ରାଜ୍ୟ ଗ୍ରାହକଙ୍କ ପସନ୍ଦ ୮-୧୦ ଲକ୍ଷ ଟଙ୍କିଆ କାର୍‌ : ଆଦିତ୍ୟ ପାତ୍ର

ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ

ହୁଣ୍ଡାଇ, ହୋଣ୍ଡା ଓ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଭଳି ପ୍ରତିଷ୍ଠିତ କଂପାନିର ଗାଡ଼ି ବ୍ୟବସାୟ ଲାଗି ଆଦିତ୍ୟ ଗ୍ରୁପ୍‌ର ପରିଚାଳନା ନିର୍ଦେଶକ ଆଦିତ୍ୟ ପାତ୍ର ସାରା ରାଜ୍ୟରେ ପରିଚିତ। ଲକ୍‌ଡାଉନ୍‌ ପରବର୍ତୀ ସମୟର କାର୍‌ ବଜାର ସ୍ଥିତି, ରାଜ୍ୟରେ ଗ୍ରାହକଙ୍କ ପସନ୍ଦ, ବ୍ୟବସାୟ ପରିଚାଳନା ଏବଂ ସମ୍ପ୍ରସାରଣ ଯୋଜନା ବିଷୟରେ ସେ ଯେଉଁ ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି….

ଲକ୍‌ଡାଉନ୍‌ ପରବର୍ତୀ ସମୟରେ କାର୍‌ ବ୍ୟବସାୟରେ କିଭଳି ଉନ୍ନତି ହୋଇଛି?
କରୋନ ମହାମାରୀ ମୁକାବିଲା ଲାଗି ‌ଲକ୍‌ଡାଉନ୍‌ ଘୋଷଣା କରାଯିବାର ପରବର୍ତୀ ୪୦-୪୫ ଦିନ ପର୍ଯ୍ୟନ୍ତ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ମେ’ରୁ ଜୁଲାଇ ମଧ୍ୟରେ ସ୍ବାଭାବିକ ବ୍ୟବସାୟର ୪୦-୪୫% ସ୍ତରରେ ଆମେ ପହଞ୍ଚିପାରିଥିଲୁ। ଖୁସିର ବିଷୟ ହେଉଛି ଯେ ଗତବର୍ଷ ତୁଳନାରେ ଚଳିତ ବର୍ଷ ନଭେମ୍ବରରେ ଗାଡ଼ି ପଞ୍ଜୀକରଣରେ ୪% ବୃଦ୍ଧି ଘଟିଛି। ସେପ୍ଟେମ୍ବର ପରଠାରୁ କାର୍‌ ବିକ୍ରିରେ ସୁଧାର ଦେଖିବାକୁ ମିଳିଥିଲା। ବିଏସ୍‌-୬ ନିୟମ ଓ ଇଲେକ୍ଟ୍ରିକ୍ କାର୍‌କୁ ନେଇ ସ୍ଥିତି ସ୍ପଷ୍ଟ ନହେବାରୁ ୨୦୧୯ରେ କାର୍‌ ବିକ୍ରି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ସେଥିପାଇଁ ଚଳିତ ବର୍ଷ କାର୍‌ ବିକ୍ରି ଅଧିକ ରହୁଛି। କିନ୍ତୁ କିଛି ବର୍ଷ ପୂର୍ବର ବିକ୍ରି ସହ ଯଦି ତୁଳନା କରାଯିବ ତେବେ ବ୍ୟବସାୟ ସ୍ବାଭାବିକ ହୋଇନାହିଁ ବୋଲି କହିହେବ।
କାର୍‌ କିଣିବା ବେଳେ ରାଜ୍ୟର ଗ୍ରାହକମାନେ କ’ଣ ଚାହାନ୍ତି?
ସୋ’ରୁମ୍‌କୁ ଆସୁଥିବା ଗ୍ରାହକମାନେ ଦୁଇଟି ବର୍ଗର ଗାଡ଼ି ପ୍ରତି ଆଗ୍ରହ ଦେଖାଉଛନ୍ତି। ପ୍ରଥମଟି ହେଉଛି ହୁଣ୍ଡାଇ ଭେନ୍ୟୁ ଓ ହୋଣ୍ଡା ଡବ୍ଲୁଆର୍‌-ଭି ଭଳି କମ୍ପାକ୍ଟ ଏସ୍‌ୟୁଭି। ଦ୍ବିତୀୟ ପସନ୍ଦର ବର୍ଗ ହେଉଛି ହୁଣ୍ଡାଇ ଅରା, ହୋଣ୍ଡା‌ ଆମେଜ୍ ଓ ମାରୁତି ସୁଜୁକି ଡିଜାୟାର ଭଳି ୪ ମିଟର୍‌ରୁ କମ୍‌ ଲମ୍ବ ବିଶିଷ୍ଟ ସେଦାନ୍। ଛୋଟ କାର୍‌ର ଚାହିଦା ଆଉ ପୂର୍ବଭଳି ସ୍ତରରେ ନାହିଁ। ସୁବିଧା ସୁଯୋଗ ଦୃଷ୍ଟି ଏବେ ଗ୍ରାହକମାନେ କ‌େନକ୍ଟେଡ୍‌ ବୈଶିଷ୍ଟ୍ୟ ଅଧିକ ଚାହୁଛନ୍ତି। ଏୟାର୍‌ବ୍ୟାଗ୍‌ ଓ ଏବିଏସ୍‌ ଭଳି ସୁବିଧା ଏବେ ପ୍ରାୟ ସବୁ ଗାଡ଼ିରେ ମିଳୁଥିବାରୁ ସେଥିପାଇଁ ଗ୍ରାହକମାନେ ବିଶେଷ ଚିନ୍ତିତ ନାହାନ୍ତି।
ଗ୍ରାହକମାନେ କେଉଁ ମୂଲ୍ୟର କାର୍‌ କିଣିବାକୁ ଚାହୁଛନ୍ତି?
ଆମ ରାଜ୍ୟର ଗ୍ରାହକମାନେ ୮-୧୦ ଲକ୍ଷ ଟଙ୍କିଆ ଗାଡ଼ି କିଣିବା ଲାଗି ବିଶେଷ ଆଗ୍ରହ ଦେଖାଉଛନ୍ତି। ସେମାନେ କାର୍‌ କିଣିବା ବେଳେ ଯାହାକୁ ସର୍ବାଧିକ ଗୁରୁତ୍ବ ଦେଇଥାନ୍ତି ତାହା ହେଉଛି ପରିବାର। ସାରା ପରିବାର କିଭଳି କାର୍‌କୁ ବ୍ୟବହାର କରିପାରିବ ସେହି ଅନୁସାରେ ସେମାନେ ଗାଡ଼ି ଚୟନ କରୁଛନ୍ତି। ଗ୍ରାହକମାନଙ୍କ ମଧ୍ୟରେ ବେତନଭୋଗୀ ଓ ବ୍ୟବସାୟ କ୍ଷେତ୍ରରେ ସକ୍ରିୟ ଥିବା ଲୋକଙ୍କ ସଂଖ୍ୟା ଅଧିକ। ଏବେ ପ୍ରାୟ ୧୦୦% କାର୍‌ ଫାଇନାନ୍ସରେ ବିକ୍ରି ହେଉଛି। ଏହାର ଏକ ପ୍ରମୁଖ କାରଣ ହେଉଛି ଗୃହ ଋଣ ଠାରୁ ମଧ୍ୟ କମ୍ ସୁଧ ହାରରେ ଗାଡ଼ି ଋଣ ମିଳୁଛି।
ଗାଡ଼ି ଡିଲର୍‌ ହିସାବରେ ଖର୍ଚ୍ଚ ପରିଚାଳନା କଷ୍ଟକର ଥିଲା କି?
ଗ୍ରାହକଙ୍କୁ ବିକ୍ରି ଲାଗି ଆମେ ଆଣୁଥିବା ଗାଡ଼ିର ସ୍ଥିତି ଏବଂ ବ୍ୟୟ ଉଭୟର ସ୍ଥିତି ଲକ୍‌ଡାଉନ୍ ପୂର୍ବ ସମୟ ଭଳି ସମାନ ରହିଛି। ବଜାରରେ ଚାହିଦା କମିବାରୁ ରାଜସ୍ବ କମିଛି। ଗୋଟିଏ ମାସ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ଥିଲା। ତେଣୁ କିଛିଟା କଷ୍ଟ ହୋଇଛି। ସ୍ଥିତିରେ ସୁଧାର ହେଲାଣି। ୨୦୨୧ ମାର୍ଚ୍ଚ ସୁଦ୍ଧା କାର୍‌ ବଜାରର ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇଯିବ ବୋଲି ମୁଁ ଆଶା କରୁଛି।
କାରବାର ସମ୍ପ୍ରସାରଣ କରିବାର କିଛି ଯୋଜନା ଅଛି କି?
ଆଦିତ୍ୟ ମୋଟର୍ସରେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ହାଇୱେ ହୋଣ୍ଡାରେ ହୋଣ୍ଡା, ଆଦିତ୍ୟ ହୁଣ୍ଡାଇରେ ହୁଣ୍ଡାଇ କାର୍‌ ବିକ୍ରି ହେଉଛି। ଆମର ଉପସ୍ଥିତି ମୁଖ୍ୟତଃ ଉପକୂଳ ଓଡ଼ିଶାରେ ରହିଛି। ଆମର ଏବେ ୬ଟି ଟଚ୍‌ପଏଣ୍ଟ୍‌ ରହିଛି। ସମ୍ପ୍ରସାରଣ ଲାଗି ଏବେ କିଛି ଯୋଜନା ନାହିଁ। ଏମିତି ନୁହେଁ ଯେ ଆମେ କୋଭିଡ୍ ପ୍ରଭାବ ଲାଗି ଆମର ସମ୍ପ୍ରସାରଣ ଯୋଜନା ବନ୍ଦ କରିଛୁ। ଆମର ସେଭଳି କିଛି ଯୋଜନା ନଥିଲା। ଆମର ଯାହା ବ୍ୟବସ୍ଥା ଅଛି ତାହାକୁ ଜାରି ରଖିବୁ।
ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌ ଅଭିଯାନ ବିଷୟରେ ଆପଣଙ୍କ ମତ କ’ଣ?
ଏହା ଏକ ବହୁତ ଭଲ ଉଦ୍ୟମ। ଆମେ ଓଡ଼ିଶାରେ ରହି ମଧ୍ୟ ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ଅନେକ କଂପାନି ବିଷୟରେ ଜାଣିପାରୁନଥିଲୁ। ଏହି ଅଭିଯାନ ମାଧ୍ୟମରେ ଆମେ ସେମାନଙ୍କ ବିଷୟରେ ଜାଣୁଛୁ। ଏହା ବ୍ୟବସାୟ ଉପରେ ସକାରାତ୍ମକ ପ୍ରଭାବ ପକାଇବ। ଆପଣମାନେ ଯେଉଁଭଳି ଭାବେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରୁଛନ୍ତି ଯଦି ତାହାକୁ ଭବିଷ୍ୟତରେ ସେଭଳି ଜାରି ରଖିବେ ତେବେ ଏହାର ଅନେକ ଅନୁଗାମୀ ସୃଷ୍ଟି ହେବେ।

ସମ୍ବନ୍ଧିତ ଖବର