ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ : ‘ଗ୍ରାହକଙ୍କୁ କେବଳ ଇଟା ଓ ପଥରରେ ତିଆରି ଘର ଦେଇ ନଥାଉ’

ରାଜ୍ୟରେ ରିଅଲ ଇଷ୍ଟେଟର ସ୍ଥିତି ଏବଂ ନିଜ କମ୍ପାନିର ବର୍ତ୍ତମାନ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ମେଟ୍ରୋ ଗ୍ରୁପ୍‌ର ନିର୍ଦ୍ଦେଶିକା ସୋଫିଆ ଫିର୍‌ଦୋସ୍ ଯାହା କହିଛନ୍ତି ତାହା ଏଠାରେ ଉପସ୍ଥାପନ କରାଯାଇଛି ।

ରିଅଲ ଇଷ୍ଟେଟ୍‌ କ୍ଷେତ୍ରରେ ଜୋରଦାର ପ୍ରତିଯୋଗିତା ହୋଇଥାଏ ଏବଂ ପ୍ରତିବନ୍ଧକ ମଧ୍ୟ ଅନେକ ଥାଏ। ଜଣେ ଯୁବ ଏବଂ ମହିଳା ଉଦ୍ୟୋଗୀଭାବେ ଆପଣ ଏସବୁ ଆହ୍ବାନର ମୁକାବିଲା କେମିତି କରନ୍ତି?

ପିଲାବେଳୁ ‌ମୁଁ ମୋ ବାପାଙ୍କୁ ରିଅଲ୍‌ ଇଷ୍ଟେଟ୍‌ ବ୍ୟବସାୟରେ କାର୍ଯ୍ୟ କରିବା ଦେଖିଆସିଛି। ବଡ଼ ହେବା ପରେ ମନଲୋଭା କୋଠା ଏବଂ ମଲ୍ ଆଦି ପ୍ରତି ମୋର ଆକର୍ଷଣ ବଢ଼ିଲା। ତେଣୁ ରିଅଲ୍‌ ଇଷ୍ଟେଟ୍‌ ବ୍ୟବସାୟରେ ରହିବା ପାଇଁ ମୁଁ ପସନ୍ଦ କଲି। କାର୍ଯ୍ୟ କରିବା ବେଳେ ମୁଁ ଏହି କ୍ଷେତ୍ରକୁ ବହୁତ ଭଲପାଏ ଏବଂ ଯାହାସବୁ ପ୍ରତିବନ୍ଧକ ଆସେ ତାହାକୁ ସକରାତ୍ମକ ସହ ଗ୍ରହଣ କରିଥାଏ। ମୋ ପାଖରେ ଥିବା ଅତି ଉଚ୍ଚମାନର ଟିମ୍ ଯୋଗୁ ମୁଁ ନିର୍ମାଣସ୍ଥଳର ‌କାର୍ଯ୍ୟ, ଅଫିସ୍ କାର୍ଯ୍ୟ ସହିତ ଗ୍ରାହକଙ୍କ କଥା ମଧ୍ୟ ବୁଝିବାରେ‌ ସମର୍ଥ ହୋଇଥାଏ। ସମ୍ପ୍ରତି କମ୍ପାନିର ଯୋଗସୂତ୍ର ରକ୍ଷା କାର୍ଯ୍ୟ ବି ବୁଝୁଛି।

ଅନ୍ୟ କମ୍ପାନିଙ୍କ ତୁଳନାରେ ଆପଣଙ୍କ କମ୍ପାନିକୁ ଆଗରେ ରଖିବା ପାଇଁ କି ରଣକୌଶଳ ଓ ଯୋଜନା ଆପଣାଇଛନ୍ତି?
ମୁଁ ସବୁବେଳେ ବିଶ୍ବାସ କରେ ଯେ ଇଟା ଓ ପଥରରେ ଆମେ ଘର ତିଆରି କରୁନାହୁଁ। ଆମେ ଏଭଳି ଘର ତିଆରି କରୁଛୁ ଯେଉଁଠି ଜଣେ ତାଙ୍କ ଜୀବନକାଳ ବିତାଇବେ। ଘରେ ସ୍ମୃତି ତିଆରି ହେବ। ତେଣୁ ଘର ନିର୍ମାଣରେ ଗ୍ରାହକଙ୍କୁ ସର୍ବୋତ୍କୃଷ୍ଟ ମାନର ସୁବିଧା ଯେଭଳି ଠିକ୍ ସମୟରେ ପ୍ରଦାନ କରାଯିବ ତାହାର ଗୁରୁତ୍ବକୁ ମୁଁ ଟିମ୍‌ର ସବୁ ସଦସ୍ୟଙ୍କ ମୁଣ୍ଡରେ ଭର୍ତ୍ତି କରିଥାଏ।

ଆପଣଙ୍କ କମ୍ପାନି ମାନ୍ଦାବସ୍ଥାରେ ପ୍ରଭାବିତ ହୋଇଛି କି?

ଆମ କମ୍ପାନି ଅର୍ଥନୈତିକ ମାନ୍ଦାବସ୍ଥା ଦ୍ବାରା ପ୍ରଭାବିତ ହୋଇନାହିଁ। ଏହାର କାରଣ ହେଲା ଉପଯୁକ୍ତ ସ୍ଥାନରେ ଠିକ୍ ପ୍ରକଳ୍ପ ଆରମ୍ଭ କରିବା ସହିତ ଠିକ୍ ଦାମ୍‌ରେ ଗ୍ରାହକଙ୍କୁ ଆମେ ଘର ପ୍ରଦାନ କରିଥାଉ।

କମ୍ପାନିର ଭବିଷ୍ୟତ ଯୋଜନା କ’ଣ?
ଭବିଷ୍ୟତରେ ଜଟଣୀଠାରେ ଏକ ଟାଉନସିପ୍ ବିକାଶ କରିବା ଯୋଜନା ଆମର ରହିଛି। ନିମ୍ନ ଆୟ ବର୍ଗ (ଏଲ୍‌ଆଇଜି)ର ଗ୍ରାହକଙ୍କ ପାଇଁ ୧୦ରୁ ୨୦ ଲକ୍ଷ ଟଙ୍କା ମଧ୍ୟରେ ସୁଲଭ ମୂଲ୍ୟର ଗୃହ ନିର୍ମାଣ କରି ଏହି ଐତିହାସିକ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଯୋଜନା ରହିଛି।

ସବୁ ବର୍ଗର ଗ୍ରାହକଙ୍କୁ ଉତ୍ତମମାନର ଗୃହ ନିର୍ମାଣ କରି ଯୋଗାଇ ଦେବା ପାଇଁ ରିଅଲ୍‌ ଇଷ୍ଟେଟ୍‌ ଶିଳ୍ପ ସରକାରଙ୍କଠାରୁ କି ସହାୟତା ଆବଶ୍ୟକ କରୁଛି?
ରିଅଲ ଇଷ୍ଟେଟ ଶିଳ୍ପ ସରକାରଙ୍କଠାରୁ ଅନେକ ସହାୟତା ଆବଶ୍ୟକ କରୁଛି। ବିଶେଷକରି ରେରା ଆଇନ କାର୍ଯ୍ୟକାରୀ ହେବା ପରେ ଗୃହ ନିର୍ମାଣ ପ୍ରକଳ୍ପ ବହୁମାତ୍ରାରେ ହ୍ରାସ ପାଇଛି। ସିଙ୍ଗଲ୍‌ ୱିଣ୍ଡୋ କ୍ଲିୟରାନ୍ସ, ଠିକ୍ ସମୟରେ ଅକୁପାନ୍ସି ସାର୍ଟିଫିକେଟ୍‌ ପ୍ରଦାନ, ଉନ୍ନୟନ କର୍ତ୍ତୃପକ୍ଷ ଗୁଡ଼ିକରେ ଅତ୍ୟାଧୁନିକ ପ୍ରଯୁକ୍ତି, ପାୱାର ଅଫ୍ ଆଟର୍ଣ୍ଣି ପ୍ରଦାନରେ ଷ୍ଟାମ୍ପ ଡ୍ୟୁଟି ହ୍ରାସ ଆଦି ରିଅଲ୍‌ ଇଷ୍ଟେଟ୍‌ କ୍ଷେତ୍ରର ଅନେକ ଦାବିକୁ ସରକାର ପୂରଣ କରିବା ଆବଶ୍ୟକ। ଏହାହେଲେ ନିଯୁକ୍ତି ଏବଂ ଜିଡିପିକୁ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିଥିବା ଏହି ଶିଳ୍ପରେ ସୁଧାର ଆସିପାରିବ।

ସମ୍ବାଦର ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌ ସମ୍ପର୍କରେ ଆପଣଙ୍କ ମତ କ’ଣ?
ଓଡ଼ିଶାରେ ଆରମ୍ଭ ‌ହୋଇଥିବା ବ୍ରାଣ୍ଡ୍‌ ଗୁଡ଼ିକ ଏହାଦ୍ବାରା ସ୍ବୀକୃତି ପାଉଛନ୍ତି। ଆମମାନଙ୍କୁ ଉତ୍ତମ ପ୍ରଦର୍ଶନ ପାଇଁ ଏହା ପ୍ରେରଣା ଏବଂ ଉତ୍ସାହ ଯୋଗାଉଛି।

ସମ୍ବନ୍ଧିତ ଖବର