ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ‘କୌଶଳ ଶିକ୍ଷାରେ ମାର୍ଗଦର୍ଶକ ହେବ ସି ଭି ରମଣ ବିଶ୍ବବିଦ୍ୟାଳୟ’

ନିକଟରେ ସି ଭି ରମଣ କଲେଜ ଅଫ୍ ଇଞ୍ଜିନିୟରିଂ ନିକଟରେ ସି ଭି ରମଣ ଗ୍ଲୋବାଲ ବିଶ୍ବବିଦ୍ୟାଳୟରେ ପରିଣତ ହୋଇଛି। ବିଶ୍ବବିଦ୍ୟାଳୟର ଚେୟାରମ୍ୟାନ୍ ସଞ୍ଜୀବ କୁମାର ରାଉତ ଭବିଷ୍ୟତର ଶିକ୍ଷା ଏବଂ ବିଶ୍ବବିଦ୍ୟାଳୟର ଯୋଜନା ସମ୍ପର୍କରେ ଯାହା କୁହନ୍ତି ତାହା ‌ଏଠାରେ ଉପସ୍ଥାପନ କରାଯାଇଛି।

ନିକଟରେ ଆପଣଙ୍କ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିଛି। ଆଗକୁ ଏ ନେଇ ‌କ’ଣ ଯୋଜନା ରଖିଛନ୍ତି?
ଭବିଷ୍ୟତରେ ଯେଉଁସବୁ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ରହିଛି ସେଭଳି ପାଠ୍ୟକ୍ରମ (ଉଭୟ ୟୁଜି ଏବଂ ପିଜି ଶ୍ରେଣୀରେ) ଖୋଲିବା ଯୋଜନା ଆମ ବିଶ୍ବବିଦ୍ୟାଳୟର ରହିଛି। ଏଥିସହିତ ଏକ ଉତ୍ତମ ଷ୍ଟାର୍ଟଅପ୍ ପରିସଂସ୍ଥାନ, ନୂଆ ଗବେଷଣା ଏବଂ ବିକାଶ ପରିବେଶ ସହିତ ବୈଷୟିକ ଶିକ୍ଷାରେ ଏକ ଅନ୍ତର୍ଜାତୀୟ ପରିବେଶ ସୃଷ୍ଟି କରିବା ପାଇଁ ବିଶ୍ବବିଦ୍ୟାଳୟରେ ଅଧିକରୁ ଅଧିକ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ନାମଲେଖାକୁ ଗୁରୁତ୍ବ ଦେଉଛୁ। ନୂଆ ନୂଆ ପ୍ରଯୁକ୍ତି କ୍ଷେତ୍ରରେ ୨୦ ପ୍ରତିଶତ ଫ୍ୟାକଲଟିଙ୍କୁ ଭାରତ ବାହାରୁ ଆଣିବାକୁ ଲକ୍ଷ୍ୟ ରଖିଛୁ। ସେହିଭଳି ବିଶ୍ବବିଦ୍ୟାଳୟରେ ୨୫ ପ୍ରତିଶତ ବିଦେଶୀ ଛାତ୍ରଛାତ୍ରୀଙ୍କୁ ପଢ଼ିବା ପାଇଁ ସୁଯୋଗ ଦିଆଯିବ। ଅଧିକ ଉଦ୍ୟୋଗୀ ସୃଷ୍ଟି କରାଯିବ। ଭବିଷ୍ୟତର ଦକ୍ଷତା ବା କୌଶଳ ଶିକ୍ଷା କ୍ଷେତ୍ରରେ ବିଶ୍ବବିଦ୍ୟାଳୟ ଦେଶ ପାଇଁ ପଥ ପ୍ରଦର୍ଶକ ହେବ।
ଆପଣ ଦକ୍ଷତା ବିକାଶକୁ ସର୍ବଦା ପ୍ରାଧାନ୍ୟ ଦେଇଥାନ୍ତି। ଆଗାମୀ ଦିନରେ ଏହା ଜାରି ରହିବ କି?
ହଁ, ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ନିଯୁକ୍ତିଦାତାମାନେ ଚାକିରି ଦେବାବେଳେ ଛାତ୍ରଛାତ୍ରୀଙ୍କର ଉଭୟ ସାର୍ଟିଫିକେଟ୍ ଏବଂ ଦକ୍ଷତାକୁ ବିଚାରକୁ ନେଉଛନ୍ତି। ତେଣୁ ଆମ ଶିକ୍ଷାନୁଷ୍ଠାନରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନେ ଯେଭଳି ଶିଳ୍ପ ପ୍ରତିଷ୍ଠାନରେ ଚାକିରି ପାଇଁ ଯୋଗ୍ୟ ହେବେ ସେଥିପାଇଁ ନିୟମିତ ପାଠ୍ୟକ୍ରମ ସହିତ ଦକ୍ଷତାକୁ ଯୋଡ଼ିବାର ପ୍ରୟାସ ଆମର ସର୍ବଦା ଜାରି ରହିବ।
ବାସ୍ତବ ଜୀବନ ଏବଂ ଶିଳ୍ପ କ୍ଷେତ୍ରର ଆହ୍ବାନକୁ ସାମ୍ନା କରିବା ପାଇଁ ଆପଣ ଛାତ୍ରଛାତ୍ରୀଙ୍କୁ କିଭଳି ପ୍ରସ୍ତୁତ କରୁଛନ୍ତି?
ବର୍ତ୍ତମାନ ପ୍ରଯୁକ୍ତି ଯୋଗୁଁ ଶିଳ୍ପରେ ଦ୍ରୁତ ପରିବର୍ତ୍ତନ ହେଉଛି। ଛାତ୍ରଛାତ୍ରୀଙ୍କୁ ସେଥିପାଇଁ ପ୍ରସ୍ତୁତ ରଖିବା ନିମନ୍ତେ ଆମେ ବିଭିନ୍ନ ‌‌କ୍ଷେତ୍ରର ଶିଳ୍ପ ବିଶେଷଜ୍ଞଙ୍କୁ ନେଇ ପାଠ୍ୟକ୍ରମରେ ଉନ୍ନତି ଆଣୁଛୁ।
କ’ଣ ସବୁ ନୂଆ ପାଠ୍ୟକ୍ରମ ଆରମ୍ଭ ଯୋଜନା ରଖିଛନ୍ତି?
ରୋବୋଟିକ୍ସ ଆଣ୍ଡ ଡ୍ରୋନ୍ ଟେକ୍ନୋଲୋଜି, ଅଟୋମେସନ୍ ଆଣ୍ଡ୍ ମେକାଟ୍ରୋନିକ୍ସ, ସାଇବର ସିକ୍ୟୁରିଟି ଆଣ୍ଡ ନେଟୱାର୍କିଂ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଣ୍ଡ ମେସିନ୍ ଲର୍ଣ୍ଣିଂ, ଭର୍ଚୁଆଲ ରିଅଲିଟି ଆଣ୍ଡ୍ ଅ‌ଗ୍‌ମେଣ୍ଟେ‌ଡ୍ ରିଅଲିଟି ଟେକ୍ନୋଲୋଜି ଏବଂ ଫୁଡ୍ ଟେଷ୍ଟିଂ ଟେକ୍ନୋଲୋଜି ଭଳି ନୂଆ ପାଠ୍ୟକ୍ରମ ଆମେ ଆରମ୍ଭ କରିବା ଯୋଜନା ରଖିଛୁ।
ସମ୍ବାଦର ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ ୨୦୨୦ ସମ୍ପର୍କରେ ଆପଣ କ’ଣ କହିବେ?
କୌଣସି ଖ୍ୟାତିସମ୍ପନ୍ନ ସଂସ୍ଥା ଦ୍ବାରା ସ୍ଥାନୀୟ ବ୍ରାଣ୍ଡ୍‌କୁ ପ୍ରୋତ୍ସାହନ ଦେବା ନିଶ୍ଚିତଭାବେ ଏକ ଭଲ ଚିନ୍ତାଧାରା। ରାଜ୍ୟର ୧ ନମ୍ବର ଓଡ଼ିଆ ଖବରକାଗଜ ସମ୍ବାଦ ପକ୍ଷରୁ ଏଭଳି ପୁରସ୍କାରର ଅନେକ ମୂଲ୍ୟ ରହିଛି। ସ୍ଥାନୀୟ ଉଦ୍ୟୋଗୀଙ୍କୁ ଏହା ନିଶ୍ଚିତଭାବେ ପ୍ରୋତ୍ସାହିତ କରିବ।

ସମ୍ବନ୍ଧିତ ଖବର