ ଘରେ ପରିଚିତ । ଏହା ପଛରେ ରହିଛି ଆମର କଠିନ ପରିଶ୍ରମ, ଧୈର୍ଯ୍ୟ ଓ ବିଦେଶୀ ଜ୍ଞାନକୌଶଳର ଉପଯୋଗ। ଓଡ଼ିଶାର ଲୋକଙ୍କୁ ଏକ ଉତ୍ତମ ଗୁଣମାନର ସାମଗ୍ରୀ ଯୋଗାଇଦେବା ଆମର ପ୍ରଥମ ଓ ପ୍ରଧାନ ଲକ୍ଷ୍ୟ। ଦୀର୍ଘ ୪୪ ବର୍ଷ ଧରି ଆମେ ଏ କ୍ଷେତ୍ରରେ ନିଜସ୍ୱ ଗବେଷଣା ଜରିଆରେ ଆମର ଉତ୍ପାଦିତ ସାମଗ୍ରୀକୁ ମୂଲ୍ୟଯୁକ୍ତ ଭାବେ ଉତ୍ପାଦନ ଓ ବିପଣନ କରି ଆଜି ଏ ସଫଳତା ପାଇଛୁ। କମ୍ପାନିରେ କାର୍ଯ୍ୟରତ ସମସ୍ତ ସହଯୋଗୀଙ୍କ ଭୂମିକା ମଧ୍ୟ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ପ୍ରେରଣାଦାୟକ।

ଏବେ ‘ରୁଚି’ର ବାର୍ଷିକ ଟର୍ଣ୍ଣଓଭର କେତେ? ଏବଂ ଆଗାମୀ ବର୍ଷ ପାଇଁ ଏହାର ଟାର୍ଗେଟ୍‌ କେତେ ?
ଏବେ ଆମର ବାର୍ଷିକ ଟର୍ଣ୍ଣଓଭର ରହିଛି ୨୫୩ କୋଟି ଟଙ୍କା। ଆଗାମୀ ବର୍ଷ ପାଇଁ ଆମର ବ୍ୟବସାୟ ୩୦୦ କୋଟି ଟଙ୍କାରେ ପହଞ୍ଚିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରିଛୁ।

ଆପଣ ନିଜ ସାମଗ୍ରୀ ଜରିଆରେ ଓଡ଼ିଶାର ସଂସ୍କୃତି ଓ ଖାଦ୍ୟରୁଚିର ପ୍ରସାର କରୁଛନ୍ତି ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି। ଏ ସଂପର୍କରେ ଆପଣ କ’ଣ କହିବେ ?
ମୁଁ ଯେତେବେଳେ ୧୯୭୬ ମସିହାରେ ପ୍ରଥମେ ଏହି ମସଲା ଶିଳ୍ପ ଆରମ୍ଭ କରିଥିଲି ରାଜ୍ୟର ଜନସାଧାରଣଙ୍କ ଅକୁଣ୍ଠ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ମୋ ସହିତ ଥିଲା। ଯେହେତୁ ଆମେ ଖାଉଟି ସାମଗ୍ରୀ ଉତ୍ପାଦନ କରୁଥିବା ଏକ ଅନୁଷ୍ଠାନ, ତେଣୁ ସମାଜ ପ୍ରତି କିଛି ଦାୟିତ୍ୱ ନିର୍ବାହ କରିବା ମଧ୍ୟ ଆମର କାର୍ଯ୍ୟ। ପ୍ରତିବର୍ଷ ଏଥିପାଇଁ ଆମେ ଆମର ସାମାଜିକ ଉତ୍ତରଦାୟିତ୍ୱ ନିର୍ବାହ ଜରିଆରେ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ କରିଥାଉ।

ଯୁବାବସ୍ଥାରେ ଆପଣ ଓଡ଼ିଶାର ଜଣେ ଭଲ କବାଡ଼ି ଖେଳାଳୀ ଥିଲେ, ତେବେ ହଠାତ୍ ଜଣେ ଉଦ୍ୟୋଗୀ ହେବା ପାଇଁ କାହିଁକି ଚିନ୍ତା କଲେ?
ମୁଁ ଖେଳାଳୀ ହେବା ପୂର୍ବରୁ ଜଣେ ସଫଳ ଉଦ୍ୟୋଗୀର ପୁଅ ଥିଲି । ମୋ ବାପା ବନମାଳୀ ସାହୁ ମୋତେ ୫ ବର୍ଷ ବୟସରୁ ଭୋରରୁ ଉଠାଇ କୁସ୍ତି ଶିଖିବା ପାଇଁ ପଠାଉଥିଲେ। ବାପା ନିଜେ କଠିନ ପରିଶ୍ରମ କରି ଆମକୁ ପାଠପଢ଼ାଇ ଉପଯୁକ୍ତ ମଣିଷ ହେବାପାଇଁ ପ୍ରେରଣା ଦେଇଥିଲେ। ମୁଁ ଓଡ଼ିଶା କବାଡ଼ି ଦଳର କ୍ୟାପ୍‌ଟେନ୍‌ ହେବା ପୂର୍ବରୁ ଏଇକଥା ସବୁ ବାପାଙ୍କ ପାଖରୁ ଶିଖିଥିଲି । ସେ ଥିଲେ ମୋ ଜୀବନର ପ୍ରଥମ ବିଦ୍ୟାଦାତା ଓ ପ୍ରେରଣାଦାତା।

‘ସମ୍ବାଦ’ର ବ୍ରାଣ୍ଡସ୍ ଅଫ୍ ଓଡ଼ିଶା, ପ୍ର୍ରାଇଡ଼୍ ଅଫ୍ ଇଣ୍ଡିଆ’- କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌କୁ କିପରି ଦେଖୁଛନ୍ତି ?
୪୪ ବର୍ଷ ଧରି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ କାମ କରୁଥିବା ଆମ ଅନୁଷ୍ଠାନର ସ୍ଲୋଗାନ ହେଉଛି -ବର୍ଣ୍ଣ ଇନ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆ। ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଓଡ଼ିଶାର ଲୋକପ୍ରିୟ ଖବରକାଗଜ ‘ସମ୍ବାଦ’ – ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ଼୍ ଅଫ୍ ଇଣ୍ଡିଆ ଜରିଆରେ ଓଡ଼ିଶାର ସୁନାମଧନ୍ୟ ଅନୁଷ୍ଠାନର ବ୍ରାଣ୍ଡକୁ ପ୍ରୋତ୍ସାହନ ଦେବାପାଇଁ ଏଭଳି ଅଭିନବ ଢଙ୍ଗରେ ପୁରସ୍କୃତ କରୁଛି। ଓଡ଼ିଶା ମାଟିରେ ଜନ୍ମ ନେଇଥିବା ଅନେକ ପ୍ରତିଭାବାନ ଯୁବ ଉଦ୍ୟୋଗୀକୁ ପ୍ରେରଣା ଦେବାପାଇଁ ସମ୍ବାଦ ଏକ ପ୍ରଶଂସନୀୟ ଭୂମିକା ଗ୍ରହଣ କରୁଥିବାରୁ ମୁଁ ସେମାନଙ୍କୁ ବିଶେଷ ଭାବରେ ଅଭିନନ୍ଦନ ଜଣାଉଅଛି।

ରାମଦାସପୁରଠାରେ ନୂଆ କାରଖାନାର ନୂତନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ କ’ଣ?
ଆମେ ରାମଦାସପୁରଠାରେ ଗଢ଼ିଉଠୁଥିବା ନୂତନ ଶିଳ୍ପାଞ୍ଚଳରେ ବୈଦେଶିକ ଜ୍ଞାନକୌଶଳ ସହାୟତାରେ ୧୦୦ କୋଟି ଟଙ୍କାରେ ଏକ ଉନ୍ନତ କାରଖାନା ପ୍ରତିଷ୍ଠା କରିବାକୁ ଯାଉଛୁ। ଏଥିପାଇଁ ରାଜ୍ୟ ସରକାର ଜମି ସମେତ ଅନ୍ୟ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିଛନ୍ତି। କିନ୍ତୁ ଆଗରୁ ଯେଭଳି ଉଦ୍ୟୋଗୀମାନଙ୍କୁ ଶିଳ୍ପ ପ୍ରତିଷ୍ଠା ପାଇଁ ଦୌଡ଼ିବାକୁ ପଡୁଥିଲା ବର୍ତ୍ତମାନ ବି ସେହି ଧାରା ବଜାୟ ରହିଛି । ଯଦି ଏହା ଶୀଘ୍ର ହୋଇପାରନ୍ତା ବହୁତ ଭଲ ହୁଅନ୍ତା ବୋଲି ମୋର ମତ । ରାଜ୍ୟ ସରକାର ଚାଷୀ ଓ ଉଦ୍ୟୋଗୀମାନଙ୍କୁ ପ୍ରଥମ ଶ୍ରେଣୀର ନାଗରିକ ଭାବେ ମାନ୍ୟତା ଦେବା ଉଚିତ । ବର୍ତ୍ତମାନ ବି ଉଦ୍ୟୋଗୀମାନଙ୍କୁ ମଧ୍ୟ ନିଜ ଶିଙ୍ଗରେ ମାଟି ତାଡ଼ିବାକୁ ପଡୁଛି।

ଓଡ଼ିଶାର ଯୁବ ଉଦ୍ୟୋଗୀଙ୍କ ପାଇଁ ଆପଣ କି ପରାମର୍ଶ ଦେବେ ?
ଆମ ରାଜ୍ୟର ପ୍ରତିଭାବାନ ଯୁବ ଉଦ୍ୟୋଗୀମାନେ ପ୍ରଥମେ କଠିନ ପରିଶ୍ରମୀ ହେବା ଉଚିତ। ଉଚ୍ଚ ଜ୍ଞାନକୌଶଳର ସହାୟତା ସହିତ ସେମାନଙ୍କୁ ଅଭିଜ୍ଞ ଉଦ୍ୟୋଗୀଙ୍କ ପରାମର୍ଶ ଦିଆଗଲେ ସେମାନେ ଜୀବନରେ ବେଶ୍ ସଫଳ ହେବେ। କେବଳ ଉଦ୍ୟୋଗ ଗଢ଼ିଦେଲେ ହେବନାହିଁ, ଉତ୍ତମ ଚିନ୍ତାଧାରା, ପ୍ରେରଣା ଓ ଉଚିତ ଦିଗ୍‌ଦର୍ଶନ ହିଁ ସେମାନଙ୍କୁ ଆଗକୁ ଯିବାପାଇଁ ବାଟ ଦେଖାଇପାରିବ।

ସମ୍ବନ୍ଧିତ ଖବର