ଏହି ପୁରସ୍କାର ବ୍ରାଣ୍ଡ୍ର ଗୁରୁତ୍ବ ବଢ଼ାଇବ
ଓଡ଼ିଶାର ଛୋଟ ଛୋଟ ବ୍ରାଣ୍ଡ୍ଗୁଡ଼ିକୁ ମାନ୍ୟତା ପ୍ରଦାନ କରିବା ଓ ସେମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ଅଭିଯାନ ଜରିଆରେ ଯେଉଁ ପଦକ୍ଷେପ ଗ୍ରହଣ କରାଯାଇଛି ସେଥିପାଇଁ ସମ୍ବାଦକୁ ଅଶେଷ ଧନ୍ୟବାଦ। ସମ୍ବାଦ ଭଳି ଏକ ଅନୁଷ୍ଠାନ ଯେତେବେଳେ ଛୋଟ ଛୋଟ ବ୍ରାଣ୍ଡ୍କୁ ମାନ୍ୟତା ପ୍ରଦାନ କରେ ତାହା ସେହି ବ୍ରାଣ୍ଡ୍ଗୁଡ଼ିକ ଲାଗି ବହୁତ ବଡ଼ କଥା। ରାଜ୍ୟ ତଥା ଜାତୀୟ ସ୍ତରରେ ସେମାନଙ୍କ ଗୁରୁତ୍ବ ବୃଦ୍ଧି ପାଏ। ଉଦ୍ୟୋଗୀଙ୍କୁ ପୁରସ୍କୃତ କରିବାର କାର୍ଯ୍ୟ ବହୁତ କମ୍ ସଂସ୍ଥା କରୁଛନ୍ତି। ଗତ କିଛି ବର୍ଷ ଧରି ସମ୍ବାଦ ଏେନଇ ଯେଉଁ କାର୍ଯ୍ୟକ୍ରମ ଆରମ୍ଭ କରିଛି ତାହା ହେଉଛି ଏକ ମହତ କାର୍ଯ୍ୟ। ସମାଜ ଓ ଲୋକଙ୍କ ପ୍ରତି ଜଣେ ଉଦ୍ୟୋଗୀଙ୍କ ଯେଉଁ ଅବଦାନ ରହିଛି ତାହାକୁ ସାଧାରଣ ଲୋକ ଏତେଟା ଜାଣିପାରନ୍ତି ନାହିଁ। ସେମାନଙ୍କ ଅବଦାନର ଗୁରୁତ୍ବ କ’ଣ ତାହା ସେମାନେ ବୁଝିପାରନ୍ତି ନାହିଁ। ସମ୍ବାଦ ଏହାକୁ ବୁଝିପାରିଛି। ଏଭଳି ପୁରସ୍କାର ପ୍ରଦାନ କରୁଥିବାରୁ ଆମେ ଓସ୍ମି ତରଫରୁ ସମ୍ବାଦକୁ ଅଭିନନ୍ଦନ ଜଣାଉଛୁ। ଏହି ପୁରସ୍କାର ଲାଗି ଆବେଦନ କରିବାକୁ ଆମେ ଉଦ୍ୟୋଗୀମାନଙ୍କୁ ଆହ୍ବାନ ଦେଉଛୁ।
ସାତ୍ତ୍ବିକ ସ୍ବାଇଁ, ମହାସଚିବ, ଓଡ଼ିଶା ଆସେମ୍ବଲି ଅଫ୍ ସ୍ମଲ୍ ଆଣ୍ଡ୍ ମିଡିଅମ୍ ଏଣ୍ଟରପ୍ରାଇଜେସ୍ (ଓସ୍ମି)
ବ୍ୟବସାୟକୁ ସ୍ବତନ୍ତ୍ର ମାନ୍ୟତା ମିଳିପାରିବ
ସମ୍ବାଦ ପକ୍ଷରୁ ଆରମ୍ଭ ହୋଇଥିବା ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ ନିଶ୍ଚିତ ଭାବେ ଏକ ବଳିଷ୍ଠ ପଦକ୍ଷେପ ଏବଂ ସାଧୁ ଉଦ୍ୟମ। ସାହିତ୍ୟ, ସଙ୍ଗୀତ, କଳା ଓ ସମାଜସେବା କ୍ଷେତ୍ରର ବ୍ୟକ୍ତି ବା ସଂସ୍ଥାଙ୍କୁ ପୁରସ୍କୃତ କରିବାର ବିଭିନ୍ନ ସଂସ୍ଥା ରହିଥିବାବେଳେ ଉଦ୍ୟୋଗୀ ବା ବ୍ୟବସାୟୀମାନଙ୍କୁ ପୁରସ୍କୃତ କରିବା ଲାଗି ସମ୍ବାଦର ଏହି ଅଭିନବ ପ୍ରୟାସ ପ୍ରଶଂସନୀୟ। ଉକ୍ତ ପୁରସ୍କାର ରାଜ୍ୟର ବ୍ୟବସାୟୀ ଓ ଶିଳ୍ପପତିମାନଙ୍କୁ ସ୍ବତନ୍ତ୍ର ମାନ୍ୟତା ଓ ପରିଚୟ ପ୍ରଦାନ କରିବ। ଏହାଦ୍ବାରା ବ୍ୟବସାୟିକ ସଂସ୍ଥାଗୁଡ଼ିକ ରାଜ୍ୟ ବାହାରେ ଏବଂ ଅନ୍ତର୍ଜାତୀୟ ବଜାରରେ ନିଜର ମାର୍କେଟିଂ ଭଲଭାବେ କରିପାରିବେ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବାରେ ଏହି ପୁରସ୍କାର ଉଦ୍ୟୋଗ ଜଗତକୁ ସହାୟକ ହେବ ଏବଂ ପ୍ରୋତ୍ସାହିତ କରିବ। ତେଣୁ ଯେଉଁ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ନେଇ ସମ୍ବାଦ ଏହି ପ୍ରୟାସ କରିଛି ସେଥିରେ ରାଜ୍ୟର ବ୍ୟବସାୟୀମାନେ ସାମିଲ ହୋଇ ନିଜ ନିଜର ଉତ୍ପାଦ ଓ ସେବାକୁ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରତିପାଦିତ କରିବାର ସୁଯୋଗ ନେବା ଉଚିତ।
ସୁଧାକର ପଣ୍ଡା, ସାଧାରଣ ସମ୍ପାଦକ, ଓଡ଼ିଶା ବ୍ୟବସାୟୀ ମହାସଂଘ