ରୁପାରେ ଲୋକଙ୍କ ସବୁଠୁ ଅଧିକ ପସନ୍ଦ ପାଉଁଜି: ଲିପ୍‌ସା ନାୟକ ହଂସ

ବ୍ରାଣ୍ଡସ୍ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ

ସୁନା ଗହଣା ଭିଡ଼ରେ ରୁପା ଏକ ଅବହେଳିତ ବର୍ଗ ହୋଇ ରହିନାହିଁ । ବ୍ୟବସାୟ ଦୁନିଆରେ ଏହାକୁ ମିଳିଛି ସ୍ବତନ୍ତ୍ର ସ୍ଥାନ। ରୁପା ସାମଗ୍ରୀ ପାଇଁ ସ୍ଥାପନ କରାଯାଇଛି ବିଶାଳ ସୋ’ରୁମ୍। ରୁପାର ଗ୍ରାହକମାନେ ଆଉ ନିଜକୁ ସୁନା ଦୋକାନର ସେକେଣ୍ଡ୍ ହାଣ୍ଡ୍‌ ଗ୍ରାହକ ଭାବୁନାହାନ୍ତି। ‌ସେମାନଙ୍କୁ ମିଳୁଛି ଅଗ୍ରାଧିକାର। ରାଜ୍ୟରେ ରୁପା ବଜାର, ଚାହିଦାରେ ଥିବା ସାମଗ୍ରୀ ଓ ନିଜ ସଂସ୍ଥାର ସମ୍ପ୍ରସାରଣ ଯୋଜନା ବିଷୟରେ ‘ଚାନ୍ଦି ଭଣ୍ଡାର’ର ନିର୍ଦେଶିକା ଲିପ୍‌ସା ନାୟକ ହଂସ ଯାହା କହିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି…

ଓଡ଼ିଶାର ରୁପା ବଜାର କିଭଳି ରହିଛି?
ରାଜ୍ୟର ରୁପା ବଜାର ଶତ ପ୍ରତିଶତ ଅଣ ସଂଗଠିତ ହୋଇ ରହିଛି କହିଲେ ଭୁଲ ହେବ ନାହିଁ। ‌ସୁନା ଦୋକାନରେ ରୁପା ସାମଗ୍ରୀ ଲାଗି ବ୍ୟବସ୍ଥା ରହୁଛି। ତାହାକୁ ଯଦି ବିଚାରକୁ ନିଆଯିବ ତେବେ ଅତିବେଶିରେ ୧୦ ପ୍ରତିଶତ ରୁପା ବଜାର ସଂଗଠିତ କ୍ଷେତ୍ରରେ ରହିଛି ବୋଲି କୁହାଯାଇପାରିବ। ସୁନା ଦୋକାନରେ କିନ୍ତୁ ରୁପାର ବିସ୍ତୃତ ବର୍ଗମାଳା ମିଳେ ନାହିଁ। ଚାନ୍ଦି ଭଣ୍ଡାରରେ କେବଳ ରୁପା ସାମଗ୍ରୀ ବିକ୍ରି ହେଉଛି।
ସାରା ଦେଶରେ ରୁପା ବଜାର କିଭଳି ରହିଛି?
ଦେଶ ଭିତରେ ଆଗ୍ରା, ଦିଲ୍ଲୀ, କୋଲକାତା ଏବଂ ମୁମ୍ବାଇ ଆଦି ସହରରେ ରୁପାକୁ ନେଇ ଅନେକ କାର୍ଯ୍ୟ ହେଉଛି। ଜୟପୁର ମଧ୍ୟ ଏ କ୍ଷେତ୍ରରେ ଆଗରେ ରହିଛି। ସେଠାରେ ରୁପା ସାମଗ୍ରୀ ତିଆରି କରିବା ଠାରୁ ଆରମ୍ଭ କରି ରପ୍ତାନି ମଧ୍ୟ କରାଯାଉଛି। ଓଡ଼ିଶାର ତାରକସୀ ମଧ୍ୟ ବେଶ ଲୋକପ୍ରିୟ।
ରୁପାର କେଉଁ ସାମଗ୍ରୀ ଅଧିକ ବିକ୍ରି ହେଉଛି?
ଉପକୂଳ ଓଡ଼ିଶାରେ ରୁପା ସାମଗ୍ରୀର ବହୁତ ଚାହିଦା ରହିଛି। ଆମ ଷ୍ଟୋର୍‌ରେ କର୍ପୋରେଟ୍‌ ଉପହାର ସାମଗ୍ରୀ ଠାରୁ ଆରମ୍ଭ କରି ପାଉଁଜି, ରୁପାରେ ତିଆରି ଗହଣା ବାସନ ସାମଗ୍ରୀ, ଗ୍ଲାସ, ଜଗ୍‌, ଚାମଚ ଓ ଜିଭ ଛେଲା ଆଦି ବିକ୍ରି ହେଉଛି। ସବୁଠୁ ଅଧିକ ଚାହିଦାରେ ରହିଛି ପାଉଁଜି। ମୋଟ ବିକ୍ରିରେ ପାଉଁଜିର ଅବଦାନ ୨୫-୩୦ ପ୍ରତିଶତ ଭଳି ସ୍ତରରେ ରହିଛି। ଓଡ଼ିଶାର ତାରକସୀ ମଧ୍ୟ ବହୁତ ଚାହିଦାରେ ରହିଛି।
କେତେ ଟଙ୍କାର ସାମଗ୍ରୀ ଗ୍ରାହକମାନେ କିଣିଥାନ୍ତି?
ଦେଖନ୍ତୁ, ସୁନା ତୁଳନାରେ ରୁପା ଦାମ୍ ବହୁତ କମ୍। ଏକ ଗ୍ରାମ ସୁନା ଦାମ୍ ୫୦୦୦ ଟଙ୍କା ଭଳି ସ୍ତରରେ ଥିବା ବେଳେ ଏକ ଗ୍ରାମ ରୁପା ଦାମ୍ ହେଉଛି ୫୦୦ ଟଙ୍କା ପାଖାପାଖି। ସେହି ଦୃଷ୍ଟିରୁ ଆମ ଷ୍ଟୋର୍‌ରେ ଗ୍ରାହକ ପିଛା ହାରାହାରି ୨୦୦୦-୩୦୦୦ ଟଙ୍କାର ସାମଗ୍ରୀ ବିକ୍ରି ହୁଏ। ଚାନ୍ଦି ଭଣ୍ଡାର ଗ୍ରାହକ ପାଇଁ ଏଥିପାଇଁ ସ୍ବତନ୍ତ୍ର ଯେ ଏଠାରେ ସେମାନେ ଗୁଣାତ୍ମକ ସାମଗ୍ରୀ ପାଆନ୍ତି ଓ ତା’ ସହିତ ସେମାନଙ୍କୁ ସୁନା ଦୋକାନର ରୁପା ଗ୍ରାହକଙ୍କ ଭଳି ଅଣଦେଖା ହେବାକୁ ପଡ଼େ ନାହିଁ।
କେଉଁ ଧରଣର ଗ୍ରାହକ ଷ୍ଟୋର୍‌କୁ ଆସୁଛନ୍ତି?
ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ସଂସ୍ଥା ସମସ୍ତେ ରୁପା ସାମଗ୍ରୀ କିଣୁଛନ୍ତି। କର୍ପୋରେଟ୍‌ ଉପହାର ଲାଗି ବ୍ୟାବସାୟିକ ସଂସ୍ଥାଗୁଡ଼ିକ ଆମ ସହ ଯୋଗାଯୋଗ କରିଥାନ୍ତି। ଏବର୍ଷ କରୋନା ମହାମାରୀର ପ୍ରଭାବ ଯୋଗୁଁ ଉପହାର ସ୍ଥିତି ମାନ୍ଦା ରହିଛି। ମନ୍ଦିରଗୁଡ଼ିକ ଠାରୁ ମଧ୍ୟ ଆମକୁ ବରାଦ ଆସୁଛି। ଦେଶର ୫-୬ଟି ମନ୍ଦିରର ଆବଶ୍ୟକତାକୁ ଆମେ ପୂରଣ କରିଛୁ।
ନୂଆ ଉତ୍ପାଦ ଆଣିବା ପାଇଁ କ’ଣ ଯୋଜନା ରହିଛି?
ନୂଆ ଉତ୍ପାଦ ଆଣିବା ଏକ ନିୟମିତ ପ୍ରକ୍ରିୟା। ଆମେ ନିୟମିତ ବ୍ୟବଧାନରେ ନୂଆ ଉତ୍ପାଦ ଯୋଡ଼ୁଛୁ। ଫ୍ୟୁଜନ୍ ଉତ୍ପାଦ ଏବେ ଗ୍ରହଣୀୟ ହେବାରେ ଲାଗିଛି। ଚିତ୍ର ସହିତ ରୁପା କାମ ହୋଇଥିବା ୱାଲ୍‌ହ୍ୟାଙ୍ଗିଙ୍ଗ୍‌କୁ ଲୋକେ ପସନ୍ଦ କରୁଛନ୍ତି। ସେହି ଭଳି ନୂଆ ନୂଆ ଫ୍ୟୁଜନ୍ ଉତ୍ପାଦ ଆଣିବୁ। ଗହଣା ବର୍ଗରେ ମଧ୍ୟ ନୂଆ ଉତ୍ପାଦ ଆସିବ। ରୁପା ଏମିତି ଏକ ସାମଗ୍ରୀ ‌ଯାହାକୁ ବ୍ୟବହାର କରି ଗ୍ରାହକ ଯାହା ବରାଦ ଦେବେ ଆମେ ତାହା ତିଆରି କରିପାରିବୁ। ଆମେ ରୁପାରେ ଖଟ ବି ତିଆରି କରିଦେଇପାରିବୁ।
ଷ୍ଟୋର୍‌ ସମ୍ପ୍ରସାରଣ ନେଇ କ’ଣ ଯୋଜନା ରହିଛି?
ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେ ନିଜକୁ ଦୃଢ଼ କରି ଗ୍ରାହକମାନଙ୍କୁ ଗୁଣାତ୍ମକ ଉତ୍ପାଦ ଓ ସେବା ଯୋଗାଇ ଦେବା ଉପରେ ଗୁରୁତ୍ବ ଦେଇଥିଲୁ। ଏବେ ରାଜ୍ୟ ଭିତରେ ଚାନ୍ଦି ଭଣ୍ଡାରର ସମ୍ପ୍ରସାରଣ କରିବା ଲାଗି ଆମ ଯୋଜନା ପ୍ରସ୍ତୁତ କରିଛୁ। ପଶ୍ଚିମ ଓଡ଼ିଶାରେ ଆମେ ଏକ ନୂଆ ଷ୍ଟୋର୍‌ ଖୋଲିବୁ। ଏହା ବ୍ୟତୀତ ଅନ୍ୟ ଯେଉଁଠା‌ରେ ସୁଯୋଗ ଥିବ ତାହାକୁ ଅନୁଧ୍ୟାନ କରିବା ପରେ ଯାହା କିଛି ନିଷ୍ପତ୍ତି ନେବୁ।
ବ୍ରାଣ୍ଡସ୍ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ଅଭିଯାନ ବିଷୟରେ ଆପଣଙ୍କ ମତ କ’ଣ?
ଏହା ନିଶ୍ଚିତ ରୂପେ ଏକ ବହୁତ ଭଲ ପ୍ରୟାସ। ରାଜ୍ୟରେ ଥିବା ସଂସ୍ଥାଗୁଡ଼ିକୁ ଏହା ଉତ୍ସାହିତ କରିବ। ଫ୍ରାନ୍ସ ହେଉ କିମ୍ବା ଜାପାନ ସବୁ ସ୍ଥାନରେ ଲୋକମାନେ ନିଜ ଦେଶର ବ୍ରାଣ୍ଡ୍‌ ବ୍ୟବହାର କରିବାକୁ ପସନ୍ଦ କରନ୍ତି। ଫ୍ରାନ୍ସର ଲୋକମାନେ ଜାରାର ପୋଷାକ ପିନ୍ଧୁଛନ୍ତି। ଟୟୋଟା ବ୍ରାଣ୍ଡ୍‌ ପ୍ରତି ଜାପାନବାସୀଙ୍କ ଦୁର୍ବଳତା ରହିଛି। ଆମେରିକାରେ ମଧ୍ୟ ନିଜ ଦେଶର ବ୍ରାଣ୍ଡ୍‌କୁ ବ୍ୟବହାର କରିବା ଲାଗି ଲୋକମାନେ ପସନ୍ଦ କରନ୍ତି। ଭାରତରେ କିନ୍ତୁ ତାହାର ବ୍ୟତିକ୍ରମ ଦେଖିବାକୁ ମିଳେ। ଏହି ଅଭିଯାନ ନିଶ୍ଚିତ ରୂପେ ରାଜ୍ୟର ବ୍ରାଣ୍ଡ୍‌ଗୁଡ଼ିକୁ ବଡ଼ ପରିଚୟ ପ୍ରଦାନ କରିବାରେ ସହାୟକ ହେବ। ଏହା ଏକ ବହୁତ ଭଲ ଅଭିଯାନ।

ସମ୍ବନ୍ଧିତ ଖବର