ଅପମିଶ୍ରଣକାରୀଙ୍କ ଉପରେ ଘନଘନ ଚଢ଼ଉରେ ଉପକୃତ ହେଉଛନ୍ତି ଖାଉଟି: ଡଃ ଶରତ କୁମାର ସାହୁ

ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ

ରାଜ୍ୟର ଖ୍ୟାତନାମା ମସଲା କଂପାନି ‘ରୁଚି ଉଦ୍ୟୋଗ’ର ପରିଚାଳନା ନିର୍ଦେଶକ ଡଃ ଶରତ କୁମାର ସାହୁ କରୋନା ମହାମାରୀର ମୁକାବିଲା, ରପ୍ତାନି ବଜାର, ସମ୍ପ୍ରସାରଣ ଯୋଜନା ଓ ନୂତନ ସାମଗ୍ରୀ ସମ୍ପର୍କରେ ଏକ ସା‌କ୍ଷତକାରରେ ଯାହା ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି..

ରୁଚି ମସଲାରା ସଫଳତା ପଛର ମନ୍ତ୍ରଟି କ’ଣ ?
ସବୁଠୁ ବଡ଼ ମନ୍ତ୍ର ହେଲା- ନିଷ୍ଠା, ସାଧନା ଓ ଗୁଣବତ୍ତା। ଦୀର୍ଘ ୪୫ ବର୍ଷ ଧରି ଓଡ଼ିଶାର ଲୋକମାନଙ୍କୁ ଆମେ ଉନ୍ନତ ଗୁଣ ଓ ମାନର ବିଭିନ୍ନ ସମାଗ୍ରୀ ଯୋଗାଇ ଦେଇଆସୁଛୁ। ଏହା ସହିତ କଠିନ ପରିଶ୍ରମ ଓ ଉନ୍ନତ ଜ୍ଞାନକୌଶଳର ଉପଯୋଗ ହିଁ ଆମ ସଫଳତା ପାଇଁ ବିଶେଷ ସହାୟକ ହୋଇଛି।
ଆପଣଙ୍କ ସଂସ୍ଥା ଉପରେ କୋଭିଡ୍ ପ୍ରଭାବ କିଭଳି ଥିଲା ଓ ତାହାର କିଭଳି ମୁକାବିଲା କରିଛନ୍ତି?
କୋଭିଡ୍‌ ମହାମାରୀର ବଡ଼ ପ୍ରଭାବ ଆମ ଉପରେ ନିଶ୍ଚୟ ପଡ଼ିଥିଲା। ଆମର ସମସ୍ତ କର୍ମଚାରୀ ନିଷ୍ଠା ଓ ସାହସର ସହ କାର୍ଯ୍ୟ କରିଥିଲେ। ଆମେ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିଥିଲୁ। ଉଭୟ ପରସ୍ପରକୁ ସାହାଯ୍ୟ କରିବା କାରଣରୁ ଆମେ ଏହି ଅଭାବନୀୟ ସ୍ଥିତିକୁ ସାମ୍ନା କରିପାରିଥିଲୁ। ଆମେ କର୍ମଚାରୀଙ୍କୁ ଠିକ୍ ସମୟରେ ସେମାନଙ୍କ ପ୍ରାପ୍ୟ ଦେଇଥିଲୁ। କର୍ମଚାରୀଙ୍କୁ ଅନ୍ୟା‌ନ୍ୟ ସହାୟତା ଓ ଆବଶ୍ୟକ ଔଷଧ ଦେଇଥିଲୁ। କୋଭିଡ୍‌ ମୁକାବିଲା ଲାଗି ସରକାର ଯେଉଁ କଟକଣା ଜାରି କରିଥିଲେ ତାହାକୁ ଆମେ କଡ଼ାକଡ଼ି ଭାବେ ପାଳନ କରିଥିଲୁ।
ଭବିଷ୍ୟତରେ ସମ୍ପ୍ରସାରଣ ପାଇଁ କ’ଣ ଯୋଜନା ରହିଛି?
ମୋତେ ଯେତେବେଳେ ୧୫ ବର୍ଷ ହୋଇଥିଲା ବାପାଙ୍କ ସହ ମିଶି ଖାଦ୍ୟ ପ୍ରକ୍ରିୟାକରଣର ଏହି ବ୍ୟବସାୟ ସହ ମୁଁ କାର୍ଯ୍ୟ କରୁଛି। ଖାଦ୍ୟ ଶିଳ୍ପ ସହିତ ମୋ ଜୀବନର ୫୦ ବର୍ଷ ବିତିଛି। ରାଜ୍ୟ ଓ ଦେଶର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ କିଛି ଭଲ କାର୍ଯ୍ୟ କରିବାକୁ ମୁଁ ଶପଥ ନେଇଛି। ଏ କ୍ଷେତ୍ରର ଗବେଷଣା ଏବଂ ବିକାଶ ପ୍ରକ୍ରିୟା କାର୍ଯ୍ୟ ମୁଁ ନିଜେ କରେ। ଏବେ ରାମଦାସପୁର ଶିଳ୍ପାଞ୍ଚଳରେ ରୁଚିର ଏକ ନୂଆ ୟୁନିଟ୍‌ର ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି।
କିଛି ନୂଆ ସାମଗ୍ରୀ ଆଣିବା ଯୋଜନା ଅଛି କି?
ନୂତନ ଗବେଷଣା ଦ୍ୱାରା ଆମ ପାଇଁ ଉପଯୋଗୀ ନୂଆ ନୂଆ ପୁଷ୍ଟିକର ସାମଗ୍ରୀ ବାହାରି ପାରିବ। ଆମର ଜାରି ରହିଥିବା ପ୍ରୟାସରୁ ବହୁତ ଭଲ ସାମଗ୍ରୀ ବାହାରୁଛି। ସେଗୁଡ଼ିକ ସମାଜ ଓ ମଣିଷମାନଙ୍କ ପାଇଁ ନିଶ୍ଚୟ ହିତକର ହେବ।
ଆଉ କିଛି ନୂତନ ରପ୍ତାନି ବଜାର ଉପରେ ନଜର ରହିଛି କି?
ଆସନ୍ତା ବର୍ଷ ଆମେରିକା ଓ ଇଂଲଣ୍ଡ ସମେତ କେତେକ ରାଷ୍ଟ୍ରକୁ ରପ୍ତାନି ପାଇଁ ଆମେ ବରାଦ ହାସଲ କରିଛୁ। ଖୁବ୍‌ଶୀଘ୍ର ସେହି ଦେଶଗୁଡ଼ିକରେ ରୁଚିର ସାମଗ୍ରୀ ପହଞ୍ଚିବ।
ଜଣେ ଦାୟିତ୍ୱସମ୍ପନ୍ନ ଉଦ୍ୟୋଗୀ ଭାବେ ମହାମାରୀ ସମୟରେ ଲୋକମାନଙ୍କୁ କିଭଳି ସାହାଯ୍ୟ କରିଛନ୍ତି ?
ଏହି ଦୁଃସମୟରେ ଆମ ପାଖକୁ ବହୁତ ଆଡ଼ୁ ସାହାଯ୍ୟ କରିବା ପାଇଁ ଖବର ଆସିଥିଲା ଏବଂ ସବୁଠାରେ ସମସ୍ୟା ଥିଲା ଖାଦ୍ୟସାମଗ୍ରୀ। କାରଣ ବିଭିନ୍ନ ସ୍ଥାନରେ ରନ୍ଧାଖାଦ୍ୟ ମିଳୁ ନଥିଲା। ଆମେ ମାସ ମାସ ଧରି ରନ୍ଧା ଖାଦ୍ୟ ବଣ୍ଟନ କରିବା ସହ ଆମର ପୁଷ୍ଟିକର ଶୁଖିଲା ଖାଦ୍ୟ ମଧ୍ୟ ବାଣ୍ଟିଥିଲୁ। ତାହା ଲୋକଙ୍କ ପାଖରେ ଦୀର୍ଘଦିନ ପର୍ଯ୍ୟନ୍ତ ରହିବା ସହ ସେମାନଙ୍କ ଆବଶ୍ୟକତା ପୂରଣ କରିଥିଲା। ରାଜ୍ୟ ସରକାରଙ୍କ ବିଭିନ୍ନ ଅନୁଷ୍ଠାନ, ପୁଲିସ ବାହିନୀ, ସ୍ବେଚ୍ଛାସେବୀ ସଂଗଠନ ଜରିଆରେ ଆମେ ଏହି ସେବା ଓ ସହାୟତା ନିରନ୍ତର ଯୋଗାଇଦେଇଥିଲୁ। ଏହା ସହିତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ମଧ୍ୟ ଅର୍ଥରାଶି ଦାନ କରିଥିଲୁ।
ବିଗତ ବର୍ଷଗୁଡ଼ିକ ତୁଳନାରେ ଏବେ ମସଲା ଶିଳ୍ପରେ କିଭଳି ପ୍ରତିଯୋଗିତା ରହିଛି?
ବର୍ତ୍ତମାନ ସମୟରେ ଅପମିଶ୍ରଣକାରୀମାନେ ବିଭିନ୍ନ ପ୍ରତିଷ୍ଠିତ କମ୍ପାନି ନାମରେ ନକଲି ଓ ଭେଜାଲ୍ ସାମଗ୍ରୀ ବିକ୍ରି କରୁଛନ୍ତି। କରୋନା ସମୟରେ ଏମାନଙ୍କ ପ୍ରାଦୁର୍ଭାବ ବେଶ୍ ବଢ଼ିଯାଇଥିଲା। ଏବେ ଏହି ନକଲି କମ୍ପାନି ଉପରେ ଘନଘନ ଚଢ଼ାଉ ହେବା ପରେ ଖାଉଟିମାନେ ବେଶ୍ ଉପକୃତ ହେଉଛନ୍ତି। ମସଲା ଶିଳ୍ପରେ ପ୍ରତିଯୋଗିତା ସବୁବେଳେ ଅଛି। ଆମେ ଲୋକମାନଙ୍କ ସହିତ ଦୀର୍ଘ ୪୫ ବର୍ଷ ଧରି ରହିଛୁ। ସେମାନଙ୍କ ବିଶ୍ବାସ ଆମକୁ ଆଗକୁ ବଢ଼ିବାରେ ସାହାଯ୍ୟ କରୁଛି।
‘ସମ୍ବାଦ’ର ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସଂପର୍କରେ ଆପଣଙ୍କ ମତ କ’ଣ ?
‘ସମ୍ବାଦ’ ପକ୍ଷରୁ ଏଭଳି ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ। ଏହା ଏକ ଚମତ୍କାର ପ୍ରୋତ୍ସାହନମୂଳକ କାର୍ଯ୍ୟକ୍ରମ। କୌଣସି ଶିଳ୍ପ ଉଦ୍ୟୋଗକୁ ଯଦି ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏଭଳି ପ୍ରେରଣା ଦିଆଯାଏ ତାହା ସବୁବେଳେ ଆଗକୁ ଯିବା ପାଇଁ ଉତ୍ସାହିତ କରିଥାଏ। ଓଡ଼ିଶାର ଉଦ୍ୟୋଗ କ୍ଷେତ୍ରରେ ଯେଉଁମାନେ ଭଲ କାମ କରୁଛନ୍ତି ସେମାନଙ୍କୁ ‘ସମ୍ବାଦ’ ପକ୍ଷରୁ ସମ୍ମାନିତ କରାଯିବା ଏକ ପ୍ରେରଣାଦାୟୀ ପଦକ୍ଷେପ ବୋଲି ମୁଁ ମନେ କରେ। ମୁଁ ମଧ୍ୟ ପୂର୍ବରୁ ଏହି ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇ ଏହାହିଁ ଅନୁଭବ କରିଛି। ଏହି କାର୍ଯ୍ୟକ୍ରମ ସବୁବର୍ଷ ହେଉ ଏବଂ ଏହାଦ୍ୱାରା ଓଡ଼ିଶାର ଅନେକ ଯୁବ ଉଦ୍ୟୋଗୀ ପ୍ରେରଣା ଲାଭ କରନ୍ତୁ, ଏହା ମୋର ଆଶା ଓ ବିଶ୍ୱାସ ।

ସମ୍ବନ୍ଧିତ ଖବର