ଅଗରବତି ପାଇଁ ଓଡ଼ିଶା ଏକ ଭଲ ବଜାର: ଅନିତା ମହାନ୍ତି

ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ

ରାଜ୍ୟର ଅଗରବତି ବଜାରରେ ପ୍ରତିଷ୍ଠିତ କଂପାନିଗୁଡ଼ିକର ଭିଡ଼ ଭିତରେ ନିଜର ବ୍ରାଣ୍ଡ୍‌ର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଗୁପ୍ତଗଙ୍ଗା ଅଗରବତିର ନିର୍ଦେଶିକା ଅନିତା ମହାନ୍ତି। ଜଣେ ମହିଳା ଉଦ୍ୟୋଗୀ ଭାବେ ଯାତ୍ରା ଆରମ୍ଭ କରି ଏବଂ ଆଗକୁ ବଢ଼ିବା କେତେ ଆହ୍ବାନପୂର୍ଣ୍ଣ ଥିଲା ଓ ନିଜ ଭବିଷ୍ୟତ ଯୋଜନା ବିଷୟରେ‌ ସେ ଯାହା କହିଛନ୍ତି ତାହା ଏଠାରେ ଉପସ୍ଥାପନ କରାଯାଇଛି। ସାକ୍ଷାତକାର: ସୁବ୍ରତ ସ୍ବାଇଁ

ଜଣେ ମହିଳା ଭାବେ କାହିଁକି ଅଗରବତି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ମନ ବଳାଇଥିଲେ?
ପ୍ରତ୍ୟେକ ଘରେ ମହିଳାମାନେ ହିଁ ପୂଜା କାର୍ଯ୍ୟ କରିଥାନ୍ତି। ମୁଁ ମଧ୍ୟ ନିୟମିତ ପୂଜା କାର୍ଯ୍ୟ କରେ। ସେହି ଦୃଷ୍ଟିରୁ ନିୟମିତ ଧୂପ ଦେବା ବେଳେ ମୋର ମଧ୍ୟ ଅଗରବତି କମ୍ପାନୀଟିଏ ପ୍ରତିଷ୍ଠା ପାଇଁ ଆଗ୍ରହ ହୋଇଥିଲା। ସେଦିନର ସେହି ଭାବନାରୁ ୨୦୧୬ ମସିହାରେ ଆରମ୍ଭ ହୋଇଥିଲା ଗୁପ୍ତଗଙ୍ଗା ଅଗରବତି।
ପ୍ରାରମ୍ଭରେ କିଭଳି ସମସ୍ୟା ସୃଷ୍ଟି ହୋଇଥିଲା?
ପ୍ରଥମେ ଏକ ଛୋଟିଆ ଘରେ ଅନ୍ୟ କମ୍ପାନୀର ଖୋଳରେ ନିଜେ ପ୍ରସ୍ତୁତ କରିଥିବା ଅଗରବତି ବଜାରକୁ ଛଡ଼ା‌ଯାଉଥିଲା। ମାତ୍ର କିଛି ଦିନର ମାର୍କେଟିଂ ଅଭିଜ୍ଞତା ପରେ ନିଜସ୍ବ ବ୍ରାଣ୍ଡ୍‌ ‘ଗୁପ୍ତଗଙ୍ଗା’ ଅଗରବତି ବଜାର ପ୍ରବେଶ ହୋଇଥିଲା। ଏବେ ଏହି ଗୁପ୍ତଗଙ୍ଗା ଅଗରବତି ସମଗ୍ର ରାଜ୍ୟରେ ଏକ ପ୍ରମୁଖ ବ୍ରାଣ୍ଡ ଭାବେ ଉଭା ହୋଇ ସାରିଲାଣି।
ଉଦ୍ୟୋଗ ପ୍ରତିଷ୍ଠାରେ ମୁଖ୍ୟ ପ୍ରତିବନ୍ଧକ କ’ଣ?
ମାର୍କେଟିଂ ହେଉଛି ଅଗରବତି ଶିଳ୍ପର ମୁଖ୍ୟ ସମସ୍ୟା। ଯଦି ଠିକ୍ ଢଙ୍ଗରେ ମାକେଟିଂ କରି ନ ପାରିଲ, ତେବେ ମୂଳରୁ ବୁଡିଯିବା ଥୟ। କାରଣ ନୂଆ ଅଗରବତି କମ୍ପାନୀକୁ ବଜାରରେ ଠିକ୍ ଢଙ୍ଗର ରେସପନସ୍ ମିଳି ନଥାଏ। ଯାହାଦ୍ବାରା ଅଳ୍ପ ଦିନରେ ବ୍ୟବସାୟର କ୍ଷତି ହୋଇଥାଏ।
ଓଡ଼ିଶାରେ ଅଗରବତି ବଜାର କେମିତି ?
ଆପଣଙ୍କର ମନେ ଥିବ, ପୂର୍ବରୁ ସନ୍ଧ୍ୟା ବେଳେ ସମସ୍ତଙ୍କ ଘରେ ସଂଜବତୀ ଲାଗୁଥିଲା। ଏହି ସଂଜବତୀ ବିଶେଷ କରି ଧଳା କପଡ଼ାରେ ତିଆରି ହେଉଥିଲା। ମୁଖ୍ୟତଃ ପୁରୁଣା ଧୋତି କିମ୍ବା ଲୁଗାକୁ ସଫା କରି ଗ୍ରାମାଞ୍ଚଳମାନଙ୍କରେ ସଂଜବତୀ ତିଆର କରି ବ୍ୟବହାର କରୁଥିଲେ। ଏହା ସମସ୍ତଙ୍କ ଘରେ ଏକ ପରମ୍ପରା ଭାବେ ପ୍ରଚଳିତ। ଧୀର ଧୀରେ ପରିସ୍ଥିତି ବଦଳିଛି। ଲୋକଙ୍କର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହୋଇଛି। ତେଣୁ ସଂଜବତୀ ସ୍ଥାନରେ ଏବେ ଧୂପ ପ୍ରଚଳିତ ହୋଇଛି। ସେହି ଦୃଷ୍ଟିରୁ ଓଡ଼ିଶା ଅଗରବତିପାଇଁ ସବୁଠୁ ଭଲ ବଜାର।
କେଉଁ ଅଗରବତି କମ୍ପାନିକୁ ଆପଣଙ୍କ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ମନେ କରନ୍ତି?
ମୋର କେହି ପ୍ରତିଦ୍ବନ୍ଦ୍ବୀ ନାହାନ୍ତି। ମୁଁ ନିଜେ ନିଜର ପ୍ରତିଦ୍ବନ୍ଦ୍ବୀ। କାରଣ ପ୍ରତିବର୍ଷ ମୁଁ ନିଜ ଅଗରବତିର ବାସ୍ନା ଏବଂ ମାନ କିଭଳି ଆହୁରି ଉଚ୍ଚ ହୋଇପାରିବ ତାହାକୁ ଧ୍ୟାନ ଦେଉଛି।

ଜଣେ ମହିଳା ଉଦ୍ୟୋଗୀ ଭାବେ ବିଭିନ୍ନ ସମୟରେ ପ୍ରତିଦ୍ବନ୍ଦ୍ବୀ କମ୍ପାନୀଗୁଡିକ ପକ୍ଷରୁ ଆହ୍ବାନର ସମୁଖୀନ ହେବାକୁ ପଡ଼ିଥାଏ କି?
ହଁ ହୁଏ। ବିଶେଷ କରି ପୂର୍ବରୁ ଅଗରବତି ବଜାରର ଆସ୍ଥା ଜମାଇ ସାରିଥିବା ଅନେକ କମ୍ପାନୀ ଜଣେ ମହିଳା ଉଦ୍ୟୋଗୀ ଭାବେ ହେୟଜ୍ଞାନ କରିଥାନ୍ତି। ବିଶେଷ କରି ମାର୍କେଟିଂରେ ଆମକୁ ଅସୁବିଧା ପକାଇବା ପାଇଁ ପ୍ରତିଦ୍ବନ୍ଦ୍ବୀ କମ୍ପାନୀମାନେ କମ ମୂଲ୍ୟରେ ଧୂପ ହୋଲସେଲରଙ୍କୁ ଦେଇଥାନ୍ତି। ଯାହାକି ଆମକୁ ଅସୁବିଧା ହୋଇଥାଏ।
ଆପଣଙ୍କ ପରବର୍ତୀ ଲକ୍ଷ୍ୟ କ’ଣ?
ସମଗ୍ର ଭାରତ ବର୍ଷରେ ଗୁପ୍ତଗଙ୍ଗା ଅଗରବତିକୁ ଏକ ନମ୍ବର ବ୍ରାଣ୍ଡ୍‌ ଭାବେ ପ୍ରସିଦ୍ଧି କରାଇବା ଲକ୍ଷ୍ୟ ରହିଛି।
ଅନ୍ୟ ମହିଳାଙ୍କ ସ୍ବାବଲମ୍ବୀ ପାଇଁ କିଛି ନିଦ୍ଦିଷ୍ଟ ଯୋଜନା ରହିଛି କି?
ହଁ, ରହିଛି। ବିଶେଷ କରି ଗ୍ରାମାଞ୍ଚଳ ମହିଳାମାନଙ୍କୁ ସ୍ବାବଲମ୍ବୀ ପାଇଁ ଅଗରବତି ତିଆରି ତାଲିମ ଦେଉଛି। ଆବଶ୍ୟକ ସ୍ଥଳେ ସେମାନେ ପ୍ରସ୍ତୁତ କରୁଥିବା ଧୂପକୁ ନିଜେ ବଜାର ମୂଲ୍ୟରେ କିଣି ନେଇ ସେମାନଙ୍କୁ ଏହି ବିକ୍ରି ସମସ୍ୟାରୁ ମୁକ୍ତି ଦେଉଛି। ଯାହା ଫଳରେ ସେମାନେ ନିଜ ଗୋଡ଼ରେ ଛିଡ଼ା ହୋଇ ପାରିବେ।

ସମ୍ବନ୍ଧିତ ଖବର