ରାଜ୍ୟର ସ୍ବାସ୍ଥ୍ୟ ସେବା ସ୍ଥିତି ଓ ଘରୋଇ ହସ୍ପିଟାଲ୍ଗୁଡ଼ିକର ଭୂମିକା ବିଷୟରେ ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲ୍ର ସିଓଓ ଭର୍ଗିଜ୍ ପି ଜନ୍ ଏକ ସାକ୍ଷାତକାରରେ ଯାହା କହିଥିଲେ ଏଠାରେ ଉପସ୍ଥାପନ କରାଯାଇଛି
ଘରୋଇ ହସ୍ପିଟାଲ୍ ସ୍ବାସ୍ଥ୍ୟ ସେବାର ଦୃଶ୍ୟପଟ୍ଟ ବଦଳାଇପାରିଛନ୍ତି କି?
ଓଡ଼ିଶାରେ ମୁଖ୍ୟତଃ ସରକାରୀ ଅନୁଷ୍ଠାନଗୁଡ଼ିକ ଜରିଆରେ ସ୍ବାସ୍ଥ୍ୟ ସେବା ପ୍ରଦାନ କରାଯାଉଛି। ଘରୋଇ କ୍ଷେତ୍ରର ଅବଦାନ ସୀମିତ ରହିଛି। ତେବେ ରାଜ୍ୟର ୩୫ଟି ସ୍ଥାନରେ ହସ୍ପିଟାଲ୍ ଖୋଲିବା ଲାଗି ରାଜ୍ୟ ସରକାର ରଖିଥିବା ଯୋଜନା ପାଇଁ ୧୩୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଦରକାର ହେବ। ଏହା ଦ୍ବାରା ୨୯୦୦ ନୂଆ ଶଯ୍ୟା ସୃଷ୍ଟି ହେବ। ଆସନ୍ତା ତିନି ବର୍ଷରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରକୁ ୨୭୫୦ କୋଟି ଟଙ୍କାର ଘରୋଇ ପୁଞ୍ଜିନିବେଶ ଆଣିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।
ରାଜ୍ୟରେ ହୃଦରୋଗ ଓ କ୍ୟାନସର୍ର ସ୍ଥିତି କିଭଳି ରହିଛି?
ଡାଇବେଟିସ୍, ଉଚ୍ଚ ରକ୍ତଚାପ ଏବଂ ସାଧାରଣ କ୍ୟାନସର୍ କ୍ଷେତ୍ରରେ ଦେଶର ପ୍ରମୁଖ ପାଞ୍ଚଟି ରାଜ୍ୟ ଭିତରେ ଓଡ଼ିଶା ରହିଛି। ଡାଇବେଟିସ୍ରେ ଏହା ତିନି ନମ୍ବର, ରକ୍ତଚାପରେ ଚାରି ନମ୍ବର ଏବଂ ସାଧାରଣ ପ୍ରକାରର କ୍ୟାନସର୍ କ୍ଷେତ୍ରରେ ପଞ୍ଚମ ସ୍ଥାନରେ ରହିଛି। ଡାଇବେଟିସ୍, ରକ୍ତଚାପ ଆଦିର ପରୀକ୍ଷା କରିବା ଲାଗି ରାଜ୍ୟର ୪.୧୭ ଲକ୍ଷ ଲୋକ ଏନ୍ସିଡି କ୍ଲିନିକ୍ରେ ପରୀକ୍ଷା କରାଇଛନ୍ତି।
ରାଜ୍ୟରେ ମୁଖ୍ୟତଃ କେଉଁ ରୋଗ ଅଧିକ ଦେଖାଯାଉଛି?
ବିଗତ କିଛି ବର୍ଷ ଭିତରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯଦିଓ ଅନେକ ଉନ୍ନତି ହୋଇଛି, ତଥାପି ସଂକ୍ରାମକ ଓ ପୁଷ୍ଟି ଅଭାବ ଜନିତ ରୋଗର ମାତ୍ରା ଏବେବି ଓଡ଼ିଶାରେ ଅଧିକ ରହିଛି। ବିଶେଷ କରି ଆଦିବାସୀ ଏବଂ ପଛୁଆ ଅଞ୍ଚଳରେ ଏହିଭଳି ରୋଗ ଅଧିକ ମାତ୍ରାରେ ଦେଖାଦେଉଛି। ଝାଡ଼ାବାନ୍ତି, ଜଣ୍ଡିସ୍, ମାଲେରିଆ ଓ ନିଶ୍ବାସପ୍ରଶ୍ବାସ ଜନିତ ରୋଗ ଅଧିକ ଦେଖାଯାଉଛି।
ଘରୋଇ ହସ୍ପିଟାଲ୍ଗୁଡ଼ିକ ସରକାରଙ୍କ ଠାରୁ କିଭଳି ସହଯୋଗ ଆଶା କରୁଛନ୍ତି?
ଜିଲ୍ଲା ଓ ସହରରେ ଜମି, ଅନୁଦାନ ପାଣ୍ଠି ଏବଂ ରେଫରାଲ୍ ଭଳି ସରକାର ଯୋଗାଇଦେବା ଦରକାର। ଦ୍ରୁତ ଅନୁମୋଦନ ନେଇ ସରକାରଙ୍କ ପ୍ରତିବଦ୍ଧତା ରହିଛି। ପରିଚାଳନା ଏବଂ ବଜାର ବିପଦର ଭାଗବଣ୍ଟା ହୋଇପାରିଲେ ଅନୁଷ୍ଠାନରେ ଶୀଘ୍ର ସ୍ଥିରତା ଆସିପାରିବ। ପ୍ରକଳ୍ପର ବିକାଶ ଏବଂ ଡିଜାଇନ ଯୋଜନା ପ୍ରସ୍ତୁତିରେ ସୁବିଧା ଦରକାର।