ଶ୍ରେଣୀ ଗୃହ ପାଠପଢ଼ା ଓ ଅନ୍‌ଲାଇନ୍ ଶିକ୍ଷାଦାନ ଉଭୟ ରହିବ: ଅଜୟ ବାହାଦୂର ସିଂହ

ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ

ରାଜ୍ୟର ଗରିବ ପିଲାମାନଙ୍କ ଡାକ୍ତର ହେବା ସ୍ବପ୍ନ ସାକାର କରୁଛନ୍ତି ଜିନ୍ଦେଗୀ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆଦ୍ୟାନ୍ତ ହାୟର ସେକେଣ୍ଡାରି ସ୍କୁଲର ଅଧ୍ୟକ୍ଷ ଅଜୟ ବାହାଦୂର ସିଂହ। ଶ୍ରେଣୀ ଗୃହ ପାଠପଢ଼ା ଓ ଅନ୍‌ଲାଇନ୍ ଶିକ୍ଷା ଓ କରୋନା ମହାମାରୀର ପ୍ରଭାବ ଆଦି ଅନେକ ବିଷୟରେ ସେ ଯେଉଁ ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି:

ମହାମାରୀ ପରେ ଅନ୍‌ଲାଇନ୍‌ରେ ପାଠପଢ଼ା ବେଶ ଚର୍ଚ୍ଚିତ ହୋଇଛି। ଏ ବିଷୟରେ ଆପଣଙ୍କ ମତ କ’ଣ?
କରୋନା ମହାମାରୀ ବ୍ୟାପିବା ପୂର୍ବରୁ ଅନ୍‌ଲାଇନ୍‌ ପାଠପଢ଼ା କ୍ଷେତ୍ରରେ ଗୋଟିଏ ଦୁଇଟି ସଂସ୍ଥା ସକ୍ରିୟ ଥିଲେ। ମାତ୍ର ମହାମାରୀ ପରେ ସେଭଳି ସଂସ୍ଥା ସଂଖ୍ୟା ବହୁତ ବଢ଼ିଛି। ଅନଲାଇନ୍‌ ଶିକ୍ଷାଦାନ ପାଇଁ ଏହା ବହୁତ ବଡ଼ ସୁଯୋଗ ସୃଷ୍ଟି କରିଛି। ପାଠପଢ଼ା ବନ୍ଦ ହୋଇଯିବା ଭଳି ସ୍ଥିତିରେ ଅନ୍‌ଲାଇନ୍ ମାଧ୍ୟମ ଯୋଗୁଁ ଶିକ୍ଷାଦାନ ଜାରି ରହିଛି। ଯେଉଁମା‌ନେ ପ୍ରଯୁକ୍ତିକୁ ଗ୍ରହଣ କରିବାରେ ସଫଳ ହୋଇଛନ୍ତି ସେମାନେ ପାଠପଢ଼ା ଜାରି ରଖିଛନ୍ତି। ଯେଉଁ ସଂସ୍ଥା ‌ଶ୍ରେଣୀ ଗୃହ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ସେମାନେ ପ୍ରଭାବିତ ହୋଇଛନ୍ତି।
ଅନ୍‌ଲାଇନ୍ ଶିକ୍ଷାର ଭବିଷ୍ୟତ କ’ଣ?
ଯେଉଁ ବିଷୟରେ ଲୋକମାନେ ଆଦୌ କିଛି ଜାଣିନଥାନ୍ତି ତାହାକୁ ନେଇ ଚିନ୍ତା କରନ୍ତି ନାହିଁ। ଯେହେତୁ ଅନ୍‌ଲାଇନ୍ ଶିକ୍ଷାର ଶକ୍ତି ବିଷୟରେ ଲୋକମାନେ ଅବଗତ ହୋଇଛନ୍ତି ତେଣୁ ଏହାର କିଛି ଅଂଶ ନିଶ୍ଚିତ ରୂପେ ଲୋକମାନଙ୍କ ସହିତ ସବୁଦିନ ରହିବ। ମହାମାରୀର ପ୍ରଭାବ ଶେଷ ହୋଇଯିବା ପରେ ଛାତ୍ରଛାତ୍ରୀମାନେ ପୁଣି ଥରେ ଶ୍ରେଣୀ ଗୃହକୁ ଫେରିଆସିବେ। ଶ୍ରେଣୀ ଗୃହରେ ପାଠପଢ଼ା ବେଳେ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ମଧ୍ୟରେ ଯେଉଁ ସମ୍ପର୍କ ସୃଷ୍ଟି ହୁଏ ତାହା ଅନଲାଇନ୍ ପାଠପଢ଼ାରେ ମିଳିବ ନାହିଁ। ଅନ୍‌ଲାଇନ୍ ପାଠପଢ଼ାର ମାନ ବଢ଼ିଲେ ହିଁ ତାହା ପିଲାମାନଙ୍କ ଦ୍ବାରା ଗ୍ରହଣୀୟ ହେବ। ଆଗାମୀ ଦିନରେ ଶ୍ରେଣୀ ଗୃହ ପାଠପଢ଼ା ଓ ଅନ୍‌ଲାଇନ୍ ଶିକ୍ଷାଦାନ ଉଭୟ ରହିବ।
ସରକାରୀ ସ୍କୁଲ୍‌ର ପିଲାମାନଙ୍କ ପାଖରେ କାହିଁକି ଅନ୍‌ଲାଇନ୍ ପାଠପଢ଼ା ସୁଯୋଗ ପହଞ୍ଚି ନାହିଁ?
ମୁଁ ମୋ ଅଭିଜ୍ଞତା କଥା କହିବି। ଆମ ଉପରେ ଚାପ ଅଧିକ ଥିଲା। ତେଣୁ ଅନେକ ବିଷୟ ଚିନ୍ତା କରି ବିଭିନ୍ନ ସମାଧାନର ବାଟ ବାହାର କରିବାକୁ ପଡ଼ିଥିଲା। ମୁଁ ଏକ ଯୁକ୍ତ ଦୁଇ କଲେଜର ମୁଖ୍ୟ ଭାବେ ସବୁ ବର୍ଗର କର୍ମଚାରୀଙ୍କ ସହ ଯୋଡ଼ି ହୋଇ ଅନ୍‌ଲାଇନ୍ ପାଠପଢ଼ାର ବ୍ୟବସ୍ଥା କରିଥିଲି। ‌ସେହି ସମୟରେ ଦିନକୁ ମୋତେ ୧୮-୧୯ ଘଣ୍ଟା ପରିଶ୍ରମ କରିବାକୁ ପଡ଼ିଥିଲା। ପ୍ରତିଦିନ ଛାତ୍ରଛାତ୍ରୀ ଅଭିଭାବକ ବୈଠକ କରାଯାଇଥିଲା। ସେହି ସମାନ ଧରଣର ଉଦ୍ୟମ ପାଇଁ ସାରା ଦେଶରେ ଆମ କେନ୍ଦ୍ର ସର୍ବପ୍ରଥମେ ଲାଇଭ୍ କ୍ଲାସେସ୍‌ ଆରମ୍ଭ କରିଥିଲା। କିନ୍ତୁ ସରକାରୀ ବ୍ୟବସ୍ଥାରେ ବୋଧହୁଏ ସେହିଭଳି ଚାପ ନାହିଁ। ଚାପ ପଡ଼ିଲେ ହିଁ ପରିବର୍ତ୍ତନ ଆସେ।
ପରିବର୍ତ୍ତିତ ପରିସ୍ଥିତିରେ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି କି?
ମୁଁ ଦୀର୍ଘଦିନରୁ ସ୍ମାର୍ଟଫୋନ୍‌ରେ କେବଳ କଲ୍‌ ସୁବିଧାଟି ବ୍ୟବହାର କରୁଥିଲି। ମହାମାରୀ ବ୍ୟାପିବା ପରେ ଜୁମ୍‌ କଲ୍‌ ଜରୁରୀ ହୋଇପଡ଼ିଲା। ସ୍ମାର୍ଟଫୋନ୍‌ରେ କିଭଳି ଅନେକ କାମ କରିବାକୁ ପଡ଼ିବ ତାହା ମୋ ଭଳି ଲୋକ ଶିଖିବାକୁ ବାଧ୍ୟ ହେଲା। ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମନରେ ଅନ୍‌ଲାଇନ୍ କ୍ଲ‌ାସେସ୍‌ର ଅଂଶ ହେବା ପାଇଁ ଜିଜ୍ଞାସା ସୃଷ୍ଟି କରିବାକୁ ପଡ଼ିବ। ଶିଖିବାକୁ ଇଛା କଲେ ବହୁତ କିଛି ସହଜ ହୋଇଯିବ।
ଜିନ୍ଦେଗୀ ଫାଉଣ୍ଡେସନକୁ ନେଇ ଆପଣଙ୍କ କ’ଣ ଯୋଜନା ରହିଛି?
ଗତବର୍ଷ ଜିନ୍ଦେଗୀ ଫାଉଣ୍ଡେସନର ୧୯ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ। ଚଳିତ ବର୍ଷ ୨୧ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଏବେ ସେମାନଙ୍କୁ ଡିଜିଟାଲ୍ ମାଧ୍ୟମରେ ପାଠପଢ଼ା ହେଉଛି। ସ୍ଥିତିରେ ସୁଧାରକୁ ଅପେକ୍ଷା କରିଛୁ। ଶୀଘ୍ର ସେମାନଙ୍କୁ ପ୍ରତିକୂଳ ପରିସ୍ଥିତିରୁ ବାହାର କରି ନିଜ ପାଖକୁ ଆଣି ପଢ଼ାଇବା ପାଇଁ ଚାହିରହିଛୁ।
ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ବିଷୟରେ ଆପଣଙ୍କ ମତ କ’ଣ?
ଏହି ଅଭିଯାନ ପାଇଁ ଓଡ଼ିଶାରେ ଏବେ ସମସ୍ତେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ଏବଂ ଏକ ବ୍ରାଣ୍ଡ୍‌ ଭାବେ ଉଭା ହେବାକୁ ଚାହୁଛନ୍ତି। ଯେଉଁଭଳି ଭାବେ ସମ୍ବାଦ ଗ୍ରୁପ୍ ଏହି ପୁରସ୍କାର ପ୍ରତି ନିଷ୍ଠା ପ୍ରଦର୍ଶନ କରିଛି ଏବଂ ବ୍ରାଣ୍ଡ୍‌ଗୁଡ଼ିକୁ ଯେଉଁଭଳି ସମ୍ମାନ ପ୍ରଦାନ କରୁଛି ଏବଂ ଯେଉଁମାନଙ୍କ ମାଧ୍ୟମରେ ଏହି ପୁରସ୍କାର ଦେଉଛି ତାହା ଅତ୍ୟନ୍ତ ପ୍ରଶଂସନୀୟ। ଯେଉଁମାନେ ଏହି ପୁରସ୍କାର ପାଇଛନ୍ତି ସେମାନଙ୍କ ମଧ୍ୟରେ ଏକ ଉତ୍ସାହ ଜାଗ୍ରତ ହେଉଛି। ଜୀବନରେ ଦୁଇଟି ଜିନିଷ ବହୁତ ଗୁରୁତ୍ବପୂର୍ଣ୍ଣ। ଗୋଟିଏ ହେଉଛି ଅର୍ଥ ଏବଂ ଅନ୍ୟଟି ସମ୍ମାନ। ଉଦ୍ୟୋଗୀମାନଙ୍କ ପାଖରେ ଅର୍ଥର ଅଭାବ ନାହିଁ। ଯାହା ଦରକାର ତାହା ହେଉଛି ସମ୍ମାନ। ସମ୍ବାଦର ଏହି ଅଭିଯାନ ସମ୍ମାନ ପ୍ରଦାନ କରୁଛି।

ସମ୍ବନ୍ଧିତ ଖବର